Unknown

 

 

 

 

 

 

 

 

 

 

ସ୍ୱାସ୍ଥ୍ୟ-ବିଜ୍ଞାନ

ଶ୍ରୀ ରାମକୃଷ୍ଣ ମହାପାତ୍ର

 

ସୂଚୀପତ୍ର

 

୧.

ଖାଦ୍ୟ

୨.

ପରିଧେୟ ଓ ବିଛଣା

୩.

ଗୃହ

୪.

ସଂକ୍ରାମକ ରୋଗ

୫.

ବିସୂଚିକା

୬.

ମାଲେରିଆ

୭.

ବସନ୍ତ

୮.

ପ୍ଳେଗ

୯.

ଯକ୍ଷ୍ମା

୧୦.

କେତେକ ଆକସ୍ମିକ ଦୁର୍ଘଟଣାର ଚିକିତ୍ସା

୧୧.

ଜଳ

୧୨.

ମାଦକ ଦ୍ରବ୍ୟ

୧୩.

କେତେକ ଆକସ୍ମିକ ଘଟନା ଓ ସାଧାରଣ ରୋଗର ଚିକିତ୍ସା

Image

 

ଖାଦ୍ୟ

 

ସୁଖ ମାନବଜୀବନର ଲକ୍ଷ । ସୁଖ ପାଇବା ଆଶାରେ ମାନବ ବହୁ ଚେଷ୍ଟା କରେ । ବହୁ କଷ୍ଟ ମଧ୍ୟ ସହ୍ୟ କରେ । ଏପରି କି ଘରଦ୍ୱାର, ବନ୍ଧୁବାନ୍ଧବ, ନିଜର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ବିଦେଶ ମଧ୍ୟ କରେ । ଖାଦ୍ୟ ପେୟ ପ୍ରତି ଭ୍ରୂକ୍ଷେପ ନ କରି ଧନ ଅର୍ଜନ କରିବାରେ ଲାଗିଥାଏ । କିନ୍ତୁ ଧନ ଅର୍ଜନ କଲେ କଣ ସୁଖ ମିଳେ ? ଘର ଧନପୂର୍ଣ୍ଣ ଥାଇ ଯଦି ମନୁଷ୍ୟ ରୋଗୀ ହୁଏ, ତେବେ ସେ ଧନରେ କି କାର୍ଯ୍ୟ ! ମନୁଷ୍ୟ ନିରୋଗ ନ ହେଲେ, ସୁସ୍ଥ ସବଳ ନ ହେଲେ ଜୀବନରେ ସୁଖ ଶାନ୍ତି ରହେ କି ? ଆମ୍ଭେମାନେ ଅନୁଭବ କରିଥାଇ–ରୋଗବେଳେ ରୋଗ ମୁକ୍ତ ହେବାପାଇଁ ଆମ୍ଭେମାନେ କେତେ ବ୍ୟାକୁଳ ହେଉଁ । ଆମ୍ଭମାନଙ୍କର ରୋଗବେଳେ ମନରେ ସୁଖ ଶାନ୍ତି ଥାଏ କି ? ଅତଏବ ନୀରୋଗ ଓ ସୁସ୍ଥ ସବଳ ହେବାପାଇଁ ଚେଷ୍ଟା କରବା ଆମ୍ଭମାନଙ୍କ ପ୍ରଧାନ ଓ ପ୍ରଥମ କର୍ତ୍ତବ୍ୟ । କାରଣ, ରୋଗଯୁକ୍ତ ଓ ଦୁର୍ବଳ ହେଲେ ଜୀବନ ଭାର ମାତ୍ର ।

 

ବୃଦ୍ଧିପାଇଁ ଖାଦ୍ୟର ଏକାନ୍ତ ପ୍ରୟୋଜନ । ବୃକ୍ଷମାନେ ଆହାର ନ ପାଇଲେ ମରିଯିବାର ଦେଖିଥିବ; ଦୁର୍ଭିକ୍ଷ ସମୟରେ ଖାଦ୍ୟ ନ ମିଳିଲା ବେଳେ ଶତ ଶତ ଲୋକ ଖାଦ୍ୟାଭାବରେ ମରିଯିବାର ଶୁଣିଥିବ । ସେହିପରି ଜୀବଜନ୍ତୁ ଖାଇବାକୁ ନ ପାଇଲେ କ୍ରମେ କ୍ରମେ ଶୁଖିଯାଇ ଦୁର୍ବଳ ହୋଇ ଅବଶେଷରେ ମରିଯାଆନ୍ତି ।

 

ଗୋଟିଏ ଜିନିସକୁ ପ୍ରତ୍ୟହ ବ୍ୟବହାର କଲେ ତାହା ଯେପରି କ୍ରମେ କ୍ରମେ ସରିଯାଏ, ଆମ୍ଭେମାନେ ସେହିପରି ଦୈନିକ କାର୍ଯ୍ୟ କରିବା ଦ୍ୱାରା ଆମ୍ଭମାନଙ୍କର ଶରୀରର କ୍ଷୟ ହୁଏ । ସେହି କ୍ଷୟିତ ଅଂଶମାନଙ୍କର ପୂରଣପାଇଁ ଖାଦ୍ୟର ପ୍ରୟୋଜନ । କେବଳ ଯେ କ୍ଷୟିତ ଅଂଶ ପୂରଣ ହେଲେ ଯଥେଷ୍ଟ ହେବ ତାହା ନୁହେ, ଆମ୍ଭମାନଙ୍କର ଶରୀରର ବୃଦ୍ଧି ହେବା ଦରକାର । ତେଣୁ ଆମ୍ଭମାନଙ୍କୁ ଟିକିଏ ବେଶି ଖାଇବାକୁ ପଡ଼େ ।

 

ଘରେ ସ୍ତ୍ରୀ ଲୋକମାନେ କହିବାର ଶୁଣିଥିବ, ‘‘ଶୁଣୁ ଶୁଣୁ ହୋଇ ଖାଇଲେ ଦେହରେ ଲାଗେ ନାହିଁ ।’’ ବାସ୍ତବିକ ଏ କଥା ସତ୍ୟ । ଖାଦ୍ୟର ରୁଚି ନ ଥିଲେ, ଖାଇବା ସମୟରେ ମନରେ ଆନନ୍ଦ ଓ ଖାଦ୍ୟପ୍ରତି ଆଗ୍ରହ ନ ଥିଲେ ମନୁଷ୍ୟ ନିରୋଗ ଓ ସବଳ ହୋଇ ନ ପାରେ । ଶରୀର ପୁଷ୍ଟି ସଙ୍ଗେ ମନର ମଧ୍ୟ ସମ୍ବନ୍ଧ ଅଛି । ମନରେ ସର୍ବଦା ଚିନ୍ତା ଥିଲେ ଶରୀରର ପୁଷ୍ଟି ଅସମ୍ଭବ । ତେଣୁ ଖାଇବା ସମୟରେ ଖାଦ୍ୟରେ ଅଭିରୁଚି ଓ ମନ ଚିନ୍ତାଶୂନ୍ୟ ହେବା ନିତାନ୍ତ ଦରକାର ।

 

କୌଣସି ସ୍ଥାନ ଅପରିଷ୍କାର ଦେଖିଲେ ମନରେ ସାଧାରଣତଃ ଘୃଣା ଜାତ ହୁଏ । ଖାଦ୍ୟ ଯଦି ଅପରିଷ୍କାର ହୋଇଥାଏ, ତେବେ ମନରେ ଘୃଣା ହେବା ସ୍ୱାଭାବିକ । ରନ୍ଧନଶାଳା ଓ ବାସନାଦି ମଇଲା ହୋଇଥିଲେ ଖାଦ୍ୟରେ ଘୃଣା ଜନ୍ମେ ଓ ଖାଦ୍ୟରେ ରୁଚି ଆସେ ନାହିଁ । ଆଉ ମଧ୍ୟ ରନ୍ଧନଶାଳା ଅପରିଷ୍କାର ଥିଲେ ଖାଦ୍ୟରେ ମଇଳା ପଡ଼ିବାର ସମ୍ଭାବନା । ତେଣୁ ରନ୍ଧନଶାଳା ସର୍ବଦା ପରିଷ୍କାର ରଖିବା ନିତାନ୍ତ ଦରକାର । ରନ୍ଧନ ସମୟରେ ଯେ ଧୂଆଁ ବାହାରେ ଓ ଅଙ୍ଗାର କଣା ଉଠେ ତାହା ସେ ଘରକୁ କଳା କରିଦିଏ । ତୁମ୍ଭେମାନେ ଦେଖି ଥିବ ଯେ, ରନ୍ଧା ଘରର ଚାଳରେ ଓ କାନ୍ଥାଦିରେ ବହୁତ କଳା ଲାଗି ଥାଏ । ସେ ସବୁ ଅବଶ୍ୟ ପ୍ରତ୍ୟହ ପରିଷ୍କାର କରିବା ବଡ଼ ସହଜ ନୁହେ । ତେବେ ଯେତେ ଦୂର କରିପାରାଯାଏ ସେତେ ପରିଷ୍କାର ରଖିବା ଉଚିତ । ଘରେ ବେଶି କଳା ଲାଗିଥିଲେ ଟିକିଏ ପବନ ହେଲେ ସେ ସବୁ ଖାଦ୍ୟଦ୍ରବ୍ୟମାନଙ୍କରେ ଉଡ଼ି ପଡ଼ିଯାଇ ଖାଦ୍ୟଦ୍ରବ୍ୟ ନଷ୍ଟ କରିଦିଏ ।

 

ବାସନ ଓ ରନ୍ଧନ ପାତ୍ରାଦି ପରିଷ୍କାର କରି ନ ମାଜିଲେ ତହିଁରେ ମଇଲା ଲାଗି ରହେ । ମଇଲା ଲାଗି ରହିଲେ ମାଛି ପ୍ରଭୃତି ବସନ୍ତି ଓ ଦୁର୍ଗନ୍ଧ ହୁଏ । ସୁତରାଂ ଖାଦ୍ୟରେ ଘୃଣା ଓ ଅରୁଚି ହେବାର କଥା । ଏପରି କି ଖାଦ୍ୟରେ ରୁଚି ହେବାପାଇଁ ଓ ଖାଦ୍ୟଦ୍ରବ୍ୟାଦି ପରିଷ୍କାର ରଖିବାପାଇଁ ରନ୍ଧନ କରିବା ଲୋକ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ହେବା ପ୍ରୟୋଜନ ।

 

ତୁମ୍ଭେମାନେ ଦେଖିଥିବ, ଘରେ ସ୍ତ୍ରୀଲୋକମାନେ ରାନ୍ଧିବାବେଳେ ଅନ୍ୟ ଲୁଗା ପିନ୍ଧି ରାନ୍ଧନ୍ତି । ସେ ଲୁଗା ସେମାନେ ଅନ୍ୟତ୍ର ବ୍ୟବହାର କରନ୍ତି ନାହିଁ । ସମାଜର ଏ ସବୁ ନିୟମ ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି କରାଯାଇଛି । ଏପରି କି ତୁମ୍ଭେମାନେ ଘରେ ଦେଖିଥିବ, ସ୍ତ୍ରୀଲୋକ କେତେ ଯତ୍ନରେ ରାନ୍ଧିବା ହାଣ୍ଡି ଧୁଅନ୍ତି, ରନ୍ଧନଶାଳା ପ୍ରତ୍ୟହ ପରିଷ୍କାର କରନ୍ତି ଓ ବାସନାଦି ମାଜନ୍ତି ପୁଣି ଖାଦ୍ୟ ବାଢ଼ିବା ପୂର୍ବରୁ ବାସନାଦି ପରିଷ୍କାର କରି ଧୁଅନ୍ତି । ସେଥିପାଇଁ ଘରର ଖାଦ୍ୟ ବିଦେଶଠାରୁ ବେଶି ଭଲ ଲାଗେ ଓ ଖାଇବାରେ ବେଶି ରୁଚି ହୁଏ । ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି ଦେବାକୁ ହେଲେ ସର୍ବତ୍ର ସେହିପରି କରିବା ଦରକାର ।

Image

 

ପରିଧେୟ ଓ ବିଛଣା

 

ଅତି ପ୍ରାଚୀନ କାଳରେ ମନୁଷ୍ୟମାନେ ଲୁଗାପଟାର ବ୍ୟବହାର ଜାଣି ନ ଥିବାର ଇତିହାସରୁ ଜଣାଯାଏ । ବର୍ତ୍ତମାନ ମଧ୍ୟ ବନବାସୀ କେତେକ ଜାତି ଲୁଗାର ବ୍ୟବହାର ଜାଣନ୍ତି ନାହିଁ । ସେମାନେ କେବଳ ଅଣ୍ଟାର ଚାରିପାଖରେ ଗୋଛାଏ ଲେଖାଏ ପତ୍ର ବାନ୍ଧି ଥାଆନ୍ତି । ମନୁଷ୍ୟ କ୍ରମେ କ୍ରମେ ଶିକ୍ଷିତ ହେବା ସଙ୍ଗେ ସଙ୍ଗେ ଲୁଗା ଓ ପୋଷାକାଦିର ବ୍ୟବହାର ବଢ଼ିଛି । ପ୍ରଥମାବସ୍ଥାରେ ଲୋକମାନେ ପରିଛଦାଦିର ଉପକାରିତା ବୁଝି ନ ଥିଲେ । ବର୍ତ୍ତମାନ ପୋଷାକ ପରିଛଦାଦିର ବ୍ୟବହାରର ପ୍ରୟୋଜନୀୟତାର ବିଷୟ ଆଲୋଚନା କରାଯାଉ ।

 

ଲୁଗା ପିନ୍ଧିବାଦ୍ୱାରା ଆମ୍ଭେମାନେ ଲଜ୍ଜା ନିବାରଣ କରିଥାଉଁ, ପୋଷାକ ବା ଚାଦର ଆଦିରେ ଦେହ ଘୋଡ଼ାଇ ରଖିଲେ ବାହାରର ବାୟୁ ଆମ୍ଭମାନଙ୍କ ଦେହରେ ଲାଗେନାହିଁ । ବାହାରର ବାୟୁ ଶୀତ ଦିନରେ ଥଣ୍ଡା, ଖରା ଦିନରେ ଉତ୍ତପ୍ତ ଓ ବର୍ଷା ଦିନରେ ଜଳୀୟ ବାଷ୍ପ ଯୁକ୍ତ ଥାଏ । ସେ ବାୟୁ ଦେହରେ ଲାଗିଲେ ଆମ୍ଭମାନଙ୍କର ଅନିଷ୍ଟ ହେବାର ବିଶେଷ ସମ୍ଭାବନା । ପୋଷାକ ପରିଚ୍ଛଦ ଆମ୍ଭମାନଙ୍କୁ ତହିଁରୁ ରକ୍ଷାକରେ । ବାୟୁମଣ୍ଡଳରେ ମଧ୍ୟ ଅନେକ ଧୂଳିକଣା ଉଡ଼ୁଥାଏ । ବାୟୁ ଦେହରେ ଲାଗିବା ସମୟରେ ସେ ଗୁଡ଼ିକ ଦେହରେ ଲାଗି ଦେହ ମଇଲା କରି ଦିଏ । ତେଣୁ ଦେହ ସର୍ବଦା ଆବୃତ ରଖିବା ଦରକାର ।

 

ଆମ୍ଭମାନଙ୍କ ଦେହରେ ଯେଉଁ ଲୋମ ଅଛି ସେମାନଙ୍କର ମୂଳରେ କୂପ ପରି ଗୋଟିଏ ଛୋଟ ଛୋଟ କଣା ଅଛି । ଯେପରି କୂପର ପାଣି ଝରେ ସେହିପରି ସେମାନଙ୍କର ମଧ୍ୟଦେଇ ଦେହର ମଇଲା ପଦାର୍ଥ ସବୁ ନିର୍ଗତ ହୁଏ । ଆମ୍ଭେମାନେ ଯେଉଁ ପୋଷାକ ଓ ଲୁଗା ସବୁ ଦିନ ବ୍ୟବହାର କରୁଥାଇଁ ସେ ଗୁଡ଼ିକ ପ୍ରତ୍ୟହ ନ ଧୋଇ କିଛି ଦିନ ରଖି ଦେଲେ ସେଥିରୁ ଏକ ପ୍ରକାର ଦୂଷିତ ଗନ୍ଧ ବାହାରୁ ଥିବାର ଦେଖା ଯାଏ । କେବଳ ଯେ ଦେହରୁ ମଇଲା ଦୂଷିତ ପଦାର୍ଥ ଜଳରୂପେ ବହିର୍ଗତ ହୋଇ ସେଗୁଡ଼ିକ ଦେହରେ ଲାଗେ ତାହା ନୁହେଁ ବାହାରର ବାୟୁମଣ୍ଡଳରୁ ମଧ୍ୟ କେତେ ମଇଲା ସେଗୁଡ଼ିକ ଦେହରେ ଲାଗିଯାଏ । ତେଣୁ ଆମ୍ଭମାନଙ୍କର ପରିଧେୟ ବସ୍ତ୍ରାଦି ପ୍ରତ୍ୟହ ଧୋଇବା ଦରକାର । ନ ଧୋଇଲେ ସେଥିରୁ ଦୁର୍ଗନ୍ଧ ବାହାରେ ଓ ଦେହରେ ସେହି ମଇଲା ଦୂଷିତ ବସ୍ତ୍ରାଦିର ବ୍ୟବହାରରେ ନାନା ପ୍ରକାର ଚର୍ମରୋଗ ଜାତ ହୁଏ । ପ୍ରତ୍ୟହ ରାତ୍ରିରେ ପିନ୍ଧି ଶୋଇଥିବା ଲୁଗା ପରଦିନ ସକାଳେ ଗାଧୋଇବା ସମୟରେ ଧୋଇବାର ଦେଖିଥିବ । ସେ ସବୁ ସାମାଜିକ ନିୟମ କେବଳ ଶରୀରର ସ୍ୱାସ୍ଥ୍ୟରକ୍ଷା ପାଇଁ ହୋଇଛି । ଏପରି କି ମଫସଲର ବାସିନ୍ଦାମାନେ ଲୁଗା ନ ଧୋଇ ପରିଷ୍କାର ପରିଚ୍ଛନ୍ନ ନ ହୋଇ କୌଣସି ଧର୍ମକାର୍ଯ୍ୟର ଅନୁଷ୍ଠାନ କରନ୍ତି ନାହିଁ । ଖାଇଲାବେଳେ ମଧ୍ୟ ଲୁଗା ପରିବର୍ତ୍ତନ କରି ଖାଇବାର ପ୍ରଥା ଆଜି ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ପ୍ରଚଳିତ ଅଛି ।

 

ଆମ୍ଭେମାନେ ଶୋଇବା ସମୟରେ ବିଛଣାଚାଦର, ରେଜେଇ ବା ମଶିଣା ବ୍ୟବହାର କରିଥାଇଁ । ସେଗୁଡ଼ିକରେ ମଧ୍ୟ ଦେହରୁ ନିର୍ଗତ ହେଉଥିବା ଜଳୀୟ ଦୂଷିତ ପଦାର୍ଥ ଲାଗିଯାଏ ଓ ବାହାରର ନାନା ପ୍ରକାର ମଇଲା ଉଡ଼ି ପଡ଼ିଥାଏ । ସେଗୁଡ଼ିକ ପ୍ରତ୍ୟହ ଧୋଇଲେ ଭଲ । ମାତ୍ର ଏତେ ଗୁଡ଼ାଏ ଜିନିସ ପ୍ରତ୍ୟହ ଧୋଇବା ବଡ଼ ସହଜସାଧ୍ୟ ନୁହେଁ । ସୂର୍ଯ୍ୟତାପରେ ଦୁର୍ଗନ୍ଧ ନଷ୍ଟ ହେବା କଥା ଜାଣିଥିବ । ତେଣୁ ବିଛଣାଦି ପ୍ରତ୍ୟହ ନ ଧୋଇ ଖରାରେ ଦେଲେ ମଧ୍ୟ ଚଳେ । ଘରେ ସବୁ ରାତ୍ରିରେ ବ୍ୟବହାର କରିଥିବା ବିଛଣା ପ୍ରଭୃତି ପ୍ରତ୍ୟହ ଖରା ଦେଇ ଥାନ୍ତି । ବିଛଣା, ରେଜେଇ ବା ମଶିଣା ଯାହା ସବୁ ଶୋଇବା ପାଇଁ ବ୍ୟବହୃତ ହୋଇଥାଏ, ସେ ସବୁ ପ୍ରତ୍ୟହ ଖରା ଦେବା ଦରକାର । ଖରା ଦେବା ଦ୍ୱାରା ଯେ କେବଳ ସେଥିରେ ଲାଗିଥିବା ମଇଲା ପଦାର୍ଥ ଚାଲିଯାଏ ତାହାନୁହେଁ, ଏହାଦ୍ୱାରା ଓଡ଼ଶ ପ୍ରଭୃତି କୀଟମାନେ ନଷ୍ଟ ହୁଅନ୍ତି ।

 

ଶୀତ ଦିନରେ ଓ ବର୍ଷା ଦିନରେ ବିଛଣା ପ୍ରଭୃତି ଖରାରେ ଦେଲେ ସେଗୁଡ଼ିକ ଟିକିଏ ଉତ୍ତପ୍ତ ହୁଏ । ତେଣୁ ଶୋଇବା ସମୟରେ ଥଣ୍ଡା ନ ଲାଗି ଗରମ ଲାଗେ । ଖରା ଦିନରେ ଆମ୍ଭମାନଙ୍କ ଦେହରୁ ବହୁତ ଝାଳ ବହେ । ଶୋଇବା ବେଳେ ଆମ୍ଭମାନଙ୍କର ବିଛଣାଦି ସବୁ ଝାଳରେ ଓଦା ହୋଇ ଯାଏ ଓ ଏକ ପ୍ରକାର ଦୁର୍ଗନ୍ଧ ମଧ୍ୟ ହୁଏ । ତେଣୁ ସେଗୁଡ଼ିକ ଖରାରେ ପକାଇବା ଦ୍ୱାରା ସେ ଦୁର୍ଗନ୍ଧ ନଷ୍ଟ ହୋଇ ଯାଏ ଓ ତହିଁରୁ ଝାଳ ସବୁ ଶୁଖିଯାଏ ।

 

କେହି କେହି ବଡ଼ ଲୋକମାନଙ୍କର ଖଟରେ ସର୍ବଦା ବିଛଣା ପଡ଼ିଥିବାର ଦେଖି ଥିବ । ପ୍ରତ୍ୟହ ବିଛଣା ଚଦରଟି ମାତ୍ର ସେମାନେ ଝାଡ଼ନ୍ତି ଓ ଖରା ଦିଅନ୍ତି । ସେପରି କରିବା ବିଧେୟ ନୁହେଁ, କାରଣ ତଦ୍ୱାରା ବିଛଣା ଦୁର୍ଗନ୍ଧ ହୁଏ ଓ ବିଛଣାରେ ଓଡ଼ଶ ପ୍ରଭୃତି ନାନା ପ୍ରକାର କୀଟ ବାସ କରନ୍ତି । ସେମାନେ ଶୋଇବା ସମୟରେ ବଡ଼ ହଇରାଣ କରିଥାନ୍ତି । ଏପରି କି ଓଡ଼ଶମାନଙ୍କ ଦ୍ୱାରା ରାତ୍ରିରେ ନିଦ୍ରା ହୁଏ ନାହିଁ । ଖଟ ଓ ବିଛଣା ଖରାରେ ପକାଇ ଦେଲେ ଓଡ଼ଶମାନେ ମରିଯାଆନ୍ତି । ଏଥିରୁ ଜଣାଯାଏ ଯେ, ବହୁତ ପ୍ରକାର କୀଟ ଖରାରେ ମରିଯାଆନ୍ତି । ତେଣୁ ବିଛଣା ନିରାପଦ କରିବା ପାଇଁ ଓ ରାତ୍ରିରେ ସୁଖନିଦ୍ରା ଯିବା ପାଇଁ ବିଛଣାଚଦର, ରେଜେଇ ଓ ମଶିଣା ପ୍ରଭୃତି ପ୍ରତ୍ୟହ ଖରାରେ ଦେବା ନିତାନ୍ତ ଦରକାର ।

Image

 

ଗୃହ

 

ପୂର୍ବକାଳରେ ମନୁଷ୍ୟମାନଙ୍କର ଘର ନ ଥିଲା । ସେମାନେ ଗଛମୂଳରେ ବା ପତ୍ରରେ କୁଡ଼ିଆ କରି ରହୁଥିଲେ । ବର୍ତ୍ତମାନ ମଧ୍ୟ କେତେକ ଜାତି ବନ ମଧ୍ୟରେ ସେପରି ବାସ କରନ୍ତି । ତୁମ୍ଭେମାନେ ସାଧୁ ସନ୍ନ୍ୟାସି ଦେଖିଥିବ । ସେମାନେ ସର୍ବଦା ବାହାରେ ବୁଲୁଥାନ୍ତି । ଖରା ଦିନରେ ଗଛମୂଳରେ, ବର୍ଷା ଦିନରେ ଅନ୍ୟ ଲୋକଙ୍କର ପିଣ୍ଡାରେ, କେହି ବା ପର୍ବତର ଗୁମ୍ଫାରେ, ଶୀତ ଦିନରେ ମଧ୍ୟ ବାହାରରେ ଆଶ୍ରୟ ନେଇଥାନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ କିପରି ଦେଖିଛ ତ ? ସେମାନେ ସାଧାରଣତଃ ଆମ୍ଭମାନଙ୍କ ଠାରୁ ସୁସ୍ଥ ଓ ସବଳ । ତାହାର କାରଣ କ’ଣ କହି ପାରିବ କି-? ସେମାନେ ଆମ୍ଭମାନଙ୍କ ପରି ରୀତିମତ ଖାଇବାକୁ ପାଆନ୍ତି ନାହିଁ । ଶୋଇବାକୁ କୋମଳ ଶଯ୍ୟା ପାଆନ୍ତି ନାହିଁ । ଆମ୍ଭମାନଙ୍କ ପରି ସେମାନେ ଘରେ ସୁଖରେ ରହନ୍ତି ନାହିଁ । ଅଥଚ ଚାରିଆଡ଼େ ବୁଲୁଥାନ୍ତି । ମାତ୍ର ସେମାନଙ୍କର ସ୍ୱାସ୍ଥ୍ୟ ଆମ୍ଭମାନଙ୍କ ଠାରୁ ଭଲ । ଏହାର କାରଣ ବର୍ତ୍ତମାନ ଆଲୋଚନା କରିବା ।

 

ତୁମ୍ଭେମାନେ ଅନ୍ଧକୂପ ହତ୍ୟା କଥା ଶୁଣିଛ କି ? ଇତିହାସରେ ଉଲ୍ଲେଖ ଅଛି ଯେ, ୧୪୬ ଜଣ ଲୋକଙ୍କୁ ଗୋଟିଏ ସାନ ରୁଦ୍ଧ କୋଠରୀରେ ଆବଦ୍ଧ କରି ରଖାଯାଇ, ପରଦିନ ପ୍ରାତଃକାଳରେ ଦେଖାଗଲା ଯେ, ତହିଁରୁ ୧୨୩ ଜଣ ମରି ଯାଇଛନ୍ତି ଓ ଅବଶିଷ୍ଟ ୨୩ ଜଣ ବିବର୍ଣ୍ଣ ହୋଇ ଯାଇଅଛନ୍ତି । ତୁମ୍ଭଙ୍କୁ ଯଦି ଗୋଟିଏ ଛିଦ୍ରଶୂନ୍ୟ ରୁଦ୍ଧ ଗୃହରେ ଆବଦ୍ଧ କରି ରଖାଯାଏ ତୁମ୍ଭେ ରହି ପାରିବ କି ? ତୁମ୍ଭଙ୍କୁ ତହିଁ ମଧ୍ୟରେ ରହିବାକୁ ବିରକ୍ତ ଲାଗିବ । କିଛି ସମୟ ସେହିପରି ଅବସ୍ଥାରେ ରହିବା ପରେ ଆଉ ରହିବାକୁ ଅସହ୍ୟ ବୋଧ ହେବ । କିନ୍ତୁ ମୁକ୍ତ ସ୍ଥାନରେ ଯେତେବେଳେ ଇଚ୍ଛା ସେତେବେଳେ ବସା ଯାଇପାରେ । ତହିଁରେ ବିରକ୍ତ ପରିବର୍ତ୍ତରେ ଆସକ୍ତି ଆସିବ । ଏହାର କାରଣ କ’ଣ ବୁଝି ପାରୁଛ କି ?

 

ଗୋଟିଏ ଗଛକୁ ଗୋଟିଏ ହାଣ୍ଡି ଘୋଡ଼ାଇ ଦିନେ ଦୁଇ ଦିନ ରଖି ଦେଲେ ତାହା ବିବର୍ଣ୍ଣ ହୋଇ ଯାଏ ନାହିଁ କି ? ଏହାର କାରଣ, ଗଛ ମୁକ୍ତ ଥିବା ସମୟରେ ଆଲୋକ ଓ ବାୟୁ ପ୍ରଚୁର ପରିମାଣରେ ପାଉଥିଲା; ମାତ୍ର ହାଣ୍ଡି ବା ଅନ୍ୟ କିଛି ଘୋଡ଼ାଇ ଦେବା ଦ୍ୱାରା ଆଲୋକ ବାୟୁ ନ ପାଇ ବିବର୍ଣ୍ଣ ହୋଇଗଲା ଓ କିଛିଦିନ ଏହିପରି ଅବସ୍ଥାରେ ରଖା ଗଲେ ଶେଷରେ ମରିଯିବ । ଗଛ ପାଇଁ ଯେପରି ବାୟୁ ଓ ଆଲୋକର ପ୍ରୟୋଜନ ସେହିପରି ମନୁଷ୍ୟମାନଙ୍କ ପାଇଁ ମଧ୍ୟ ବାୟୁ ଓ ଆଲୋକ ପ୍ରଚୁର ପରିମାଣରେ ଲୋଡ଼ା । ଆଲୋକ ଓ ବାୟୁ ପ୍ରଚୁର ପରିମାଣରେ ନ ପାଇଲେ ମନୁଷ୍ୟ ମଧ୍ୟ ବିବର୍ଣ୍ଣ ହୋଇ ଶୁଖି ମରିଯାଏ । ଅନ୍ଧକୂପ ହତ୍ୟାରେ ମନୁଷ୍ୟମାନଙ୍କୁ ସେହିପରି ଗୋଟିଏ ଛୋଟ ଘରେ ବନ୍ଦ କରି ରଖା ଯାଇଥିଲା ଓ ପରେ ଦେଖିଲା ବେଳକୁ ତହିଁରୁ ଅଧିକାଂଶ ମରି ଯାଇଥିଲେ ଓ ଅବଶିଷ୍ଟ ବିବର୍ଣ୍ଣ ହୋଇ ଯାଇଥିଲେ । ସାଧୁ ସନ୍ନ୍ୟାସିମାନେ ଯେ ସୁସ୍ଥ ଓ ସବଳ ତାର କାରଣ ସେମାନେ ମୁକ୍ତ ବାୟୁରେ ଓ ଆଲୋକରେ ସର୍ବଦା ବାସ କରନ୍ତି । ଏହି କାରଣରୁ ବନବାସିମାନେ ଆମ୍ଭମାନଙ୍କ ଠାରୁ ନିରୋଗ ଓ ବଳବାନ୍‌ । ଏଥିରୁ ଜଣା ଯାଉଅଛି ଯେ, ଆମ୍ଭମାନଙ୍କର ସୁସ୍ଥ ସବଳ ଓ ନିରୋଗ ହେବା ପକ୍ଷରେ ଆଲୋକ ଓ ବାୟୁର ନିତାନ୍ତ ଦରକାର ।

 

କେହି କେହି ଘର ବଡ଼ ସଂକୀର୍ଣ୍ଣ ଓ ଝରକାଶୂନ୍ୟ କରିଥାନ୍ତି; ମାତ୍ର ତଦ୍ଦ୍ୱାରା ବାୟୁର ସଞ୍ଚାଳନ ଉତ୍ତମରୂପେ ହୋଇ ପାରେ ନାହିଁ ଓ ଘର ଆଲୋକ ପାଏ ନାହିଁ । ସୁତରାଂ ଘର ବର୍ଷା ଦିନରେ ଆର୍ଦ୍ର ହୁଏ । ବର୍ଷା ଦିନରେ ଘର ଆର୍ଦ୍ର ହେବାର ଆହୁରି ମଧ୍ୟ କାରଣ ଅଛି । ଘରର ତଳ ଯଦି ବାହାର ଠାରୁ ନୀଚ ହୁଏ, ତେବେ ଘର ବର୍ଷା ଦିନରେ ଆର୍ଦ୍ର ହୋଇ ଥାଏ । ଏପରି ଆର୍ଦ୍ର ଘର ସ୍ୱାସ୍ଥ୍ୟ ପକ୍ଷରେ ବଡ଼ ଅନିଷ୍ଟକର । ସେ ଘରେ ଶୋଇଲେ ବଡ଼ ଥଣ୍ଡା ଲାଗେ; ଜ୍ୱର ହୁଏ, ସର୍ଦ୍ଦି ହୁଏ ଓ ମୁଣ୍ଡ ବଥାଏ । ସେ ଘରୁ ଏକ ପ୍ରକାର ଦୂଷିତ ବାଷ୍ପ ଉଠେ । ସେ ବାଷ୍ପ ଶରୀରରେ ଲାଗିଲେ ଶରୀର ଅସୁସ୍ଥ ହୁଏ । ଘର ପାଖରେ ପଚା ଜଳାଶୟ ଓ ଗୋବର ଗଦା, ଗୁହାଳ ବା ଅନ୍ୟ କିଛି ମଇଲା ଗଦା ଥିଲେ ମଧ୍ୟ ସେମାନଙ୍କର ଦୂଷିତ ବାଷ୍ପ ଦେହରେ ଲାଗି ଦେହ ଅସୁସ୍ଥ କରାଏ । ଅତଏବ ଘର ଏପରି ସ୍ଥାନରେ କରିବା ଦରକାର ଯେପରି କି ତାହା ଭୂମିଠାରୁ ଉଚ୍ଚ ହେବ ଓ ନିକଟରେ ପଚା ଜଳାଶୟ ପ୍ରଭୃତି ନ ଥିବ । ଘର ପାଖରେ ଗୁହାଳ ବା ଗୋବର ଗଦା ରଖିବା ଆଦୌ ଉଚିତ ନୁହେଁ । ଘର ଅତି ସାନ କରିବ ନାହିଁ, ଘରରେ ଏପରି ଭାବରେ ଝରକା ଓ ଦ୍ୱାର ରଖିବା ଦରକାର ଯେପରି କି ବାହାରର ଆଲୋକ ଓ ବାୟୁ ପ୍ରଚୁର ପରିମାଣରେ ଘର ଭିତରକୁ ଯାଇ ଆସିପାରିବ । ବାୟୁ ଓ ଆଲୋକ ପ୍ରଚୁର ପରିମାଣରେ ନ ପାଉଥିବା ଘର ସ୍ୱାସ୍ଥ୍ୟ ପକ୍ଷରେ ଖୁବ୍‌ ଅନିଷ୍ଟକର ।

 

ଆମ୍ଭମାନଙ୍କର ଦେହ ଅସୁସ୍ଥ ଥିଲେ ଆମ୍ଭମାନଙ୍କୁ ରୁଦ୍ଧ କୋଠରିରେ ରହିବାକୁ ଗ୍ରାମମାନଙ୍କରେ କହିବାର ଶୁଣିଥିବ । ସେମାନଙ୍କର ଆଶଙ୍କା ଯେ, ମୁକ୍ତବାୟୁ ଲାଗିଲେ ଆମ୍ଭମାନଙ୍କର ଅସୁସ୍ଥ ହେବ । ସେମାନଙ୍କର ଏହି ଧାରଣା ଭୁଲ । ମୁକ୍ତ ବାୟୁ ଓ ଆଲୋକରେ କେବେ କାହାର କିଛି ଅନିଷ୍ଟ ହୁଏ ନାହିଁ ଓ ହୋଇ ନପାରେ । ଯେତେ ଅଧିକ ବାୟୁ ଗୃହରେ ପ୍ରବେଶ କରୁ ନା କାହିଁକି ତହିଁରେ କିଛି କ୍ଷତି ନାହିଁ । ତେବେ ଏତିକି ସାବଧାନ ହେବାକୁ ହେବ ଯେ, ଯେପରି ବାୟୁ ଠିକ୍‌ ଭାବରେ ଆସି ମୁଣ୍ଡରେ ନ ଲାଗେ ଓ ଅସୁସ୍ଥ ଥିବାବେଳେ ଖାଲି ଦେହରେ ନ ଲାଗେ । ବାୟୁ ମୁଣ୍ଡରେ ଠିକ୍‌ ଭାବରେ ଲାଗିଲେ ସର୍ଦ୍ଦି ହୋଇଥାଏ ଓ ଅସୁସ୍ଥ ସମୟରେ ଦେହରେ ଲାଗିଲେ ଅସୁସ୍ଥତା ବେଶି ହୁଏ । ତେଣୁ ଅସୁସ୍ଥ ସମୟରେ ଦେହ ଚଦର ବା ପୋଷାକ ଦ୍ୱାରା ଆବୃତ ରଖିବା ଦରକାର ଓ ବାୟୁ ଯେଉଁ ଦିଗରୁ ବହୁଥାଏ ସେ ଦିଗକୁ ମୁଣ୍ଡ କରି ଶୋଇବା ଅନିଷ୍ଟକର । ରୋଗୀ ଶୋଇବାଘର ପ୍ରଶସ୍ତ ଓ ପରିଷ୍କାର ରହିବା ଦରକାର ଓ ସେ ଘରେ ଯେପରି ମୁକ୍ତ ବାୟୁ ପ୍ରବେଶ ଓ ଦୂଷିତ ବାୟୁ ନିଷ୍କାଶନପାଇଁ ବିଶେଷ ବନ୍ଦୋବସ୍ତ ଥାଏ, ସେଥିପ୍ରତି ସାବଧାନ ହେବା ଆବଶ୍ୟକ । ଆଜି କାଲି କେତେକ ଡାକ୍ତରଖାନାରେ ଅର୍ଦ୍ଧକାନ୍ଥ ବିଶିଷ୍ଟଘର (Half wall room) ରୋଗିମାନଙ୍କ ପାଇଁ ବ୍ୟବହାର କରାଯାଉଅଛି । ସେପରି ଘର ଉପରର କାନ୍ଥ ଅଧିକ ଖୋଲା ଥିବାରୁ ପ୍ରଚୁର ପରିମାଣରେ ବାୟୁ ଓ ଆଲୋକ ସେ ଘରେ ପ୍ରବେଶ କରିପାରେ । ସେହିପରି ଘର ରୋଗିମାନଙ୍କ ପକ୍ଷରେ ଖୁବ୍‌ ଭଲ ।

 

କେବଳ ରୋଗୀ କାହିଁକି ସୁସ୍ଥ ମନୁଷ୍ୟମାନଙ୍କ ପାଇଁ ମଧ୍ୟ ସେପରି ଘର ଖୁବ୍‌ ଭଲ । ବାୟୁ ଓ ଆଲୋକ ମନୁଷ୍ୟର ଜୀବନ ଧାରଣ ପକ୍ଷରେ ନିତାନ୍ତ ପ୍ରୟୋଜନ । ବାୟୁ ବିନା ମନୁଷ୍ୟ ଏକ ମୁହୂର୍ତ୍ତ ରହିପାରିବ ନାହିଁ । ଆଲୋକ ଓ ମୁକ୍ତ ବାୟୁ ଗଛମାନଙ୍କର ଯେପରି ଜୀର୍ଣ୍ଣ କ୍ରିୟାରେ ସାହାଯ୍ୟ କରେ, ମନୁଷ୍ୟମାନଙ୍କର ମଧ୍ୟ ସେହିପରି କରିଥାଏ । ସେଥିପାଇଁ ରାତ୍ରିଠାରୁ ଦିନରେ ଭଲ ଜୀର୍ଣ୍ଣ ହୁଏ । ଦିନରେ ଆଲୋକ ଓ ବାୟୁ ଉଭୟ ମିଳେ । ଏଥିପାଇଁ ରାତ୍ରିରେ ଆଲୁଅ ଜାଳି ଶୋଇଲେ ଯେ ଜୀର୍ଣ୍ଣ ହେବ ତାହା ନୁହେଁ ବରଂ ଆଲୋକ ଜାଳି ଶୋଇଲେ ସେ ଆଲୁଅରୁ ଅଙ୍ଗାରାମ୍ଳ ବାଷ୍ପ ଉଠି ଶୋଇବା ଘରର ବାୟୁ ଦୂଷିତ କରେ ଓ ସେହି ଦୂଷିତ ବାୟୁ ଆମ୍ଭମାନଙ୍କ ଶରୀରରେ ନିଶ୍ୱାସ ରୂପେ ପ୍ରବେଶ କରି ଆମ୍ଭମାନଙ୍କର ବହୁତ ଅନିଷ୍ଟ ସାଧନ କରେ ।

Image

 

ସଂକ୍ରାମକ ରୋଗ

 

ସଂକ୍ରାମକ ରୋଗ କହିଲେ ଯେଉଁ ରୋଗ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ବିସ୍ତୃତି ଲାଭ କରିପାରେ, ସେହି ରୋଗକୁ ବୁଝାଏ । ଏହାକୁ ଡିଆଁ ରୋଗ ମଧ୍ୟ କହିଥାନ୍ତି । ଏହି ସବୁ ରୋଗ ରୋଗଭୋଗ କରୁଥିବା ରୋଗିମାନଙ୍କର ସଂଶ୍ରବରେ ଆସିଲେ ଓ ଅନ୍ୟ କେତେକ କାରଣରୁ ମଧ୍ୟ ଜାତ ହୋଇଥାଏ । ଏ ସବୁ ରୋଗମାନଙ୍କ ମଧ୍ୟରେ ବିସୂଚିକା, ମାଲେରିଆ, ବସନ୍ତ, ପ୍ଳେଗ, ଯକ୍ଷ୍ମା, କାଛୁକୁଣ୍ଡିଆ ଓ କୋଷ୍ଠ ପ୍ରଭୃତି ଉଲ୍ଲେଖ ଯୋଗ୍ୟ ।

 

ଯେଉଁ ବାଳକର କାଛୁ ହୋଇଥାଏ, ତା’ର ପାଖରେ ରହିଲେ ବା ତା ସଙ୍ଗରେ ମିଳିମିଶି ଚଳିଲେ ନିଜର କାଛୁ ହୁଏ, ଏ କଥା ଅନୁଭବ କରିଥିବ । ସେହିପରି ବିସୂଚିକା, ମାଲେରିଆ, ବସନ୍ତ, ପ୍ଳେଗ, ଯକ୍ଷ୍ମା ଓ କୋଷ୍ଠ ପ୍ରଭୃତି ଅନ୍ୟାନ୍ୟ ସଂକ୍ରାମକ ବା ଡିଆଁ ରୋଗମାନେ ରୋଗିର ସଂଶ୍ରବରେ ଆସିଲେ ହୋଇଥାନ୍ତି । କିନ୍ତୁ ଜ୍ୱର, ପେଟବ୍ୟଥା ପ୍ରଭୃତି ଅନ୍ୟାନ୍ୟ ରୋଗ ଜଣକଠାରୁ ଅନ୍ୟ ଜଣକ ପାଖକୁ ଯାଇପାରନ୍ତି ନାହିଁ । ବର୍ତ୍ତମାନ ଏହାର କାରଣ ଆଲୋଚନା କରାଯାଉ ।

 

ପ୍ରତ୍ୟେକ ରୋଗର ବିଭିନ୍ନ ପ୍ରକାର ଜୀବାଣୁ ଅଛନ୍ତି । ପ୍ରଥମେ ଦେହ ଅସୁସ୍ଥ ହେବା ପୂର୍ବରୁ ସେମାନେ ଦେହରେ ପ୍ରବେଶ କରନ୍ତି । ସେମାନେ ଏତେ କ୍ଷୁଦ୍ର ଯେ, ସେମାନଙ୍କୁ ଖାଲି ଆଖିରେ ଦେଖି ହୁଏ ନାହିଁ କିମ୍ବା ସେମାନେ ଶରୀରରେ ପ୍ରବେଶ କରିବା ସମୟରେ ଜଣାଯାଏ ନାହିଁ । ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେମାନେ ଦେଖାଯାଆନ୍ତି । ମନୁଷ୍ୟ ଶରୀରରେ ଯେଉଁ ରକ୍ତ ଥାଏ ସେ ରକ୍ତ ମଧ୍ୟରେ ଏକ ପ୍ରକାର ଜୀବାଣୁ ଅଛନ୍ତି । ତାହାକୁ ଶ୍ୱେତ କଣିକା କହନ୍ତି । ରକ୍ତର ଜୀବାଣୁ ରୋଗର ଜୀବାଣୁମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏମାନେ ରକ୍ତରେ ଥିଲେ ରକ୍ତ ପରିଷ୍କାର ଥାଏ । ଯେତେ ବେଶି ପରିମାଣରେ ଏମାନେ ରକ୍ତରେ ଥାଆନ୍ତି, ସେତେ ଆମ୍ଭମାନଙ୍କର ଭଲ । ରୋଗର ଜୀବାଣୁ ଶରୀରରେ ପ୍ରବେଶ କଲେ ରୋଗର ଜୀବାଣୁ ଓ ରକ୍ତର ଜୀବାଣୁଙ୍କର କଳି ହୁଏ । ଯଦି ରୋଗର ଜୀବାଣୁମାନେ ପରାସ୍ତ ହୁଅନ୍ତି ରକ୍ତର ଜୀବାଣୁମାନେ ସେମାନଙ୍କୁ ନଷ୍ଟ କରି ପକାନ୍ତି ଓ ଆମ୍ଭମାନଙ୍କୁ ରୋଗ ଆକ୍ରମଣ କରିପାରେ ନାହିଁ । ଯଦି ସେମାନେ ଜିଣନ୍ତି ତେବେ ସେମାନେ ରକ୍ତର ଜୀବାଣୁମାନଙ୍କୁ ନଷ୍ଟ କରି ଦିଅନ୍ତି ଓ ରକ୍ତକୁ କ୍ରମେ କ୍ରମେ ହତ କରି ପକାନ୍ତି । ଶେଷରେ ରୋଗର ଜୀବାଣୁ ସର୍ବ ଶରୀରରେ ବ୍ୟାପିଯାଇ ରୋଗ ଜନ୍ମାନ୍ତି ଓ ଆମ୍ଭମାନଙ୍କୁ ସେତେବେଳେ ରୋଗ ଭୋଗ କରିବାକୁ ହୁଏ । ସୁତରାଂ ରକ୍ତର ତେଜ ଥିବା ପର୍ଯ୍ୟନ୍ତ, ରକ୍ତ ଦୂଷିତ ନ ହେବା ପର୍ଯ୍ୟନ୍ତ କୌଣସି ରୋଗ ମନୁଷ୍ୟକୁ ଆକ୍ରମଣ କରି ନ ପାରେ । ସେଥିପାଇଁ ସାଧାରଣତଃ ଅବିବାହିତ ଯୌବନାବସ୍ଥାରେ ମନୁଷ୍ୟ ସୁସ୍ଥସବଳ ଓ ନିରୋଗ ଥାଏ ।

 

ସଂକ୍ରାମକ ରୋଗର ଜୀବାଣୁମାନେ ଚାରିଆଡ଼େ ବ୍ୟାପି ଯାଆନ୍ତି । ଅନ୍ୟ ରୋଗର ଜୀବାଣୁମାନଙ୍କ ଅପେକ୍ଷା ସେମାନେ ଦ୍ରୂତବେଗରେ ବିକ୍ଷିପ୍ତ ହୁଅନ୍ତି । ସେମାନେ ଜଳଦ୍ୱାରା, ଖାଦ୍ୟ ପଦାର୍ଥଦ୍ୱାରା ଓ ବାୟୁମଣ୍ଡଳରୁ ନିଶ୍ୱାସଦ୍ୱାରା ଆମ୍ଭମାନଙ୍କ ଶରୀରରେ ପ୍ରବେଶ କରନ୍ତି ।

 

ସେମାନଙ୍କ ଆକ୍ରମଣରୁ ରକ୍ଷା ପାଇବାକୁ ହେଲେ ବିଶେଷ ସାବଧାନ ହେବା ଦରକାର-। ରକ୍ତର ତେଜ ଓ ଶକ୍ତି ସର୍ବଦା ଅକ୍ଷୁର୍ଣ୍ଣ ରଖିବା ଦରକାର । ଖାଦ୍ୟ ପେୟ ପ୍ରତି ବିଶେଷ ସାବଧାନ ହେବା ମଧ୍ୟ ଉଚିତ ।

 

ତୁମ୍ଭେମାନେ ଦେଖିଥିବ, ସାଧୁସନ୍ନ୍ୟାସିମାନେ ପ୍ରାୟ ନିରୋଗ । ଏହାର ପ୍ରଧାନ କାରଣ, ସେମାନଙ୍କ ରକ୍ତରେ ଯଥେଷ୍ଟ ତେଜ ଓ ଶକ୍ତି ବିଦ୍ୟମାନ ଥିବାରୁ କୌଣସି ରୋଗ ସେମାନଙ୍କୁ ସହଜରେ ଆକ୍ରମଣ କରିପାରେନାହିଁ । ଆଉ ମଧ୍ୟ ସେମାନେ ପାନାହାରରେ ଓ ଚରିତ୍ରରେ ବଡ଼ ସଂଯତ । ତେଣୁ ସେମାନଙ୍କ ରକ୍ତରେ ବେଶି ତେଜ ଓ ଶକ୍ତି ଥାଏ । ପୁରାଣରେ ପୂର୍ବକାଳର ଲୋକମାନେ ବେଶି ଦିନ ବଞ୍ଚିବାର ଶୁଣିଥିବ । ଏହାର କାରଣ, ସେମାନେ ସର୍ବଦା ସର୍ବ କ୍ଷେତ୍ରରେ ବଡ଼ ସଂଯତ ଥିଲେ ।

 

ପୂର୍ବକାଳରେ ଏତେ ପ୍ରକାର ରୋଗ ଓ ଏତେ ପ୍ରକାର କବିରାଜ ନ ଥିଲେ । ବର୍ତ୍ତମାନ ଡାକ୍ତର କବିରାଜଙ୍କର ବୃଦ୍ଧି ସଙ୍ଗେ ସଙ୍ଗେ ରୋଗର ବୃଦ୍ଧି ହେଉଛି ଓ ରୋଗିଙ୍କର ସଂଖ୍ୟା ପ୍ରତିଦିନ ବଢ଼ୁଛି । ଏଥିରୁ ଜଣାଯାଏ ଯେ, ପୂର୍ବକାଳରେ ଲୋକେ ବଡ଼ ସଂଯତ ଥିଲେ; ମାତ୍ର ବର୍ତ୍ତମାନ ଆମ୍ଭେମାନେ ପାନାହାରରେ ଓ ଚରିତ୍ରରେ ସଂଯତ ନ ହୋଇ ଡାକ୍ତର ଓ କବିରାଜଙ୍କ ଉପରେ ନିର୍ଭର କରି, ଯଥେଚ୍ଛାଚାର ଜୀବନ ଯାପନ କରି ଶେଷରେ ରୋଗୀ ହୋଇ, ସେହିମାନଙ୍କର ଶରଣାପନ୍ନ ହୋଇ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥାଇଁ । ଏହା ମଧ୍ୟ ସମସ୍ତେ ଅନୁଭବ କରିଥିବେ ଯେ, ଲୋକେ ହଜମି ଖାଇ ସବୁ ଜୀର୍ଣ୍ଣ କରାଇ ଦେବା ଆଶାରେ ସମୟ ସମୟରେ ପ୍ରଚୁର ଖାଦ୍ୟ ଖାଇ ଶେଷରେ ରୋଗଗ୍ରସ୍ତ ହୁଅନ୍ତି । ଏ ବ୍ୟବହାର କେବଳ ଖାଦ୍ୟରେ ନୁହେ ବହୁକ୍ଷେତ୍ରରେ ହୋଇଥାଏ ଓ ଶେଷରେ ଏଥିପାଇଁ ଅନୁତାପ ମଧ୍ୟ କରିବାକୁ ହୁଏ । ଏ ସବୁ ଆମ୍ଭମାନଙ୍କର ସର୍ବଦା ରୋଗ ହେବାର କାରଣ ଓ ଅଳ୍ପ ଦିନରେ ଜୀବନ ଶେଷ ହେବାର ଲକ୍ଷଣ ।

 

ଅତଏବ ଆମ୍ଭମାନଙ୍କୁ ସଂକ୍ରାମକ ରୋଗ ତଥା ଅନ୍ୟାନ୍ୟ ରୋଗମାନଙ୍କରୁ ନିଷ୍କୃତି ପାଇବାକୁ ହେଲେ ପ୍ରଥମେ ଖାଦ୍ୟପେୟରେ ଓ ଚରିତ୍ରରେ ସଂଯତ ହେବାକୁ ହେବ । ଆମ୍ଭମାନଙ୍କର ଶରୀର ସବଳ କରିବା ପାଇଁ ଓ ରକ୍ତରେ ଶକ୍ତି ଓ ତେଜ ବିଶେଷ ଭାବରେ ଆଣିବା ପାଇଁ ମୁକ୍ତବାୟୁରେ ନିୟମିତ ବ୍ୟାୟାମ କରିବାକୁ ହେବ ଓ ମନ ସର୍ବଦା ଚିନ୍ତାଶୂନ୍ୟ ଓ ନିର୍ମଳ ରଖିବା ପାଇଁ ମୁକ୍ତବାୟୁରେ ଭ୍ରମଣ କରିବାକୁ ହେବ ।

Image

 

ବିସୂଚିକା

 

କାରଣ–ରଥଯାତ୍ରା ସମୟରେ ସାଧାରଣତଃ ପୁରୀରେ ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କରେ କଲେରା ବା ବିସୂଚିକା ହେବାର ଶୁଣିଥିବ । ରଥଯାତ୍ରାରେ ବହୁ ଦୂରଦେଶରୁ ବହୁ ଲୋକଙ୍କର ସମାଗମ ହୁଏ । ଯାତ୍ରିମାନେ ଘରୁ ବାହାରି ୨।୩ ଦିନ ଟ୍ରେନରେ ଅନିୟମିତ ପାନାହାରରେ କଟାନ୍ତି । ବାଟରେ ଯାହା ମିଳେ ପେଟ ବିକଳରେ ଭଲ ମନ୍ଦ ନ ବୁଝି, ପରିଷ୍କାର ଅପରିଷ୍କାର ପ୍ରତି ଦୃଷ୍ଟି ନ ଦେଇ କିଣି ଖାଆନ୍ତି । ଖାଦ୍ୟ ପ୍ରତି ସେମାନଙ୍କର ସେତେବେଳେ ଦୃଷ୍ଟ ରହେ ନାହିଁ । ବାଟରେ ଯେ ଜଳ ମିଳେ ସେହି ଜଳ ସେମାନେ ଖାଆନ୍ତି । ତା ପରେ ପୁଣି ରାତ୍ରିରେ ନିଦ୍ରା ନ ଥାଏ ଓ ଗାଡ଼ି ମଧ୍ୟରେ ବିଶେଷ ଜନତା ଯୋଗୁଁ ରୁଦ୍ଧ ହୋଇ ଯାଆନ୍ତି । ଗାଡ଼ି ଭିତର ମଧ୍ୟ ସେ ସମୟରେ ବଡ଼ ଅପରିଷ୍କାର ଥାଏ । ସେଥିରୁ ଏକ ରକମ ଦୁର୍ଗନ୍ଧ ବାଷ୍ପ ଉଠୁଥାଏ । ସେହି ଦୂଷିତ ବାୟୁ ସେମାନେ ନିଶ୍ୱାସରେ ଗ୍ରହଣ କରନ୍ତି । ଶେଷରେ ପୁରୀରେ ପହୁଞ୍ଚି ମଧ୍ୟ ଭଲ ବସାଘର ପାଆନ୍ତି ନାହିଁ ଓ ସେଠାରେ ଅତି ଖରାପ ଖାଦ୍ୟ ଖାଇ ଥାନ୍ତି । ତେଣୁ ଶେଷରେ କଲେରା ହୁଏ । ଏଥିରୁ ଦେଖାଯାଉଅଛି ଯେ, ଅନିୟମିତ ପାନାହାର, ନିଦ୍ରାହୀନତା, ବିଶେଷ ଜନତା ଓ ଅପରିଷ୍କୃତ ସ୍ଥାନରେ ବସବାସରୁ କଲେରାର ଆରମ୍ଭ ହୁଏ । ଏହା ଭିନ୍ନ ବିଶେଷ ଖାଇବା ଦ୍ୱାରା, ଖରାରେ ବିଶେଷ ବୁଲିବା ଦ୍ୱାରା ଓ ବର୍ଷାରେ ବିଶେଷ ଭିଜିବା ଦ୍ୱାରା ଆମ୍ଭମାନଙ୍କର ଖାଦ୍ୟ ରୀତିମତ ହଜମ ନ ହୋଇ ପ୍ରଥମେ ଅଜୀର୍ଣ୍ଣ ଓ ପରେ କଲେରା ହୋଇ ଯାଏ ।

ଲକ୍ଷଣ–ବିସୂଚିକାରେ ଝାଡ଼ା ପତଳା ହୁଏ ଏବଂ ସମୟ ସମୟରେ ଅଜୀର୍ଣ୍ଣ ଥିଲେ ଝାଡ଼ା ସଙ୍ଗରେ ଭୁକ୍ତ ଖାଦ୍ୟର ଅଂଶ ଅପରିପାକ ଅବସ୍ଥାରେ ପଡ଼େ, ବାନ୍ତି ହୁଏ । ରୋଗୀର ଦୁଇ ତିନି ଥର ଝାଡ଼ା ପରେ ମୁଖ ଶୁଷ୍କ ହୋଇ ଯାଏ, ଚକ୍ଷୁ ଇଷତ୍‌ ଲାଲ ହୋଇ ଯାଏ ଓ କୋଟର ମଧ୍ୟକୁ ପଶି ଗଲାପରି ଦିଶେ । ଶରୀରର ଉତ୍ତାପ ଆସ୍ତେ ଆସ୍ତେ କମିଯାଏ, ତୃଷା ହୁଏ । ପ୍ରସ୍ରାବ ହୁଏ ନାହିଁ । ସମୟ ସମୟରେ ଝାଡ଼ା ସଙ୍ଗେ ଗାଢ଼ ହଳଦି ବର୍ଣ୍ଣର ସାମାନ୍ୟ ପ୍ରସ୍ରାବ ହୁଏ । ରୋଗୀ ବଡ଼ ଦୁର୍ବଳ ହୋଇ ପଡ଼େ । ତାର ହାତ ଗୋଡ଼ ଘୋଳି ହୁଏ । ଗୋଡ଼ ଓ ହାତରୁ ସମୟ ସମୟରେ ବାକୁଲି ବାହାରେ ।

ବ୍ୟାପ୍ତି–ଏହା ଗୋଟିଏ ସଂକ୍ରାମକ ରୋଗ । ଏହାର ଜୀବାଣୁ ବଡ଼ ଦ୍ରୂତବେଗରେ ବିକ୍ଷିପ୍ତ ହୋଇ ଥାନ୍ତି । ରୋଗିର ବାନ୍ତି, ଝାଡ଼ା, ବିଛଣା, ଘର ଓ ସର୍ବ ଶରୀରରେ ଏହି ଜୀବାଣୁ ଗୁଡ଼ିକ ଥାଏ-। ରୋଗିକୁ ସ୍ପର୍ଶ କରିବାଦ୍ୱାରା, ଯେ ଘରେ ବା ତା’ର ବିଛଣାରେ ବସବାସ କରିବା ଦ୍ୱାରା ଓ ରୋଗୀ ଘରୁ ଜଳ ପିଇବା ବା ଖାଦ୍ୟଦ୍ରବ୍ୟାଦି ଖାଇବା ଦ୍ୱାରା ସେ ଗୁଡ଼ିକ ଅନ୍ୟମାନଙ୍କ ଶରୀରରେ ପ୍ରବେଶଲାଭ କରି ଥାନ୍ତି । ରୋଗିର ବାନ୍ତି ବା ଝାଡ଼ାଯୁକ୍ତ ଲୁଗା ବା ବିଛଣାଦି ପୁଷ୍କରିଣୀ ବା ଅନ୍ୟ ଜଳାଶୟରେ ଧୋଇବା ଦ୍ୱାରା ସେହି ଜୀବାଣୁ ଗୁଡ଼ିକ ଜଳରେ ମିଶନ୍ତି ଓ ସେହି ଜଳ ବ୍ୟବହାର କରିବା ଦ୍ୱାରା ସେ ଗୁଡ଼ିକ ଅନ୍ୟ ରୋଗିର ଶରୀରରେ ପ୍ରବେଶ କରେ ।

ପଥ୍ୟ–ରୋଗିର କ୍ଷୁଧା ହେଲେ ତାକୁ ଖୁବ୍‌ପତଳା ପାଣି ବାର୍ଲି ବା ଆରାରୁଟ ଅଳ୍ପ ଲବଣସହ ସାମାନ୍ୟ ପରିମାଣରେ ବାରମ୍ବାର ଦିଆ ଯାଇ ପାରେ । ପରେ ରୋଗୀ ରୋଗମୁକ୍ତ ହେଲେ ତହିଁରେ ଅଳ୍ପ ଦୁଗ୍ଧ ଓ ଚିନି ମିଶାଇ ପ୍ରଥମ ଦୁଇ ତିନି ଦିନ ଦିଆଯାଏ । କ୍ରମେ କ୍ରମେ ଦେହ ଟିକିଏ ସବଳ ହୋଇ ଆସିଲେ ପୁରୁଣା ଚାଉଳର ଭାତ, ଡାଲିର ପାଣି ଓ ସାମାନ୍ୟ ତରକାରି ଦିଆଯାଏ । ଲେମ୍ବୁ ସର୍ବଦା ଦିଆ ଯାଇପାରେ ।

ଚିକିତ୍ସା–ଏହି ରୋଗର ଜୀବାଣୁ ଗୁଡ଼ିକ ଅମ୍ଳଯୁକ୍ତ ପଦାର୍ଥରେ ବୃଦ୍ଧି ପ୍ରାପ୍ତ ହୋଇ ପାରନ୍ତି ନାହିଁ । ତେଣୁ ରୋଗୀକୁ ଆକ୍ରମଣାବସ୍ଥାରେ ଲେମ୍ବୁରସ ମିଶ୍ରିତ ଜଳ ପାନ କରିବାକୁ ଦିଆ ଯାଇଥାଏ । ରୋଗିକୁ ପ୍ରଥମାବସ୍ଥାରେ ଭୁକ୍ତ ଖାଦ୍ୟର ଅପରିପାକ ଅଂଶ ଝାଡ଼ା ଓ ବାନ୍ତି ସଙ୍ଗରେ ପଡ଼ୁଥିଲେ ଅର୍ଥାତ୍‌ ଅଜୀର୍ଣ୍ଣ ଦୋଷରୁ କଲେରା ହୋଇ ଥିଲେ ଭାସ୍କର ଲବଣ, ମହାଶଙ୍ଖ ବଟୀ, ଜାମୁରସ ବା ସ୍ୱଳ୍ପଅଗ୍ନିକୁମାର ପ୍ରଭୃତି ଔଷଧ ଅଗ୍ନି ଉଦ୍ଦୀପନାର୍ଥ ଦିଆ ଯାଇ ପାରେ । ବାନ୍ତି ବନ୍ଦ କରିବା ପାଇଁ ଚନ୍ଦ୍ରକାନ୍ତି ରସ, ପିପଲଦା ଲୌହ, ବୃଷଧ୍ୱଜ ରସ ପ୍ରଭୃତି ଅବସ୍ଥା ଭେଦରେ ଦିଆଯାଏ ଓ କର୍ପୂରଯୁକ୍ତ ଜଳ ମଧ୍ୟ ସମୟ ସମୟରେ ଦିଆ ଯାଇଥାଏ । ରୋଗର ପ୍ରଥମାବସ୍ଥାରେ କ୍ୟାମ୍ପର ଅର୍କ ଅଳ୍ପ ଚିନି ସହ ବା ଥଣ୍ଡା ଜଳରେ, କର୍ପୂରାରିଷ୍ଟ ଅଳ୍ପ ଥଣ୍ଡା ଜଳରେ ବା ଭାସ୍କର ଜଳ ଦେଲେ ବଡ଼ ଉପକାର ହୁଏ । ବାଳକମାନଙ୍କୁ କ୍ୟାମ୍ପର ଗୁଣ୍ଡାରୁ ୨ ଗ୍ରେନ ଓ ପ୍ରାପ୍ତବୟସ୍କ ବ୍ୟକ୍ତିକୁ ଥରକେ ୫ ଗ୍ରେନ ଦିଆଯାଏ । କର୍ପୂରାରିଷ୍ଟ ଓ କ୍ୟାମ୍ପର ଅର୍କ ୫ ଠାରୁ ୧୦ ବିନ୍ଦୁ ପର୍ଯ୍ୟନ୍ତ ବୟସ ଅନୁସାରେ ଦିଆଯାଏ । ପ୍ରଥମାବସ୍ଥାରେ ଅଫିମଅର୍କ ଦେଲେ ମଧ୍ୟ ଉପକାର ହୋଇଥାଏ । ଏହା ବର୍ଷିକିଆ ପିଲାକୁ ୧ ବିନ୍ଦୁ, ଦୁଇ ବର୍ଷର ବାଳକକୁ ୨ ବିନ୍ଦୁ ଏହିପରି ବର୍ଷ ହିସାବରେ ଦିଆ ଯାଏ । ଜଣେ ବେଶି ବୟସର ଲୋକକୁ ୨୦।୩୦ ବିନ୍ଦୁ ପର୍ଯ୍ୟନ୍ତ ଦିଆଯାଇ ଥାଏ । ରୋଗିର ଦେହରେ ଉତ୍ତାପ ଠିକ୍‌ ରଖିବା ପାଇଁ ତାର ଗୋଡ଼ ତଳ ଓ ହାତ ପାପୁଲି ଭଲକରି ଘସିବା ଦରକାର । ପ୍ରସ୍ରାବ କରାଇବା ପାଇଁ ଦିଅଣାର କ୍ୱାଥ ସମୟ ସମୟରେ ଦିଆ ଯାଏ । ଯଦି ମଳମୂତ୍ର ରୋଧ ହୋଇ ପେଟ ଦରଜ ହୋଇ ଯାଏ, ତେବେ ସ୍ୱଳ୍ପ ପଦ୍ମରସ ଇକ୍ଷୁ ଚିନିସହ ସେବନ କଲେ ବା ମୂଷାଲଣ୍ଡି ଓ ଯବଖାର ଏକତ୍ର ବାଟି ପେଟରେ ଲେପ ଦେଲେ ପ୍ରସ୍ରାବ ହୁଏ । ସମୟ ସମୟରେ ଗେଣ୍ଡୁକୁସୁମ କେଶର ମଧ୍ୟ ବଟା ହୋଇ ପ୍ରଲେପ ଦିଆ ଯାଇଥାଏ । ପେଟରେ ବେଦନା ଥିଲେ ତହିଁରେ ତାର୍ପିନ ତେଲ ମାଲିସ୍‌ କରି ଉଷ୍ମ ଜଳପାତ୍ର ପେଟ ଉପରେ ରଖି ଜଳ ଭାଙ୍ଗିଲେ ବେଦନା ଭଲ ହୁଏ ।

ବିସୂଚିକାର ଟିକା–ବସନ୍ତ ରୋଗରୁ ରକ୍ଷା ପାଇଁ ଟିକା ନେଲା ପରି ବିସୂଚିକାର ରକ୍ଷା ପାଇଁ ଟିକା ମଧ୍ୟ ନିଆ ଯାଏ । ଏ ଟିକାର ଗୁଣ ବେଶି ଦିନ ସ୍ଥାୟୀ ହୁଏ ନାହିଁ । ଗୋଟିଏ ତରଳ ରସବିଶିଷ୍ଟ ଔଷଧ ସାମାନ୍ୟ ପରିମାଣରେ ଗୋଟିଏ ଫମ୍ପା ସୂଚି ସାହାଯ୍ୟରେ ଜଙ୍ଘର ଉପରିଭାଗରେ ଚମ ଦେହରେ ଫୋଡ଼ି ପ୍ରବେଶ କରାଇ ଦିଅନ୍ତି । ଏହି ଟିକା ନେବା ପରେ ଟିକିଏ ଜ୍ୱର ଓ ମୁଣ୍ଡ ବ୍ୟଥା ହୋଇ ଅଳ୍ପ ସମୟରେ ଛାଡ଼ିଯାଏ । ବିସୂଚିକାର ଆରମ୍ଭ ସମୟରେ ଏହି ଟିକା ନେବା ପ୍ରଶସ୍ତ ।

ପ୍ରତିଶୋଧ–କଲେରା ରୋଗଗ୍ରସ୍ତ ରୋଗିର ମଳ ଓ ବମନଯୁକ୍ତ ଲୁଗାଦି ଓ ବିଛଣା ପ୍ରଭୃତି ପୁଷ୍କରିଣୀ ବା ଅନ୍ୟ କିଛି ଜଳାଶୟରେ ନ ଧୋଇ ଗରମ ଜଳରେ କାର୍ବଲିକ ସାବୁନ ଦେଇ ଅନ୍ୟତ୍ର ଧୋଇବା ଦରକାର । ତାହାହେଲେ ଜୀବାଣୁମାନେ ମରି ଯାଆନ୍ତି ସୁତରାଂ ଆଉ ବିକ୍ଷିପ୍ତ ହୋଇ ପାରନ୍ତି ନାହିଁ । ଉକ୍ତ ମଳ ଓ ବମନାଦି ପୋତି ଦେଲେ ଆହୁରି ଭଲ । ବିସୂଚିକା ସମୟରେ ସିଦ୍ଧ ଜଳ ପାନୀୟ ଜଳରୂପେ ବ୍ୟବହାର କରିବା ଦରକାର ନଚେତ୍‌ ଜୀବାଣୁ ଜଳ ମଧ୍ୟରେ ଥିଲେ ପିଇବା ସମୟରେ ଦେହରେ ପ୍ରବେଶ କରି ଥାଆନ୍ତି । ରୋଗିକୁ ସ୍ପର୍ଶ କଲେ ବା ତା ପାଖରେ ଜଗି ବସିଲେ କିଛି ଖାଇବା ପୂର୍ବରୁ ହସ୍ତପଦାଦି ପରିଷ୍କାର କରି ଧୋଇ ଓ ପିନ୍ଧିଥିବା ଲୁଗା ପୋଷାକଆଦି ଧୋଇ ଖାଇବାକୁ ହୁଏ । ଖାଲି ପେଟରେ କଲେରା ରୋଗୀ ପାଖକୁ ଯିବା ଠିକ ନୁହେ । ରୋଗୀ ଘରେ କିଛି ଖାଦ୍ୟଦ୍ରବ୍ୟ ଖାଇବା ଉଚିତ ନୁହେ, କାରଣ ତହିଁ ସଙ୍ଗରେ ରୋଗର ଜୀବାଣୁ ଗୁଡ଼ିକ ଶରୀରରେ ପ୍ରବେଶ କରି ଥାଆନ୍ତି । ଏହି ସମୟରେ ଥଣ୍ଡା ଦୁଧ, ଦହି, ଛେନା ବା ଯେ କୌଣସି ମିଷ୍ଟାନ୍ନ ବଜାରରୁ କିଣି ଖାଇବା ଠିକ୍‌ ନୁହେ । ଏହି ସମୟରେ ଦାଣ୍ଡରୁ ଯେଉଁ ପନିପରିବାଦି କିଣାଯାଏ, ତାକୁ ଉତ୍ତମ ରୂପେ ଧୋଇ ଦେବା ଆବଶ୍ୟକ, କାରଣ ସେ ସବୁରେ ଜୀବାଣୁ ଥାଇ ପାରନ୍ତି ।

Image

 

ମାଲେରିଆ

 

କାରଣ–ମାଲେରିଆ ବଙ୍ଗ ପ୍ରଦେଶର ମୁର୍ଶିଦାବାଦ ଓ ନଦୀଆ ଜିଲାରେ ବେଶି ହୁଏ । ଆଜି କାଲି ବାଲେଶ୍ୱରରେ ମଧ୍ୟ ଏହି ରୋଗ ଦେଖା ଯାଉଅଛି । ଏ ସବୁ ସ୍ଥାନ ଅତ୍ୟନ୍ତ ନୀଚ । ବର୍ଷା ଦିନରେ ଏ ସବୁ ସ୍ଥାନରେ ଜଳ ଜମେ ଏବଂ ଜଳ ଜମିବାଦ୍ୱାରା ଘରର ଚାରିଆଡ଼ ସନ୍ତସନ୍ତିଆ ହୋଇ ଥାଏ । ଘର ଗୁଡ଼ିକ ମଧ୍ୟ ସନ୍ତାଏ । ଆଉ ମଧ୍ୟ ଏହି ସ୍ଥାନମାନଙ୍କର ଜଳାଶୟମାନଙ୍କରେ ଏକପ୍ରକାର ଦଳ ଅଛି । ଏହି ଦଳର ପତ୍ର ବଡ଼ ବଡ଼ ଓ ବହଳ । ଏହାର ନୀଳବର୍ଣ୍ଣ ପେନ୍ଥା ପେନ୍ଥା ଫୁଲ ହୁଏ । ଏହି ଫୁଲ ବିଷାକ୍ତ । ଏହି ଫୁଲକୁ ଖାଇଲେ ସାନ ସାନ ପିଲାମାନେ ମରି ଯାଆନ୍ତି । ଏହାକୁ ପୁରୀ ଜିଲାରେ ‘ବିଲାତି ଦଳ’ କହନ୍ତି । ଏହି ଦଳ ପାଣିକୁ ଅତ୍ୟନ୍ତ ଖରାପ କରିପକାଏ । ସେ ପାଣି ପିଇବାର ଅଯୋଗ୍ୟ ହୁଏ ଓ ଦୁର୍ଗନ୍ଧଯୁକ୍ତ ଇଷତ୍‌ ଲାଲରଙ୍ଗର ହୋଇଯାଏ । ତାହା କ୍ରମେ ଏତେ ବିଷାକ୍ତ ହୋଇ ଉଠେ ଯେ, ତହିଁରେ ବାସ କରୁଥିବା ମାଛମାନଙ୍କର ଆକୃତି ବିଭିନ୍ନ ହୋଇ ଯାଏ । ସେମାନେ ଖୁବ୍‌ ସରୁ ହୋଇ ଯାଆନ୍ତି ଓ ମୁଣ୍ଡଟି ଖୁବ୍‌ ବଡ଼ ହୋଇ ଯାଏ । ଏ ସବୁ ମାଲେରିଆ ହେଉଥିବା ସ୍ଥାନମାନଙ୍କରେ ନାନା ପ୍ରକାର ଅନେକ ବୁଦା ଦେଖିବାକୁ ମିଳେ । ଏପରି କି ମୁର୍ଶିଦାବାଦରେ ପ୍ରାୟ ପ୍ରତିଘର ପାଖରେ ବାଉଁଶ ବୁଦା ଥାଏ । ରାସ୍ତା ବର୍ଷା ଦିନରେ ସର୍ବଦା କର୍ଦମଯୁକ୍ତ ହୋଇ ଥାଏ । ଏ ସବୁ ମଇଲା ଜଳ ଓ ତହିଁରେ ପତ୍ର ସବୁ ପଡ଼ି ପଚିଯାଇ ତହିଁରୁ ଏକ ପ୍ରକାର ମଶା ଜନ୍ମନ୍ତି । ସେହି ମଶା କାମୁଡ଼ିଲେ ସେମାନଙ୍କ ଦେହରୁ ବିଷ ମନୁଷ୍ୟ ଦେହରେ ପଶିବାଦ୍ୱାରା ଓ ସେହି ଦୁର୍ଗନ୍ଧ ବାୟୁ ନିଶ୍ୱାସ ରୂପେ ଗ୍ରହଣ କରିବା ଦ୍ୱାରା ମାଲେରିଆ ରୋଗ ଜାତ ହୁଏ ।

 

ଲକ୍ଷଣ–ଏହି ଜ୍ୱରରେ ଶରୀରର ଉତ୍ତାପ ଖୁବ୍‌ ବଢ଼େ । ସମୟ ସମୟରେ ୧୦୪ ଡିଗ୍ରୀପର୍ଯ୍ୟନ୍ତ ମଧ୍ୟ ଯାଏ । ଏ ଜ୍ୱର ବେଶି ସମୟ ଦେହରେ ରହେ ନାହିଁ । ଅଳ୍ପ ସମୟ ମଧ୍ୟରେ ଛାଡ଼ି ଯାଏ । ଏହି ରୋଗିମାନଙ୍କର ପରିପାକ ଶକ୍ତି କମିଯାଏ । ଗଠନ କ୍ରମେ ଅସୁନ୍ଦର ହୋଇ ଯାଏ । ଏହି ଜ୍ୱର ବେଶି ଦିନ ରହିଲେ ଦେହର ତେଜ କମିଯାଏ, ଶରୀର ବିବର୍ଣ୍ଣ ହୋଇ ଯାଏ ଓ ସର୍ବାଙ୍ଗ ଶୁଖି ଯାଇ କେବଳ ପେଟଟି ବଡ଼ ହୋଇ ବାହାରକୁ ଦିଶେ । ଏହି ଜ୍ୱରରୁ ପ୍ଳିହା ଯକୃତାଦିର ବୃଦ୍ଧି, ପାଳିଜ୍ୱର, ବିଷମ ଦ୍ୱୈକାଳୀକଜ୍ୱର, ଶୋଥ, ଉଦରୀ ପ୍ରଭୃତି ନାନାବିଧ ରୋଗ ଜାତ ହୁଏ । ଏହି ଜ୍ୱରର ତରୁଣ ଆକ୍ରମଣରେ ପ୍ରାୟ ତିନୋଟି ଅବସ୍ଥା ଦେଖାଯାଏ, ଯଥା- ଶୀତାବସ୍ଥା, ଉଷ୍ମାବସ୍ଥା, ଘର୍ମାବସ୍ଥା । ଶୀତାବସ୍ଥାରେ ପ୍ରଥମରେ ଶୀତ ପରେ ପ୍ରବଳ କମ୍ପ, ଶରୀରରେ ବେଦନା ଓ ମୁଣ୍ଡ ଦପଦପ କରେ, ଉଷ୍ମାବସ୍ଥାରେ ମୁଣ୍ଡ ଧରେ, ମୁଖମଣ୍ଡଳ ଲାଲବର୍ଣ୍ଣ ହୁଏ, ଶରୀରର ଚର୍ମ ଶୁଷ୍କ ହୁଏ । ପିପାସା, ଶ୍ୱାସ ପ୍ରଶ୍ୱାସର କଷ୍ଟ ଓ ବମନ ବା ବନନେଚ୍ଛା ହୋଇ ଥାଏ । ଏହି ସମୟରେ ଶରୀରର ତାପ ୧୦୧ ଠାରୁ ୧୦୭ ଡିଗ୍ରୀ ପର୍ଯ୍ୟନ୍ତ ହୁଏ । ଗାତ୍ରଦାହ ଆରମ୍ଭ ହେଲେ ଶୀତ କମିଯାଏ ଓ କେତେକ ସମୟ ପରେ ଘର୍ମାବସ୍ଥା ଉପସ୍ଥିତ ହୁଏ । ପୁରାତନ ହେଲେ ସମୟ ସମୟରେ ଶୀତାବସ୍ଥା ଓ ଘର୍ମାବସ୍ଥାର ଅଭାବ ହୋଇ ଥାଏ ।

 

ଚିକିତ୍ସା–ମାଲେରିଆରେ କୁଇନାଇନ ପରି ଆଉ ଭଲ ଔଷଧ ନାହିଁ । ଏହି ରୋଗିମାନଙ୍କର କୁଇନାଇନ ପ୍ରତ୍ୟହ ବ୍ୟବହାର କରିବା ବିଧେୟ । ଏହି ରୋଗ ପାଇଁ ‘ମାଲେରିଲ’ ବୋଲି ଗୋଟିଏ ଔଷଧ କେତେକ ବର୍ଷ ହେଲା ବାହାରି ଅଛି । ସେ ଔଷଧ ବ୍ୟବହାରରେ ଅନେକ ସ୍ଥାନରେ ଏ ରୋଗ ଭଲ ହେବାର ଦେଖା ଅଛି । ପୁରୁଣା ନିମଗଛର ଛେଲି ସିଝାଇ ପ୍ରତ୍ୟହ ପାନ କଲେ ଏହି ରୋଗ ଆରୋଗ୍ୟ ହୋଇପାରେ । ଜ୍ୱର ନ ଥିବା ସମୟରେ ଉକ୍ତ ଔଷଧମାନ ସେବନୀୟ ।

 

ପଥ୍ୟ–ଏହି ରୋଗିମାନଙ୍କର ସର୍ବଦା ଲଘୁପାକ ଖାଦ୍ୟ ବ୍ୟବହାର କରିବା ପ୍ରଶସ୍ତ, କାରଣ ଏହି ରୋଗ ସଙ୍ଗେ ସଙ୍ଗେ ଜୀର୍ଣ୍ଣ ଶକ୍ତି କମିଯାଇ ଥାଏ । ପଥ୍ୟପ୍ରତି ତୀବ୍ର ଦୃଷ୍ଟି ନ ଦେଇ ଲୋଭପରବଶ ହୋଇ ଅପଥ୍ୟ କଲେ ବାରମ୍ବାର ଏହି ରୋଗ ଭୋଗିବାକୁ ହୁଏ ।

 

ବ୍ୟାପ୍ତି–ଏହି ରୋଗର ଜୀବାଣୁ ରୋଗର ସଙ୍ଗେ ସଙ୍ଗେ ଥାଆନ୍ତି । ରୋଗିମାନ ଯେ ସ୍ଥାନକୁ ଯାଆନ୍ତି ଏ ଜୀବାଣୁମାନେ ସେସ୍ଥାନରେ ବିକ୍ଷିପ୍ତ ହୁଅନ୍ତି । ତେବେ ଏମାନେ ବିସୂଚିକାର ଜୀବାଣୁପରି ଅତି ଶୀଘ୍ର ବିକ୍ଷିପ୍ତ ହୋଇପାରନ୍ତି ନାହିଁ । ଏମାନେ ମଧ୍ୟ ଜଳଦ୍ୱାରା ଖାଦ୍ୟପଦାର୍ଥଦ୍ୱାରା ଓ ମଶକମାନଙ୍କଦ୍ୱାରା ବିକ୍ଷିପ୍ତ ହୋଇଥାନ୍ତି । ସେହି ମଶକମାନେ ସନ୍ତସନ୍ତିଆ ଜମି ବ୍ୟତୀତ ଅନ୍ୟ ସ୍ଥାନରେ ଜନ୍ମନ୍ତି ନାହିଁ ।

 

ପ୍ରତିଶୋଧକ–ଏହି ମଶକମାନଙ୍କଠାରୁ ରକ୍ଷା ପାଇବାକୁ ହେଲେ, ମଶାରିରେ ନିତାନ୍ତ ପ୍ରୟୋଜନ । ରାତ୍ରିରେ ଏମାନେ ବେଶି କାମୁଡ଼ନ୍ତି । ଅତଏବ ରାତ୍ରିରେ ମଶାରି ଟାଣି ଶୋଇବା ନିତାନ୍ତ ଦରକାର । ଯେଉଁ ସ୍ଥାନମାନଙ୍କରେ ଜଳ ଜମୁଥିବ ସେ ସ୍ଥାନ ସବୁ ପୋତି ପକାଇଲେ ଆଉ ଜଳଜମି ଭୂମି ଓ ଘରଦ୍ୱାର ସନ୍ତାଏ ନାହିଁ । ଅତଏବ ମଶାମାନେ ଆଉ ଡିମ୍ବ ଦେଇପାରନ୍ତି ନାହିଁ । ଘରକୁ ଉଚ୍ଚ ସ୍ଥାନରେ କରିବା ଦରକାର । ତାହାହେଲେ ଘର ସୂର୍ଯ୍ୟକିରଣ ପାଇବ, ମୁକ୍ତବାୟୁ ପାଇବ ଓ ସନ୍ତାଇବ ନାହିଁ । ଘରର ଚାରିପାଖରେ ସାନ ସାନ ବୁଦା ଓ ବାଉଁଶବୁଦା ରଖିବା ଠିକ୍‌ ନୁହେ, କାରଣ ତହିଁରେ ମଶାମାନେ ବାସ କରନ୍ତି । ଘର ଓ ଘରର ଚାରିପାଖ ସର୍ବଦା ପରିଷ୍କାର ଥିବା ଦରକାର । ଜଳାଶୟମାନଙ୍କରୁ ସେହି ଦଳମାନଙ୍କର ଦୂରୀକରଣ ଏକାନ୍ତ ପ୍ରୟୋଜନ । ସେ ଦଳ ଯେ କେବଳ ଜଳ ନଷ୍ଟ କରେ ତାହା ନୁହେ ଏହା ଜଳାଶୟକୁ ମଧ୍ୟ ତିନି ଚାରିବର୍ଷରେ ପୋତି ପକାଏ । ସେ ଦଳକୁ କେବଳ ଜଳରୁ କାଢ଼ି ଦେଲେ ତାର ଶେଷ ହୁଏ ନାହିଁ । ତାକୁ ପୋତି ନ ଦେଲେ ପୁଣି ପାଣି ଲାଗିଲେ ତାହା ବଞ୍ଚି ଉଠେ । ସେହି ଦଳ ବର୍ତ୍ତମାନ ଓଡ଼ିଶାର ସର୍ବତ୍ର ବ୍ୟାପି ଗଲାଣି । ଯେପରି ଜଣାଯାଏ, ଦିନେ ସମୁଦାୟ ଓଡ଼ିଶା ମାଲେରିଆର ରଙ୍ଗଭୂମିରେ ପରିଣତ ହେବ । ସେଥିପାଇଁ ପ୍ରତ୍ୟେକର ଆଗରୁ ସାବଧାନ ହୋଇ ସେହି ଦଳର ଦୂରୀକରଣ ଓ ଭସ୍ମିକରଣର ଚେଷ୍ଟା କରିବା ଅବଶ୍ୟ କର୍ତ୍ତବ୍ୟ ।

Image

 

ବସନ୍ତ

 

କାରଣ–ବସନ୍ତ ରୋଗ ସାଧାରଣତଃ ବସନ୍ତରୁତୁରେ ହୋଇଥାଏ । ତେଣୁ ରୁତୁ ଅନୁସାରେ ଏହାର ନାମ ବସନ୍ତ ହୋଇଛି । ଏ ରୋଗର ଜୀବାଣୁ ବସନ୍ତ ସମୟରେ ଜନ୍ମନ୍ତି । ଦକ୍ଷିଣାପବନ ସଙ୍ଗେ ଏ ରୋଗର ବଡ଼ ସମ୍ବନ୍ଧ ଅଛି । ଶୀତ ଦିନରେ ମନୁଷ୍ୟମାନେ ନିଜ ନିଜ ଶରୀର ସର୍ବଦା ଶୀତରୁ ରକ୍ଷା ପାଇବା ପାଇଁ ଆବୃତ କରି ରଖିଥାନ୍ତି, ମାତ୍ର ବସନ୍ତ ରୁତୁରେ ଦକ୍ଷିଣାପବନ ବହିଲେ ଦେହ ଖୋଲା ରଖନ୍ତି । ସେହି ମୁକ୍ତ ଦକ୍ଷିଣାପବନ ମୁକ୍ତ ଦେହରେ ଲାଗେ । ଶୀତ ଦିନରେ ପବନ ସହିବାର ଅଭ୍ୟାସ ନ ଥାଏ । ହଠାତ୍‌ ଏ ପରିବର୍ତ୍ତନରେ ପ୍ରଥମେ ସର୍ଦ୍ଦି, ପରେ ଜ୍ୱର ହୁଏ । କାହାରି କାହାରି ମଧ୍ୟ ବସନ୍ତ ହୋଇଥାଏ ।

 

ଲକ୍ଷଣ–ଏହି ରୋଗ ପ୍ରଧାନତଃ ଦୁଇ ପ୍ରକାର– ସଂଯୁକ୍ତ ବସନ୍ତ ଓ ଅସଂଯୁକ୍ତ ବସନ୍ତ । ଦୁଇ ବା ତତୋଧିକ ଗୋଟିଏ ବସନ୍ତ ଏକତ୍ର ମିଳିତ ହୋଇଗଲେ ତାକୁ ସଂଯୁକ୍ତ ବସନ୍ତ ଓ ପୃଥକ୍‌ ପୃଥକ୍‌ ଅସଂଲଗ୍ନ ଭାବରେ ବସନ୍ତ ବାହାରିଲେ ତାକୁ ଅସଂଯୁକ୍ତ ବସନ୍ତ କହନ୍ତି । ଅସଂଯୁକ୍ତ ଅପେକ୍ଷା ସଂଯୁକ୍ତ ବସନ୍ତ ବେଶି ଭୟାବହ ଓ କଷ୍ଟ ଦାୟକ ।

 

ଗୋଟି ବାହାରିବା ପୂର୍ବରୁ ପ୍ରଥମେ ଜ୍ୱର ହୁଏ । ଏହି ଜ୍ୱରରେ ଖୁବ୍‌ ଉତ୍ତାପ ଉଠେ । ସମୟ ସମୟରେ ୧୦୪ରୁ ୧୦୬ ଡ଼ିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ଉତ୍ତାପ ଉଠିଥାଏ । ରୋଗିର ପେଟ ଭାରି ବୋଧ ହୁଏ ଓ ବମନ ବା ବମନୋବ୍ଦେଗ ଦେଖାଯାଏ । ପିଠିରେ ଖୁବ୍‌ ବେଦନା ହୁଏ ଓ ସର୍ବ ଶରୀରରେ ସୂଚି ପୋତିଲାପରି ବେଦନା ହୁଏ, ମୁଣ୍ଡବ୍ୟଥା ହୁଏ, ଖୁବ୍‌ ସର୍ଦ୍ଦିର ଲକ୍ଷଣ ଦେଖାଯାଏ । ଆଖି ଓ ନାକରୁ ପାଣି ବହେ । ଏହି ଜ୍ୱର ଏକାଦିକ୍ରମେ ତିନି ଚାରିଦିନ ପର୍ଯ୍ୟନ୍ତ ରହିଥାଏ । ପରେ ୩ୟ ବା ୪ର୍ଥ ଦିନ ପ୍ରଥମେ ମୁଖ ଓ କପାଳରେ ବା ହାତରେ କବ୍ଜା ନିକଟରେ ବସନ୍ତର ଗୋଟି ଦେଖାଯାଏ । ପରେ ଦୁଇ ଏକଦିନ ମଧ୍ୟରେ ସର୍ବ ଶରୀରରେ ଗୋଟି ବାହାରେ । ଏହି ଗୋଟି ସବୁ ପ୍ରଥମେ ଲାଲ ଲାଲ ବିନ୍ଦୁ ଆକାରରେ ବାହାରେ, ପରେ କ୍ରମେ ବଡ଼ ହୁଏ । ଏହି ସବୁ ଗୋଟିର ଉପରି ଭାଗ ଟିକିଏ ଚେପ୍ଟା ଦିଶେ । ତା ପରେ ଏହା ମଧ୍ୟରେ ରସ ଜମେ ଓ ପରେ ପାଚିଯାଇ ଏହା ମଧ୍ୟରେ ପୂଜ ହୁଏ । ପ୍ରଥମରୁ ଚାରିପାଖ ପାଚେ । ସପ୍ତମ ଓ ଅଷ୍ଟମ ଦିବସରେ ଗୋଟିଗୁଡ଼ିକ ସମ୍ପୂର୍ଣ୍ଣ ପାଚିଯାଏ । ତାର ପର ଗୋଟିଗୁଡ଼ିକ ଫାଟିଯାଇ ତହିଁରୁ ପୂଜ ନିର୍ଗତ ହୁଏ ଓ ୧୫।୧୬ ଦିନ ମଧ୍ୟରେ ସବୁ ଶୁଖିଯାଏ । ବସନ୍ତର ଗୋଟି ସବୁ ଦେହରେ ବାହାରିବା ପରେ ଜ୍ୱର ଛାଡ଼ିଯାଏ ଓ ପୁନର୍ବାର ପାଚିବାକୁ ଆରମ୍ଭ କଲାବେଳେ ଆଉଥରେ ଜ୍ୱର ହୁଏ । ଗୋଟି ସବୁ ଫାଟିଯିବା ପରେ ଜ୍ୱର ପୁନର୍ବାର ଛାଡ଼ିଯାଏ । ଏହି ଦ୍ୱିତୀୟବାରର ଜ୍ୱରଟି ବଡ଼ ଆଶଙ୍କାର ଜ୍ୱର । ଏହି ଜ୍ୱରପାଇଁ ଖୁବ୍‌ ସାବଧାନ ହେବା ଦରକାର । ଏ ସମୟରେ ପ୍ରାୟ ଅନେକଙ୍କର ମୃତ୍ୟୁ ହୋଇଥାଏ । ଏହାକୁ ସେକଣ୍ଡାରି ଫିଉର (Secondary fever) କହନ୍ତି ।

 

ଚିକିତ୍ସା–ପୂର୍ବକାଳରେ ବସନ୍ତକୁ ଦେବୀଙ୍କର ଆବିର୍ଭାବ ମନେକରି କିଛି ଔଷଧ ବ୍ୟବହାର ନ କରି ଦେବୀଙ୍କର ଉପାସନା କରୁଥିଲେ । ଆଜି କାଲି ମଧ୍ୟ ଅନେକ ସ୍ଥାନରେ ସେହିପରି ହୋଇ ଥିବାର ଦେଖାଯାଏ । କେତେକ ସ୍ଥାନରେ ରୋଗିର ବିଛଣାରେ ନିମପତ୍ର ବିଛାଇ ରୋଗିକୁ ତା ଉପରେ ଶୁଆଇ ଦେଇ ତାକୁ ନିମପତ୍ର ବ୍ୟଜନରେ ବିଞ୍ଚନ୍ତି । ବର୍ତ୍ତମାନର ଚିକିତ୍ସା ସେ ସବୁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ରୋଗିକୁ ଗୋଟିଏ ଅନ୍ଧକାର ଘରେ ଶୁଆଇ ରଖନ୍ତି । ଘରଟି ଅନ୍ଧକାର ସତ୍ୟ, ମାତ୍ର ରୁଦ୍ଧ ନୁହେଁ । ତହିଁରେ ଯେପରି ବାୟୁ ଚାଳନ ହୁଏ ସେଥି ପ୍ରତି ଦୃଷ୍ଟି ଦିଆ ଯାଏ । ରୋଗିର ବିଛଣା ସର୍ବଦା ପରିଷ୍କାର ରଖିବାକୁ ହୁଏ । ସେ ଘରେ ଦୁର୍ଗନ୍ଧ ନିବାରଣାର୍ଥ ଝୁଣାର ଧୂଆଁ ଦିଆ ଯାଏ । ଗୋଟି ସବୁ ଶୁଖିବାକୁ ଆରମ୍ଭ କଲେ ଗରମ ପାଣିରେ ଗାମୁଛା ଭିଜାଇ ଦେହ ପରିଷ୍କାର କରି ଦେବାକୁ ହୁଏ । ଗଧ ଦୁଧରେ ପରିଷ୍କାର ଲୁଗା ଭିଜେଇ ରୋଗୀ ମୁଖ ଘୋଡ଼ାଇ ରଖିବା ବିଧେୟ । ରୋଗିକୁ ଦେହ କୁଣ୍ଡାଇବାକୁ ଦେବା ଠିକ୍‌ ନୁହେ, କାରଣ ରୋଗୀ ହୁଏ ତ ଗୋଟି ଗୁଡ଼ିକ କୁଣ୍ଡାଇ ସେହି ହାତ ସମୟରେ ଆଖିରେ ଲଗାଇ ଦେବ । ସେ ହାତ ଆଖିରେ ଲଗାଇଲେ ଆଖି ନଷ୍ଟ ହୋଇ ଯିବାର ସମ୍ଭାବନା ।

 

ପଥ୍ୟ–ରୋଗିକୁ ମତ୍ସ୍ୟ ମାଂସ ଓ ଡିମ୍ବ ଖାଇବାକୁ ଦେବା ଆଦୌ ଉଚିତ ନୁହେଁ । କେବଳ ଶାଗୁ, ବାର୍ଲି, ଆରାରୁଟ, ଗଧର ଦୁଧ ଓ ବେଦାନା ପ୍ରଭୃତି ଲଘୁପାକ ଆହାର ଦିଆଯାଏ ।

 

ବ୍ୟାପ୍ତି–ଏହି ରୋଗର ଜୀବାଣୁ ରୋଗିର ଦେହରେ, ପରିଚ୍ଛଦରେ, ବିଛଣାରେ ଓ ସେହି ଗୃହରେ ଥାଆନ୍ତି । ଏମାନେ ବଡ଼ ବେଗରେ ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୁଅନ୍ତି । ବିସୂଚିକାର ଜୀବାଣୁମାନଙ୍କ ପରି ଜଳଦ୍ୱାରା, ବାୟୁଦ୍ୱାରା, ଖାଦ୍ୟପଦାର୍ଥଦ୍ୱାରା ଓ ରୋଗିଦ୍ୱାରା ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୁଅନ୍ତି । ବସନ୍ତରୋଗିକୁ ସ୍ପର୍ଶ କଲେ ହସ୍ତାଦି ଧୋଇବାକୁ ହୁଏ ଓ ପରିଚ୍ଛଦାଦି ଧୋଇ ସ୍ନାନ କରିବାକୁ ହୁଏ । ଟିକା ନ ଦେଇଥିବା ଲୋକର ବସନ୍ତରୋଗୀ ପାଖକୁ ଯିବା ଠିକ୍‌ ନୁହେ । କାରଣ ସେମାନଙ୍କର ବସନ୍ତ ହେବାର ସମ୍ଭାବନା । ବସନ୍ତ ରୋଗିର ପରିଚ୍ଛଦାଦି ପୋଡ଼ି ଦେବା ବେଶି ଭଲ-। ଯଦି ପୋଡ଼ିବା କ୍ଷତିକର ମନେ ହୁଏ, ତେବେ ସେ ସବୁ କାର୍ବଲିକସାବୁନ ଦେଇ ଗରମ ପାଣିରେ ଭଲ କରି ଧୋଇ ଦେଲେ ମଧ୍ୟ ଚଳେ । ବସନ୍ତ ରୋଗିର ଦେହରେ ଜୀବାଣୁ ବହୁ ଦିନ ପର୍ଯ୍ୟନ୍ତ ରହନ୍ତି । ଏପରି କି ବସନ୍ତର ଗୋଟି ସବୁ ଶୁଖି ଯିବାର କିଛିଦିନପର ପର୍ଯ୍ୟନ୍ତ ମଧ୍ୟ ସେମାନେ ଥାଆନ୍ତି । ବସନ୍ତ ରୋଗୀ ସଙ୍ଗରେ ବା ତାର ଘରେ ପାନାହାର ନିଷିଦ୍ଧ ।

 

ପ୍ରତିଶେଧକ–ବସନ୍ତ ଋତୁରେ ବଡ଼ ନିମଗଛର ଛେଲି ପ୍ରତ୍ୟହ ଖାଇଲେ ବସନ୍ତର ଆଶଙ୍କା ଟିକିଏ କମିଯାଏ । ଅବିର ଓ ହଳଦି ମଧ୍ୟ ଏହାର ପ୍ରତିଶେଧକ । କେତେକ ମଧ୍ୟ ନିମ ଓ ହଳଦି ଏକତ୍ର ବାଟି ଦେହରେ ଲଗାଇ ଥାଆନ୍ତି । ନିମର ପତ୍ର ଭାଜି ବା କଞ୍ଚାରେ ଲୁଣ ସହ କେହି କେହି ମଧ୍ୟ ପ୍ରତିଶେଧକ ରୂପେ ଖାଇ ଥାଆନ୍ତି । ଗଧର ଦୁଧ ଖାଇଲେ ବସନ୍ତ ହୁଏ ନାହିଁ ବୋଲି କହନ୍ତି । ବସନ୍ତର ଟୀକା ଏହାର ସର୍ବଶ୍ରେଷ୍ଠ ପ୍ରତିଶେଧକ ।

 

ବସନ୍ତର ଟିକା–ପୂର୍ବେ ମନୁଷ୍ୟମାନଙ୍କର ବସନ୍ତରୁ ବୀଜ ନେଇ ଟିକା ଦିଆ ଯାଉଥିଲା । ବର୍ତ୍ତମାନ ଗୋ-ବସନ୍ତବୀଜରେ ଟିକା ଦିଆଯାଉଅଛି । ମନୁଷ୍ୟ ବସନ୍ତବୀଜର ଟିକା ନେଲେ ସର୍ବ ଶରୀରରେ ବସନ୍ତ ହେବାର ସମ୍ଭାବନା, ମାତ୍ର ଥରେ ବସନ୍ତ ହୋଇଗଲେ ଆଉ ହେବାର ସମ୍ଭାବନା ନ ଥାଏ । ଗୋ-ବୀଜର ଟିକା ନେଲେ ସେହି ବୀଜ ଲାଗିଥିବା ସ୍ଥାନରେ ବସନ୍ତ ହୋଇଥାଏ ଓ ସେ ଟିକା କୃତକାର୍ଯ୍ୟ ହେଲେ ଆଉ ବସନ୍ତର ସମ୍ଭାବନା ନ ଥାଏ । ଏହି ଗୋ-ବୀଜର ଟିକା ବିଶେଷ ପ୍ରଶସ୍ତ । ବର୍ତ୍ତମାନ ଆଉ ମନୁଷ୍ୟ ବୀଜର ଟିକା ଦିଆ ଯାଉନାହିଁ । କେବଳ ଗୋ-ବୀଜର ଟିକା ଦିଆ ଯାଉଛି । ଏହି ଟିକା ଯଦି କୃତକାର୍ଯ୍ୟ ହୁଏ ତେବେ ୬।୭ ବର୍ଷ ପର୍ଯ୍ୟନ୍ତ ବସନ୍ତର ଆଶଙ୍କା ନ ଥାଏ ବା ଯଦି ବସନ୍ତ ହୁଏ ମାରାତ୍ମକ ହୁଏ ନାହିଁ । ପୂର୍ବେ ଇଉରୋପରେ ବସନ୍ତରେ ବହୁ ଜୀବନ ନଷ୍ଟ ହେଉଥିଲା, ମାତ୍ର ଏବେ ଟିକାର ପ୍ରଭାବରୁ ବସନ୍ତ ପ୍ରାୟ ଦେଖା ଯାଏ ନାହିଁ । ପ୍ରତ୍ୟେକର ଏପରି କି ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଟିକା ଦେବା ପ୍ରୟୋଜନ । ପ୍ରତି ୬।୭ ବର୍ଷରେ ଥରେ ଲେଖାଏ ଟିକା ନେଲେ ଆଉ ବସନ୍ତର ଆଶଙ୍କା ଆଦୌ ରହେ ନାହିଁ ।

Image

 

ପ୍ଳେଗ

 

କାରଣ–ପ୍ଳେଗ ବା ମହାମାରୀର ଜୀବାଣୁ କିପରି ଉତ୍ପତ୍ତି ହୁଅନ୍ତି, ଏହାର ପ୍ରକୃତ କାରଣ ଆଜିପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନାହିଁ । ପୂର୍ବେ ଏହି ରୋଗ ଭାରତରେ ନ ଥିଲା । ଏହାର କାରଣ ଏହି ଯେ, ପ୍ରାଚୀନ ଚିକିତ୍ସା ଶାସ୍ତ୍ରାଦିରେ ଏ ରୋଗର ଉଲ୍ଲେଖ ଦେଖା ଯାଏନାହିଁ । ଏ ଭୀଷଣ ରୋଗ ଅତିଶୟ ସଂକ୍ରାମକ ଓ ବହୁବ୍ୟାପକ ।

 

ଲକ୍ଷଣ–ଏହି ରୋଗର ବିଷ ଶରୀରରେ ପ୍ରବେଶ କଲେ ସଙ୍ଗେ ସଙ୍ଗେ ଶରୀର ଦୁର୍ବଳ ଓ ମନ ଅବସନ୍ନ ହୋଇଯାଏ । ଏହି ଅବସ୍ଥା ୫।୭ ଘଣ୍ଟାଠାରୁ ୫।୭ଦିନ ପର୍ଯ୍ୟନ୍ତ ସମୟ ସମୟରେ ରହିଥାଏ । ପରେ ହଠାତ୍‌ ପ୍ରବଳ ଜ୍ୱର ହୁଏ, ଦାରୁଣ ଶୀତ ଓ କମ୍ପ ହୁଏ । ବାନ୍ତି ପ୍ରଳାପ ଓ ମୂର୍ଚ୍ଛା ମଧ୍ୟ ହୋଇଥାଏ । ଶରୀରରୁ ପ୍ରଚୁର ଝାଳ ବହେ । ଏପରି ଲକ୍ଷଣାଦି ପ୍ରକାଶ ପାଇବାର ଦୁଇ ଏକ ଦିନ ପରେ ହାତର ଗଣ୍ଠି, କହୁଣି, କାଖଖୋଲ, ଗଳା ଓ ଶରୀରର ଅନ୍ୟାନ୍ୟ ଗ୍ରନ୍ଥି ସବୁ ଫୁଲେ । ଫୁଲା ସ୍ଥାନଗୁଡ଼ିକରେ ଖୁବ୍‌ ବେଦନା ହୋଇଥାଏ । ସେ ସବୁ ସ୍ଥାନ ଛୁଇଁଲେ ରୋଗିକୁ ଖୁବ୍‌ କଷ୍ଟ ଲାଗେ । ରୋଗୀ ଭାରି ବିକଳ ହୁଏ ଓ ଦୁଇ ତିନି ଦିନରେ ମରିଯାଏ । ୪।୫ଦିନ ମଧ୍ୟରେ ଯଦି ଫୁଲା ସ୍ଥାନ ପାଚିଯାଏ ଓ ଜ୍ୱର ଛାଡ଼ିଯାଏ ତାହାହେଲେ ରୋଗିର ଜୀବନର ଆଶା କରାଯାଇ ପାରେ ।

 

ଚିକିତ୍ସା–ଏ ରୋଗ ଚିକିତ୍ସାରେ ବେଶି ଭଲ ହେବାର ଦେଖାଯାଏ ନାହିଁ । ରୋଗିକୁ ଗୋଟିଏ ପରିଷ୍କାର ବିଛଣାରେ ଓ ପରିଷ୍କାର ଘରେ ଶୋଇବାକୁ ଦେବା ଦରକାର । ସେ ଘରେ ଯେପରି ପ୍ରଚୁର ବାୟୁ ସଞ୍ଚାଳନ କରିବାର ସୁବିଧା ଥିବ, ସେଥି ପ୍ରତି ସାବଧାନ ହେବାକୁ ହେବ । ଡାକ୍ତର ମେଜର ଡିନ୍‌ ଯେତେବେଳେ ବମ୍ବେର ଡାକ୍ତରଖାନାରେ ଥିଲେ ସେତେବେଳେ ସେ ପ୍ଳେଗ ରୋଗିମାନଙ୍କୁ ହୋମିଓ ପ୍ୟାଥିକର ନ୍ୟାଜା ଓ ଲ୍ୟାକେସିସ୍‌ ପ୍ରଭୃତି ବିଷ ଦେଇ ଶତ ଶତ ରୋଗିଙ୍କର ପ୍ରାଣରକ୍ଷା କରିଥିଲେ ।

 

ବ୍ୟାପ୍ତି–ଏହି ରୋଗ ଫ୍ଳି କୀଟ ଓ ମୂଷାମାନଙ୍କ ଦ୍ୱାରା ବିଶେଷ ଭାବରେ ବିକ୍ଷିପ୍ତ ହୁଏ । ଏହି କୀଟ ଓ ମୂଷାମାନେ ପ୍ଳେଗ ଲାଗିଥିବା ଘର ଭିତରେ ବାସ କରିବା ଦ୍ୱାରା ବା ସେ ଘରର କୌଣସି ପଦାର୍ଥ ସ୍ପର୍ଶ କରିବା ଦ୍ୱାରା ରୋଗର ଜୀବାଣୁ ଏମାନଙ୍କୁ ଆକ୍ରମଣ କରନ୍ତି । ଏମାନେ ଉକ୍ତ ଜୀବାଣୁମାନଙ୍କ ଦ୍ୱାରା ଅର୍ଥାତ୍‌ ପ୍ଳେଗର ବିଷରେ ଆକ୍ରାନ୍ତ ହୋଇ ଏଣେ ତେଣେ ବୁଲିବା ଦ୍ୱାରା ରୋଗ ବିସ୍ତାର କରନ୍ତି । ଏହା ଭିନ୍ନ, ରୋଗିକୁ ସ୍ପର୍ଶ କରିବାଦ୍ୱାରା ରୋଗିର ଘରେ ବସବାସ କରିବାଦ୍ୱାରା ଓ ରୋଗୀସଙ୍ଗରେ ବା ସେହି ଘରେ ଖାଇବା ପିଇବାଦ୍ୱାରା ଏହାର ବିଷ ଶରୀରରେ ପ୍ରବେଶ କରିଥାଏ । ଏହାର ବିଷ ଖୁବ୍‌ ଅଧିକ କାଳ ସ୍ଥାୟୀ । ଏହି ରୋଗୀ ରୋଗମୁକ୍ତ ହେବାର କେତେକ ସପ୍ତାହ ପର୍ଯ୍ୟନ୍ତ ତା ଦେହରେ ଏହି ଜୀବାଣୁମାନେ ଥାଆନ୍ତି ।

 

ପ୍ରତିଶେଧକ–ବସନ୍ତ ଓ ବିସୂଚିକାରେ ଯେପରି ଟିକା ପ୍ରତିଶେଧକ ରୂପେ ଦିଆ ଯାଇଥାଏ, ଏହାର ମଧ୍ୟ ସେହିପରି ଟିକା ଅଛି । ସେ ଟିକା ଦେଲେ ରୋଗ ଆକ୍ରମଣର ଆଶଂକା କେତେକ ପରିମାଣରେ ଦୂରିଭୂତ ହୋଇ ଥାଏ ବା ଯଦି ରୋଗ ଆକ୍ରମଣ କରେ ତେବେ ଏହା ମାରାତ୍ମକ ହୁଏ ନାହିଁ । ଏହି ରୋଗ ଲାଗିଥିବା ସମୟରେ ଘରଦ୍ୱାର ପରିଷ୍କାର ରଖିବା ଦରକାର ଓ ଶସ୍ୟାଦି ଘରର ଚଟାଣରେ ନ ରଖି ଏପରି ସ୍ଥାନରେ ରଖିବା ଦରକାର, ଯେପରି କି ମୂଷାମାନେ ସେ ସ୍ଥାନକୁ ଯାଇ ପାରିବେ ନାହିଁ । ଘରେ ଯେପରି ମୂଷାମାନେ ପ୍ରବେଶ ନ କରନ୍ତି ସେ ପ୍ରତି ବିଶେଷ ସାବଧାନ ହେବାକୁ ହେବ । କାରଣ ଏହି ମୂଷାମାନଙ୍କ ଦ୍ୱାରା ଏହି ରୋଗ ବିଶେଷ ଭାବରେ ବିକ୍ଷିପ୍ତ ହୋଇ ଥାଏ । ପ୍ରଥମରୁ ଏହି ରୋଗ ହେବା ପୂର୍ବରୁ ମୂଷାମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମରନ୍ତି ଏବଂ ପରେ ଏହା ମନୁଷ୍ୟମାନଙ୍କୁ ଆକ୍ରମଣ କରେ । ମୂଷାମାନେ ମରିବା ସମୟରୁ ସାବଧାନ ନ ହେଲେ ଏ ରୋଗର ଆକ୍ରମଣରୁ ରକ୍ଷା ମିଳି ନ ପାରେ ।

 

ଏହି ରୋଗର ପ୍ରାଦୁର୍ଭାବ ସମୟରେ ତଳଲିଖିତ ନିୟମ ଗୁଡ଼ିକ ପାଳନ କଲେ ରୋଗରୁ ରକ୍ଷା ମିଳିବାର ବିଶେଷ ସମ୍ଭାବନା ଥାଏ ।

 

(୧)

ଗୋଟିଏ ଇଗ୍ନେସିୟା ବୀନ (Ignatia Bean) ମଧ୍ୟ ଭାଗରେ ଛିଦ୍ର କରି ସୂତା ଦେଇ ବାହାରେ ପିନ୍ଧିବା ଦରକାର ।

(୨)

ପ୍ରତ୍ୟହ ଉତ୍ତମରୂପେ ସୋରିଷତେଲ ଲଗାଇ ଗାଧୋଇବାକୁ ହେବ ।

(୩)

ଗୃହରେ ଯେପରି ମୂଷାମାନେ ସ୍ଥାନ ନ ପାଆନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର ।

(୪)

ପ୍ଳେଗର ଟିକା ଗ୍ରହଣ ।

(୫)

ଘରର ଚଟାଣରେ ଶୋଇବା ଅନୁଚିତ ।

(୬)

ମଲା ମୂଷାମାନଙ୍କୁ ହସ୍ତରେ ସ୍ପର୍ଶ ନ କରି କାଠି ଦୁଇଖଣ୍ଡିରେ ନେଇ ପୋତି ଦେବାକୁ ହେବ ।

Image

 

ଯକ୍ଷ୍ମା

 

କାରଣ–ଏକ ପ୍ରକାର ଜୀବାଣୁଦ୍ୱାରା ଏହି ରୋଗ ଜାତ ହୁଏ । ଏହି ଜୀବାଣୁମାନେ ପ୍ରଥମେ ଫୁସ୍‌ଫୁସ୍‌କୁ ଆକ୍ରମଣ କରନ୍ତି ଓ ଏମାନଙ୍କ ଦ୍ୱାରା ଫୁସ୍‌ଫୁସ୍‌ର କ୍ଷୟ ସାଧିତ ହୁଏ । ଏହି କ୍ଷୟିତ ଅଂଶ କଫ ଓ ଖଙ୍କାର ହୋଇ ନିର୍ଗତ ହୁଏ । କୌଳିକ ଧାତୁ ଦୋଷ, ଚୂନ ବା ତୁଳାର ଗୋଦାମରେ କାମ କରିବା, ଅସ୍ୱାସ୍ଥ୍ୟକର ସନ୍ତସନ୍ତିଆ ସ୍ଥାନରେ ଓ ବହୁ ଜନାକୀର୍ଣ୍ଣ ସ୍ଥାନରେ ବସବାସ କରିବା, ଅତିରିକ୍ତ ପରିଶ୍ରମ, ପୁଷ୍ଟିକର ଖାଦ୍ୟର ଅଭାବ ବା ବହୁ ସନ୍ତାନ ପ୍ରସବ ପ୍ରଭୃତି କାରଣରୁ ଶରୀର ଦୁର୍ବଳ ହେଲେ ସହଜରେ ଏହି ରୋଗ ଆକ୍ରମଣ କରେ ।

 

ଲକ୍ଷଣ–ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଅଗ୍ନିମାନ୍ଦ୍ୟ ହୁଏ ଅର୍ଥାତ୍‌ ଭୁକ୍ତଖାଦ୍ୟ ସୁଚାରୁ ରୂପେ ହଜମ ହୁଏ ନାହିଁ । ଅଳ୍ପ ଅଳ୍ପ କାଶ ହୁଏ ଓ ସେ କାଶ ସହଜରେ ଛିଣ୍ଡେ ନାହିଁ । ନିଶ୍ୱାସ ପ୍ରଶ୍ୱାସ ଗ୍ରହଣ ସମୟରେ ଟିକିଏ କଷ୍ଟହୁଏ । ବକ୍ଷସ୍ଥଳରେ ବେଦନା ହୁଏ । ନାଡ଼ିର ଗତି ଅତି ଚଞ୍ଚଳ ହୁଏ । ପ୍ରାୟ ଅପରାହ୍ନରେ ଜ୍ୱର ହୁଏ । ମନୁଷ୍ୟର ସ୍ୱର ବସିଯାଏ ଓ ରାତ୍ରିରେ ବିଶେଷ ଝାଳ ବହେ । ପରେ ହଳଦିଆ ପୂଜମୟ ବା ରକ୍ତମୟ ଖଙ୍କାର ପଡ଼େ । ଦେହ ବଡ଼ ଦୁର୍ବଳ ଓ ନିସ୍ତେଜ ଲାଗେ । ପ୍ରାୟ ସବୁ ସମୟରେ ଉଦରାମୟ ହୋଇ ଥିବାର ଦେଖା ଯାଏ ଓ ବେଳେ ବେଳେ ଶୋଥମଧ୍ୟ ହୋଇ ଥାଏ । ଏ ରୋଗ ବଡ଼ କଠିନ ଓ ଅସାଧ୍ୟ । ଏ ରୋଗର ଆରମ୍ଭ ଠାରୁ ସହସ୍ରଦିନ ମଧ୍ୟରେ ମନୁଷ୍ୟ ମରିଯାଏ ବୋଲି କହନ୍ତି ।

 

ଚିକିତ୍ସା–ଏ ଅସାଧ୍ୟ ରୋଗର ଚିକିତ୍ସା ବଡ଼ ସହଜ ନୁହେ । ଏ ରୋଗ ଆରମ୍ଭ ହେଲେ ବଡ଼ ବଡ଼ ଡାକ୍ତର ବା କବିରାଜମାନଙ୍କୁ ଡକାଇ ଶୀଘ୍ର ଚିକିତ୍ସା କଲେ ସୁଫଳ ହୋଇ ପାରେ । ଏହି ରୋଗର ଚିକିତ୍ସାରେ ହେଳା କରିବା ବା ମୃତ୍ୟୁକୁ ଆବାହନ କରିବା ଏକ କଥା । ଏ ରୋଗୀ ପକ୍ଷରେ ରାତ୍ରି ଜାଗରଣ ଅନିଷ୍ଟକର । ଯକ୍ଷ୍ମା ରୋଗିର କୌଣସି ମାଦକଦ୍ରବ୍ୟ ଗ୍ରହଣ କରିବା ଉଚିତ ନୁହେ । ସେ ଟିକିଏ ପରିଶ୍ରମ କଲେ ବଡ଼ ପେଲି ହୁଏ ସୁତରାଂ ଅଧିକ ପରିଶ୍ରମ ତା ପକ୍ଷରେ ବଡ଼ ଅନିଷ୍ଟକର । ମୁକ୍ତବାୟୁରେ ବୁଲିବାହିଁ ଏ ରୋଗ ପକ୍ଷରେ ପ୍ରଶସ୍ତ । ଦେହ ଯେପରି ଦୁର୍ବଳ ଓ ନିସ୍ତେଜ ନ ହୁଏ ସେଥି ପାଇଁ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଡାଳିମ୍ବ, ବେଦାନା, ପାଚିଲା ଅମୃତଭଣ୍ଡା ପ୍ରଭୃତି ପାଚିଲା ଫଳ ଖାଇଲେ ବିଶେଷ ଉପକାର ହୁଏ । ରୋଗିର ଦେହ ସବଳ ରଖିବା ପାଇଁ ପୁଷ୍ଟିକର, ମାତ୍ର ଲଘୁପଚ୍ୟ ଆହାର ଦେବା ବିଧେୟ । ରୋଗିକୁ ବିଶୁଦ୍ଧ ଦୁଧ, ଘିଅ, ମାଖନ, ସାନ ସାନ ମାଛ ବା ଛେଳିମାଂସର ଝୋଳ, ସୁଜି ରୁଟି ଓ ମୁଗ ପ୍ରଭୃତି ଦିଆ ଯାଇପାରେ । ପ୍ରଚୁର ମୁକ୍ତବାୟୁ ଏ ରୋଗୀ ପକ୍ଷରେ ନିତାନ୍ତ ଦରକାର । ଏହି ରୋଗିମାନଙ୍କୁ ଡାକ୍ତରମାନେ ସେଥିପାଇଁ ମୁକ୍ତବାୟୁରେ ଚିକିତ୍ସା କରି ଥାଆନ୍ତି । ସମୁଦ୍ରତୀର ଏମାନଙ୍କର ସ୍ୱାସ୍ଥ୍ୟ ପକ୍ଷରେ ଖୁବ୍‌ ଭଲ । ଯେପରି ଥଣ୍ଡା ନ ଲାଗେ ସେଥି ପ୍ରତି ଦୃଷ୍ଟି ଦେବା ମଧ୍ୟ ଉଚିତ । ଅତଏବ ସେମାନଙ୍କର ଦେହ ସର୍ବଦା ଆବୃତ ଥିବା ଦରକାର । କାଶରୁ ରକ୍ଷା ପାଇବା ପାଇଁ ତାଳମିଶିରି କଳରେ ଜାକିଲେ କାଶ ଟିକିଏ କମିଯାଏ ।

 

ବିସ୍ତୃତି–ରୋଗିର କଫ ବା ଖଙ୍କାରରେ ଏହି ଜୀବାଣୁମାନେ ବିଶେଷ ଭାବରେ ଥାଆନ୍ତି-। ସୁତରାଂ କଫ ବା ଖଙ୍କାର ପକାଇଥିବା ସ୍ଥାନମାନଙ୍କରେ ଏମାନେ ବ୍ୟାପି ଯାଆନ୍ତି । ମାଛିମାନେ ଏ ସ୍ଥାନମାନଙ୍କରେ ବସିବାଦ୍ୱାରା ଏମାନେ ସେମାନଙ୍କ ଦେହରେ ଲାଗି ସେମାନଙ୍କଦ୍ୱାରା ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୋଇଥାନ୍ତି । କଫରୁ ଯାଇ ଏମାନେ ବାୟୁମଣ୍ଡଳରେ ଧୂଳିକଣାପରି ଲାଗି ରହିଥାନ୍ତି । ମାଛିମାନଙ୍କ ଦେହରେ ଲାଗି ମାଛିମାନେ ଖାଦ୍ୟ ଦ୍ରବ୍ୟାଦିରେ ବସିବା ସମୟରେ ଖାଦ୍ୟପଦାର୍ଥ ସଙ୍ଗରେ ଏମାନେ ଆମ୍ଭମାନଙ୍କର ଉଦରସ୍ଥ ହୁଅନ୍ତି । ରୋଗିର ଲୁଗାପଟା, ପୋଷାକ ଓ ବିଛଣାଦ୍ୱରା ମଧ୍ୟ ଏମାନେ ପରିଚାଳିତ ହୋଇଥାନ୍ତି ।

 

ପ୍ରତିଶେଧକ–ଏହି ରୋଗିମାନେ ଛେପ ଖଙ୍କାର ପକାଇଥିବା ସ୍ଥାନରେ ବସିବା ବା ଶୋଇବା ଅନୁଚିତ । ରୋଗିର ଛେପ ଖଙ୍କାର ସବୁ ପୋତାଇ ଦେବା ଖୁବ୍‌ ଭଲ । ପରିପକ୍ୱ ପୁଷ୍ଟିକର ଓ ସୁପଚ୍ୟ ଖାଇବା, ସିଦ୍ଧ ଜଳପାନ କରିବା, ସ୍ୱାସ୍ଥ୍ୟକର ସ୍ଥାନରେ ବାସ କରିବା, ନିୟମିତ ବ୍ୟାୟାମ କରିବା ଏହି ରୋଗର ସର୍ବଶ୍ରେଷ୍ଠ ପ୍ରତିଶେଧକ । ଦେହ ସବଳ ଓ ରକ୍ତର ତେଜ ଥିଲେ ଏହି ରୋଗ ସହଜରେ ଆକ୍ରମଣ କରିପାରେ ନାହିଁ ।

Image

 

କେତେକ ଆକସ୍ମିକ ଦୁର୍ଘଟଣାର ଚିକିତ୍ସା

 

ଆଘାତରେ ଜଖମ–କିଛି ଆଘାତ ଲାଗି ହସ୍ତପଦାଦି ବା ଶରୀରର ଅନ୍ୟାନ୍ୟ ଅବୟବାଦି ଛେଚି ହୋଇ ଜଖମ ହେଲେ, ଜଖମ ସ୍ଥାନରେ ଚୂନ ଓ ହଳଦି ଟିକିଏ ଗରମ କରି ଲଗାଇ ଦେଲେ ଉପକାର ହୁଏ । କେହି କେହି ପାଣିକନା, କେହି କେହି ବଣସେବତୀ ପତ୍ର ବାଟି ବା ଛେଚି ଲଗାଇବାଦ୍ୱାରା ମଧ୍ୟ ମଲ ହେବାର ଦେଖା ଅଛି । ନ ହେଲେ ଡାକ୍ତରଖାନା ପାଖରେ ଥିଲେ ଟିଂନ୍‌ଚର ଅଫ ଆଇଓଡ଼ିନ୍‌ (Tincture of Iodine) ଲଗାଇ ଦେଲେ ଭଲ ହୋଇଯାଏ ।

ଆଘାତରେ ହାଡ଼ ଭାଙ୍ଗିଯିବା–ଆଘାତରେ ହାଡ଼ ଭାଙ୍ଗିଗଲେ ହାଡ଼କୁ ସିଧା କରି ତହିଁର ଦୁଇପାଖରେ ଦୁଇଖଣ୍ଡି ସରଳ ଓ ଅଳ୍ପ ଓଜନର କାଠର ପଟା ବା ବାଉଁଶର ଫାଳ ବାନ୍ଧି ସିଧା ରଖିବାକୁ ହୁଏ । ହାଡ଼ଯୋଡ଼ା ଛେଲିକୁ ବାଟି ଖୁଆଇଲେ ହାଡ଼ ଲାଗି ଯାଏ । ସେ ସ୍ଥାନରେ ବଳ ଆସିବା ଲାଗି କଞ୍ଚା ରାଶିତେଲ ପ୍ରଭୃତି ଥଣ୍ଡା ତୈଳ ମାଲିସ୍‌ କଲେ ସଂପୂର୍ଣ୍ଣ ଭଲ ହୋଇଯାଏ ।

ଆଘାତରେ ରକ୍ତସ୍ରାବ–ରକ୍ତ ବନ୍ଦ କରିବା ପାଇଁ କ୍ଷତ ସ୍ଥାନରେ ଥଣ୍ଡା ପାଣି ଢାଳିଲେ ବା ଅପାମାର୍ଗ ପତ୍ରର ରସ ଦେଲେ ରକ୍ତସ୍ରାବ ବନ୍ଦ ହୁଏ । କ୍ଷତ ସ୍ଥାନରେ ଚିନି ଦେଇ ଖଣ୍ଡିଏ କନା ବାନ୍ଧି ଦେଲେ ରକ୍ତସ୍ରାବ ବନ୍ଦ ହୋଇଯାଏ ଓ ଦରଜ ଛାଡ଼ିଯାଏ । ନିମ୍ନଲିଖିତ ଜିନିଷମାନ କ୍ଷତ ସ୍ଥାନରେ ଦେଲେ ଜରଜ କମିଯାଏ ଓ କ୍ଷତ ଶୁଖିଯାଏ ।

(୧)

ତାର୍ପିନ ତେଲ କ୍ଷତ ସ୍ଥାନରେ ଲଗାଇଲେ ।

(୨)

ଟିଂନ୍‌ଚର ଅଫ ଆଇଓଡ଼ିନ (Tincture of Iodine) ଲଗାଇଲେ ।

(୩)

ବଣସେବତୀ ପତ୍ର ଛେଚି କ୍ଷତ ସ୍ଥାନରେ ଦେଇ ଖଣ୍ଡିଏ କନାରେ ବାନ୍ଧି ଦେଲେ ।

(୪)

କନିଅର କ୍ଷୀର କ୍ଷତ ସ୍ଥାନରେ ଲଗାଇଲେ ।

(୫)

ଚୂନ ଓ ଖଇର ଏକତ୍ର ଖଲି କ୍ଷତ ସ୍ଥାନରେ ଲଗାଇଲେ ।

 

ପୋଡ଼ା ଘା–କୌଣସି ଅଙ୍ଗ ଅଗ୍ନିରେ ପୋଡ଼ିଗଲେ ବା ଅଗ୍ନି ତାପରେ ସିଝିଗଲେ ବା ଉତ୍ତପ୍ତ ଜଳ ବା ଅନ୍ୟ କିଛି ଉତ୍ତପ୍ତ ପଦାର୍ଥ ପଡ଼ି ସିଝି ଗଲେ ନିମ୍ନଲିଖିତ ପଦାର୍ଥ ବ୍ୟବହାର କଲେ ଭଲ ହୋଇଥାଏ ।

 

୧.

ଫୋଟକା ନ ହେବା ପାଇଁ ତାତି ଯାଇଥିବା ସ୍ଥାନକୁ ଅଗ୍ନିର ତାପକୁ ଦେଖାଇ ଦେବା ଦରକାର ।

୨.

ହଠାତ୍‌ ପୁଲାଙ୍ଗ ତେଲ ଲଗାଇ ଦେଲେ ଫୋଟକା ହୁଏ ନାହିଁ ।

୩.

ବିଲାତି ଆଳୁ ପାଣି ନ ଦେଇ ବାଟି କରି ଲଗାଇଲେ ଭଲ ହୋଇଯାଏ ।

୪.

‘‘ଘିକୁଆଁରି’’ ପତ୍ରର ରସ ତାତିଯାଇଥିବା ସ୍ଥାନରେ ଲଗାଇଲେ ଭଲ ହୁଏ ।

୫.

ହିମସାଗର ପତ୍ର ବାଟି ପୋଡ଼ାଘା’ରେ ଲଗାଇଲେ ଭଲ ହୁଏ ।

୬.

ଚୂନ ଓ ନିଡ଼ଆ ତେଲ ଏକତ୍ର ମିଶାଇ ଲଗାଇଲେ ଭଲ ହୁଏ ।

୭.

ମହୁ ଲଗାଇ ଦେଲେ ମଧ୍ୟ ଭଲ ହୋଇଯାଏ ।

 

ସାପ କାମୁଡ଼ା–ସାପ ଯେଉଁ ସ୍ଥାନକୁ କାମୁଡ଼ି ଥିବ, ସେହି ସ୍ଥାନର ଟିକିଏ ଉପରେ ଖଣ୍ଡିଏ ଦଉଡ଼ି ଖୁବ୍‌ କସି କରି ବାନ୍ଧି ଦେବ । ପରେ କ୍ଷତ ସ୍ଥାନରେ ‘ଜାଲମହୁରା’ ଲଗାଇଲେ ତାହା ଦୂଷିତରକ୍ତ ଶୋଷି ନିଏ ଓ ‘ପରଶୁକେଦାର’ ପ୍ରଭୃତି ବିଷହର ଗଦ ଖୁଆଇ ଦେଲେ ବିଷର ଶକ୍ତି କମିଯାଏ । ତାତିଲା ଲୁହା କ୍ଷତ ସ୍ଥାନରେ ମାଡ଼ିଦେଲେ ମଧ୍ୟ ବିଷ ହରଣ ହୁଏ । କେହି କେହି ଉପରେ ଦଉଡ଼ି ବାନ୍ଧିବା ପରିବର୍ତ୍ତରେ ହଳଦି ବାଟି ଖାଇବାକୁ ଦେଇ ଥାଆନ୍ତି ।

 

କେହି କେହି, ସାପ କାମୁଡ଼ିଲେ ବା ପୋଡ଼ିଗଲେ ମନ୍ତ୍ରରେ ଝାଡ଼ି ଦେଇ ଭଲ କରିବାର ଦେଖା ଅଛି । ବର୍ତ୍ତମାନର ବିଜ୍ଞାନ ଯୁଗରେ ଶିକ୍ଷିତ ସଂପ୍ରଦାୟମାନଙ୍କର ମନ୍ତ୍ରବଳରେ ଆସ୍ଥା ନାହିଁ । ମାତ୍ର ଏ ସବୁ ଘଟଣା ଦେଖିଲେ ମନ୍ତ୍ରରେ ବିଶ୍ୱାସ ଜନ୍ମେ । ଏପରି କି କେହି କେହି ମଧ୍ୟ ସାପକାମୁଡ଼ାର ରୋଗିକୁ ନ ଦେଖି, କେଉଁ ସ୍ଥାନକୁ କାମୁଡ଼ିଛି ସେତିକି କହିଲେ ନିଜର ସେହି ସ୍ଥାନ ଝାଡ଼ି ଦେଇ ରୋଗିକୁ ଭଲ କରି ଦେଇ ଥାଆନ୍ତି । ପୋଡ଼ା ଘା’ରେ ଥଣ୍ଡାପାଣି ଦେଲେ ନିଶ୍ଚୟ ଫୋଟକା ହୁଏ ମାତ୍ର ପାଣି ମନ୍ତ୍ରକରି ଦେଲେ ଫୋଟକା ନ ହୋଇ ଜ୍ୱାଳା ଯନ୍ତ୍ରଣା କମି ଯିବାର ମଧ୍ୟ ଦେଖା ଅଛି । ଏ ସବୁ ଘଟଣାରୁ ମନ୍ତ୍ରକୁ ମିଥ୍ୟା ବୋଲି କହିବା ସହଜ ନୁହେ । ଏହା ମାନସିକ ଶକ୍ତି ହୋଇପାରେ । ଏ ଶକ୍ତି ମନରେ କାର୍ଯ୍ୟ କରିଥାଏ । ଅତଏବ ଯେଉଁମାନଙ୍କର ମନ୍ତ୍ରରେ ବିଶ୍ୱାସ ଅଛି ସେମାନଙ୍କର ଉକ୍ତ କାରଣମାନଙ୍କରେ ମନ୍ତ୍ର ଜାଣିଥିବା ଲୋକଙ୍କୁ ଡକାଇ ଝାଡ଼ି ଦେବା ଭଲ ।

Image

 

ଜଳ

 

ଦୁଇଟି ବାଷ୍ପର ମିଶ୍ରଣରେ ଜଳର ଉତ୍ପତ୍ତି । ଗୋଏଟି ଅମ୍ଳଜାନ (Oxygen) ଓ ଅନ୍ୟଟି ଉଦଜାନ (Hydrogen) । ଏହା ମଧ୍ୟରୁ ପ୍ରଥମଟି ବିନା ଆମ୍ଭମାନଙ୍କର ଜୀବନ ଅସମ୍ଭବ । ଆମ୍ଭେମାନେ ଯେଉଁ ବାୟୁ ନିଶ୍ୱାସ ରୂପେ ଗ୍ରହଣ କରୁ, ତହିଁରୁ ଅମ୍ଳଜାନଟି ରଖି ଅବଶିଷ୍ଟ ବାଷ୍ପ ଆମ୍ଭେମାନେ ପ୍ରଶ୍ୱାସରେ ତ୍ୟାଗ କରୁ । ଅମ୍ଳଜାନ ବାଷ୍ପ ନ ପାଇଲେ ଅଗ୍ନି ଜଳେ ନାହିଁ । ଗୋଟିଏ ଦୀପକୁ ଲଗାଇ ତା ଉପରେ ଗୋଟିଏ ଘୋଡ଼ାଇ ଦେଲେ ଦୀପଟି ଅଳ୍ପ ସମୟ ମିଞ୍ଜି ମିଞ୍ଜି ହୋଇ ଜଳି ଲିଭିଯାଏ । ଘୋଡ଼ା ହୋଇଥିବା ଜିନିଷଟି ମଧ୍ୟରେ ଯେଉଁ ବାୟୁ ଆବଦ୍ଧ ଥାଏ, ତାହା ମଧ୍ୟରେ ଅମ୍ଳଜାନ ସରିବା ଯାଏ ଦୀପଟି ଜଳୁଥାଏ ଓ ଉକ୍ତ ବାଷ୍ପ ସରିଗଲେ ଦୀପ ଲିଭିଯାଏ । ଆମ୍ଭେମାନେ ଫୁଙ୍କିଲେ ନିଆଁ ବେଗରେ ଜଳି ଉଠେ । ତାର କାରଣ ଆମ୍ଭେମାନେ ଫୁଙ୍କିବା ଦ୍ୱାରା ବେଶି ଅମ୍ଳଜାନ ବାଷ୍ପ ଅଗ୍ନିରେ ପ୍ରବେଶ କରେ ଏବଂ ଆମ୍ଭେମାନେ ଫୁତ୍କାର ଦେବା ସମୟରେ ବାୟୁ ମଣ୍ଡଳରେ ଆଘାତ ଲାଗିବାଦ୍ୱାରା ବାୟୁ ଟିକିଏ ବେଗରେ ଚାଳିତ ହୋଇ ଅଗ୍ନିକୁ ବିଶେଷ ଅମ୍ଳଜାନ ଯୋଗାଇ ଥାଏ । ମାତ୍ର ବିଶେଷ ଜୋରରେ ପବନ ବହିଲେ ବା ଫୁତ୍କାର ଦେଲେ ଅଗ୍ନିଶିଖା ଲିଭିଯାଏ । ଏହାର କାରଣ ପ୍ରତ୍ୟେକେ ଅନୁଭବ କରିଥିବ । ଆମ୍ଭେମାନେ ଆହାର ବିନା ଶୁଖି ମରି ଯିବାର ଜାଣିଛ ଏବଂ ବିଶେଷ ଆହାର କରିବାରେ ମଧ୍ୟ ଅଜୀର୍ଣ୍ଣ ହୋଇ ନାନା ରୋଗରେ ସଡ଼ି ଶେଷରେ ଶୁଖି ମରି ଯିବାର ଜଣା । ସେହିପରି ବାୟୁର ବିନା ସାହାଯ୍ୟରେ ଅଗ୍ନି ପ୍ରଜ୍ୱଳିତ ହୋଇ ନ ପାରେ ଓ ବିଶେଷ ପବନରେ ତାହା ନିର୍ବାପିତ ହୁଏ । ଉଦଜାନ ବାଷ୍ପ ନିଜେ ଜଳେ । ଗୋଟିଏ କାଚର ନଳିରେ ଉଦଜାନବାଷ୍ପ ପୂର୍ଣ୍ଣ କରି କୌଣସି ଗୋଟିଏ ମୁଣ୍ଡରେ ଟିକିଏ ସୂକ୍ଷ୍ମ ଛିଦ୍ର କରି ନିଆଁ ଧରାଇ ଦେଲେ ଏହା ବେଶ ଜଳେ । ଆଶ୍ଚର୍ଯ୍ୟର କଥା ଏହି ଯେ ଏହି ଦୁଇଟି ବାଷ୍ପର ଏକତ୍ର ମିଶ୍ରଣରେ ଦୁହିଙ୍କର ନିଜ ନିଜର ଗୁଣ ଚାଲିଯାଇ ଏକ ସମ୍ପୂର୍ଣ୍ଣ ପୃଥକ ଗୁଣବିଶିଷ୍ଟ ପଦାର୍ଥର ଉତ୍ପତ୍ତି ହୁଏ । ଆଉ ମଧ୍ୟ ଉତ୍ପନ୍ନ ପଦାର୍ଥଟି କୌଣସି ବାୟବୀୟ ପଦାର୍ଥ ନୁହେ । ଏହି ପଦାର୍ଥଟି ଜଳ ଏବଂ ଏହି ଜଳଦ୍ୱାରା ପ୍ରଜ୍ୱଳିତ ଅଗ୍ନି ନିର୍ବାପିତ ହୁଏ ।

ଜଳ ବାସ୍ତବରେ ବର୍ଣ୍ଣ, ଗନ୍ଧ ଓ ସ୍ୱାଦ ବିହୀନ । ଏଥିରେ କିଛି ନ ମିଶିଲେ ଏହାର ବର୍ଣ୍ଣ ଆସେ ନାହିଁ । ଏଥିରେ ଯେଉଁ ରଙ୍ଗ ଦିଆ ଯାଏ, ଏହା ତାହାରି ରଙ୍ଗ ଧାରଣ କରିଥାଏ । ଏହାର ଗନ୍ଧ ନାହିଁ ଓ ସ୍ୱାଦ ମଧ୍ୟ ନାହିଁ ।

ଆମ୍ଭେମାନେ ଭୂପୃଷ୍ଠରେ ଯେଉଁ ଜଳ ଦେଖିବାକୁ ପାଉଁ ତାହା ବର୍ଣ୍ଣ ଓ ସ୍ୱାଦ ବିହୀନ ନୁହେ; କିନ୍ତୁ ଗନ୍ଧ ବିହୀନ ଜଳ ଅନେକ ସ୍ଥାନରେ ମିଳେ । ଭୂପୃଷ୍ଠରେ ନାନା ଧାତୁ ଓ ନାନା ପ୍ରକାର ମୃତ୍ତିକାର ସଂସ୍ପର୍ଶରେ ଆସି ଜଳରେ ବର୍ଣ୍ଣ ଓ ସ୍ୱାଦ ଆସିଯାଏ । ଭିନ୍ନ ଭିନ୍ନ ଧାତୁ ଓ ଭିନ୍ନ ଭିନ୍ନ ମୃତ୍ତିକାର ସଂସ୍ପର୍ଶରେ ଜଳର ବର୍ଣ୍ଣ ଓ ସ୍ୱାଦ ଭିନ୍ନ ଭିନ୍ନ ହୋଇ ଥାଏ । କୌଣସି କୌଣସି ସ୍ଥାନର ଜଳ କଳା ଦିଶେ । କୌଣସି ଠାରେ ଏହା ନୀଳବର୍ଣ୍ଣ ହୁଏ । କୌଣସି ସ୍ଥାନରେ ବା ମାଟିଆ ରଙ୍ଗର ହୋଇ ଥାଏ । କୌଣସି ସ୍ଥାନରେ ସ୍ୱାଦ ଲବଣଯୁକ୍ତ । କୌଣସି ସ୍ଥାନରେ ସୁମିଷ୍ଟ । ଏହିପରି ଆମ୍ଭେମାନେ ନାନା ସ୍ଥାନରେ ନାନା ପ୍ରକାର ରଙ୍ଗର ଓ ଭିନ୍ନ ଭିନ୍ନ ସ୍ୱାଦବିଶିଷ୍ଟ ଜଳ ଦେଖିବାକୁ ପାଉଁ ।

ସ୍ଥାନେ ସ୍ଥାନେ ଜଳର ବେଶି ହଜମ କରିବାର ଶକ୍ତି ଥାଏ । ସ୍ଥାନେ ସ୍ଥାନେ ଜଳର ହଜମ କରିବାର ଶକ୍ତି ଆଦୌ ଥାଏ ନାହିଁ । ଏକଥା ଆମ୍ଭେମାନେ ଅନୁଭବ କରିଥାଇଁ । ଏ ସବୁ ଜଳର ପ୍ରକୃତି ନୁହେ । ଜଳର ଗୁଣ ସବୁକ୍ଷେତ୍ରରେ ସମାନ ହେବାର କଥା, ମାତ୍ର ଭିନ୍ନ ଭିନ୍ନ ପଦାର୍ଥର ସଂସ୍ପର୍ଶରେ ଏହାର ଗୁଣ ବିଭିନ୍ନ ହୋଇ ଯାଏ ।

ଜଳ ବିନା ଜୀବନ ଅସମ୍ଭବ । ତୁମ୍ଭେମାନେ ଦେଖିଥିବ ଯେ, ଯେତେବେଳେ ଖରା ଦିନରେ ସମସ୍ତ ଜଳ ଶୁଖି ଯାଏ ଓ ବର୍ଷା ହୁଏ ନାହିଁ, ଜୀବମାନେ କେତେ ହଇରାଣ ହୁଅନ୍ତି, କେତେ ଜୀବ ଜଳ ଅଭାବରେ ମଧ୍ୟ ମରି ଯାଆନ୍ତି । ଗଛ ପତ୍ରାଦି ଶୁଷ୍କ ହୋଇ ଯାଆନ୍ତି । ଶ୍ୟାମଳ ବନରାଜି ରୁକ୍ଷ ହୁଅନ୍ତି । ତୃଣାଚ୍ଛାଦିତ ପ୍ରାନ୍ତର ଭୀଷଣ ମରୁପ୍ରାନ୍ତରେ ପରିଣତ ହୁଏ । ପାହାଡ଼ ଓ ପର୍ବତାଦିର ହରିତାୟମାନ ମାଧୁରୀ ଉତ୍ତପ୍ତ ରୁକ୍ଷ ଟାଙ୍ଗିରେ ପରିଣତ ହୁଏ । ସୁନ୍ଦରୀ ପ୍ରକୃତିର ଶୋଭା ସମ୍ପଦ ସବୁ କେଉଁଆଡ଼େ ଉଭେଇ ଯାଏ । ଉଦ୍ଭିଦ ଜଗତ୍‌ ତଥା ଜୀବ ଜଗତ ସମସ୍ତେ ଶୁଷ୍କ ଓ ବିକଳାଙ୍ଗ ହୋଇ ଯାଆନ୍ତି । ପୁନର୍ବାର ଯେତେବେଳେ ବର୍ଷା ହୁଏ ତପ୍ତ ଧରଣୀର ବକ୍ଷ ଶୀତଳ ହୁଏ । ପୁନର୍ବାର ପ୍ରକୃତିର ଶୋଭା ସମ୍ପଦ ଫେରି ଆସେ । ତୃଣଶସ୍ୟାଦି ପୃଥିବୀ ବକ୍ଷରେ ଶୋଭା ପାଏ । ପାହାଡ଼ ପର୍ବତମାନେ ରୁକ୍ଷତା ପରିବର୍ତ୍ତରେ ଶ୍ୟାମଳ ସୁନ୍ଦର ମୂର୍ତ୍ତି ଧାରଣ କରନ୍ତି । ଉଦ୍ଭିଦ ଜଗତ୍‌ ଓ ଜୀବ ଜଗତରେ ପୁନର୍ବାର ଜୀବନ ଖେଳି ଉଠେ । ମନୁଷ୍ୟମାନେ ଆନନ୍ଦରେ ଶସ୍ୟାଦି ରୋପଣ କରନ୍ତି ।

 

ଆଉ ମଧ୍ୟ ଅନ୍ୟ ଦିଗରେ ଦେଖିବାକୁ ଗଲେ ଏହି ଜଳରୁ ପୃଥିବୀର ଉତ୍ପତ୍ତି । ପ୍ରଥମେ ଅନନ୍ତ ଜଳରାଶି ଥିଲା । ପୃଥିବୀର ଅସ୍ତିତ୍ୱ ପର୍ଯ୍ୟନ୍ତ ସେ ସମୟରେ ନ ଥିଲା । କ୍ରମେ ଏହି ଅନନ୍ତ ଜଳରାଶି ମଧ୍ୟରେ ଖଣ୍ଡିଏ ଖଣ୍ଡିଏ ଭୂମି ଦେଖା ଦେଇ ଅବଶେଷରେ ପୃଥିବୀର ଆକାର ଏତେ ବଡ଼ ହେଲା । ଏହାର ପ୍ରମାଣ ସ୍ୱରୂପ ନଦୀ ଓ ସାଗର ଦ୍ୱାରା କିପରି ସ୍ଥଳ ଭାଗର ହ୍ରାସବୃଦ୍ଧି ହୁଏ, ତାହାର ଆଲୋଚନା କଲେ ଜଣା ଯିବ । ଏହି ଜଳରୁ ପୁଣି ମତ୍ସ୍ୟାଦି ଜୀବମାନଙ୍କର ଉତ୍ପତ୍ତି ଓ କାଳକ୍ରମେ ସେହି ଜୀବମାନଙ୍କରୁ ପଶୁ ପକ୍ଷୀ ଓ ମନୁଷ୍ୟମାନଙ୍କର ଉତ୍ପତ୍ତି ବୋଲି ବଡ଼ ବଡ଼ ବୈଜ୍ଞାନିକମାନେ ସ୍ଥିର କରି ଅଛନ୍ତି । ଏଥିରୁ ଜଳ ସଙ୍ଗେ ଜୀବନର କେତେ ଦୂର ସମ୍ବନ୍ଧ ତାହା ପ୍ରତିପନ୍ନ ହୁଏ । ଏଥି ପାଇଁ ଜଳକୁ ଜୀବନ ଆଖ୍ୟା ଦିଆ ଯାଇ ଅଛି ।

 

ଜଳକୁ ଆମ୍ଭେମାନେ ତିନି ପ୍ରକାରରେ ଦେଖିବାକୁ ପାଉଁ । ଭୂପୃଷ୍ଠରେ ତରଳ ଆକାରରେ ଜଳ ରୂପେ, ପର୍ବତ ଶିଖରରେ ବା ଶୀତପ୍ରଧାନ ସ୍ଥାନମାନଙ୍କରେ ଘନିଭୂତ ଅବସ୍ଥାରେ ବରଫ ରୂପେ ଓ ଶୂନ୍ୟ ଆକାଶ ଦେଶରେ ବାୟବୀୟ ଅବସ୍ଥାରେ ମେଘ ରୂପେ ଦେଖୁଁ ।

 

ଏହି ଜଳ ଉପରେ ଜୀବ ଓ ଉଦ୍ଭିଦାଦିର ଜୀବନ ଓ ପୃଥିବୀର ସୌନ୍ଦର୍ଯ୍ୟ ସମସ୍ତ ନିର୍ଭର କରେ । ପଶୁ ପକ୍ଷୀ ଓ ଉଦ୍ଭିଦମାନେ ଯେଉଁ ଜଳ ଗ୍ରହଣ କରନ୍ତି, ସେ ଜଳ ସେମାନେ ଯେ କୌଣସି ଜଳାଶୟରୁ ଗ୍ରହଣ କରିପାରନ୍ତି । କାରଣ ସେମାନଙ୍କର ପରିଷ୍କାର ଜଳ ନ ହେଲେ ମଧ୍ୟ ଚଳେ । କିନ୍ତୁ ମାନବ ଜୀବନ ଟିକିଏ ବଡ଼ ସୁକୁମାର ଜୀବନ । ମାନବେତର ପ୍ରାଣିମାନେ କଞ୍ଚା ଖାଦ୍ୟ ଖାଆନ୍ତି, ମାତ୍ର ମାନବ କଞ୍ଚା ଖାଇଲେ ତାର ହଜମ ହୁଏ ନାହିଁ । ତେଣୁ ମାନବ ସିଦ୍ଧ କରି ଖାଏ । ମଇଲା ଜଳ ମନୁଷ୍ୟର ସ୍ୱାସ୍ଥ୍ୟ ପକ୍ଷରେ ଅନିଷ୍ଟକର । ତାର ଶରୀରର ଯନ୍ତ୍ରାଦି ଯେପରି ଭାବରେ ଗଢ଼ା ତାହା ଅନ୍ୟ ପ୍ରାଣିମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । ଅନ୍ୟ ପ୍ରାଣିମାନଙ୍କ ପରି ମାନବ ଚଳି ପାରେ ନାହିଁ । ତା ପକ୍ଷରେ ସମସ୍ତ ପରିଷ୍କାର ହେବା ଦରକାର । ତା ପାଇଁ ଯାବତୀୟ ରୋଗର ସୃଷ୍ଟି । ତାର ପୁଣି ହିତାହିତ କର୍ତ୍ତବ୍ୟାକର୍ତ୍ତବ୍ୟ ଜ୍ଞାନ ଅଛି । ସେ ରୋଗମାନଙ୍କ ପାଇଁ ତାକୁ ବଡ଼ ସାବଧାନ ହୋଇ ଚଳିବାକୁ ହୁଏ । ଜଳଦ୍ୱାରା ସଂକ୍ରାମକ ରୋଗମାନେ ବଡ଼ ସହଜରେ ବିକ୍ଷିପ୍ତ ହୁଅନ୍ତି । କେବଳ ଯେ ସଂକ୍ରାମକ ରୋଗ ଭୟରେ ଜଳ ପରିଷ୍କାର ହେବା ତା ପ୍ରତି ଦରକାର ତାହା ନୁହେ, ଜଳ ତାର ଜୀବନ । ଜଳ ବିନା ତାର ଖାଦ୍ୟଦ୍ରବ୍ୟାଦି ସିଦ୍ଧ କରିବା ଅସମ୍ଭବ ଓ ଜଳ ବିନା ତାର ଭୁକ୍ତ ଆହାର ଜୀର୍ଣ୍ଣ ହୋଇ ନ ପାରେ । ସୁତରାଂ ଜଳସହ ତାର ଅନ୍ୟ ପ୍ରାଣିମାନଙ୍କ ଠାରୁ ବିଶେଷ ସମ୍ବନ୍ଧ । ଅତଏବ ପରିଷ୍କାର ଜଳ ବ୍ୟବହାର କରିବା ତା ପକ୍ଷରେ ବିଧେୟ ।

 

କେଉଁ ଜଳ ଭଲ–ଆମ୍ଭେମାନେ ନଦୀରେ, ପୁଷ୍କରିଣୀରେ, କୂପରେ ଓ ଝରଣାରେ ସାଧାରଣତଃ ଜଳ ପାଇ ଥାଉଁ । ନଦୀର ଜଳରେ ସ୍ରୋତ ଥାଏ; ସୁତରାଂ ମଇଲା ସବୁ ସ୍ରୋତରେ ଭାସିଯାଏ । ଅତଏବ ନଦୀ ଜଳରେ ବେଶି ମଇଲା ରହିପାରେ ନାହିଁ । ତେବେ ସ୍ରୋତ ନ ଥିଲେ ଜଳ ଏକ ସ୍ଥାନରେ ଜମି ତହିଁରେ ଥିବା ମଇଲା କୌଣସି ଆଡ଼େ ଯାଇ ନ ପାରି, ସେହି ଜଳରେ ମିଶି ରହେ । ପୁଷ୍କରିଣୀର ଜଳ ଆବଦ୍ଧ । ତହିଁରେ ସ୍ରୋତାଦି ନ ଥାଏ । ଲୋକେ ମଧ୍ୟ ସ୍ନାନକରନ୍ତି । ମଇଲା ଲୁଗା ଧୁଅନ୍ତି । ସ୍ଥାନେ ସ୍ଥାନେ ଧୋବା ଲୁଗା କାଚେ । ଗୋରୁ ମହିଷ ପ୍ରଭୃତି ସମୟ ସମୟରେ ଗାଧୁଆ ଯାଆନ୍ତି । ସବୁ ମଇଲା କୌଣସି ଆଡ଼େ ଯାଇ ନ ପାରି ଜଳରେ ମିଶି ରହେ । କୂପର ଜଳ ଗଭୀର ଝରଣାରୁ ବାହାରେ । ବର୍ଷାଜଳ ଭୂପୃଷ୍ଠରେ ପଡ଼ିଲା ଉତ୍ତାରୁ କେତେକ ସୂର୍ଯ୍ୟ କିରଣରେ ଶୁଖି ଯାଏ । କେତେ ନଦୀ ପ୍ରଭୃତି ଜଳାଶୟକୁ ବହିଯାଏ ଓ କେତେକ ପୃଥିବୀ ଶୋଷି ନିଏ । ପୃଥିବୀ ଯେଉଁ ଜଳ ଶୋଷି ନିଏ ତାହା କ୍ରମେ କ୍ରମେ ତଳକୁ ଯାଉ ଥାଏ । ଯେଉଁ ସ୍ଥାନରେ ଆଉ ଯାଇ ନ ପାରେ ସେହି ସ୍ଥାନରେ ଜମି ରହେ ଓ କୂପ ଖୋଳିଲେ ଝର ହୋଇ ସେହି ଜଳ ବାହାରେ ବା ଝରଣାରୂପେ ସ୍ଥାନେ ସ୍ଥାନେ ଦେଖା ଦିଏ । ସେହି ଝରଣାର ଜଳ ବା କୂପ ଜଳ ପୃଥିବୀର ସ୍ତର ଭେଦ କରି ଯାଉଁ ଯାଉଁ ଓ ତହିଁରେ ଥିବା ମଇଲା ସବୁ ସ୍ତରମାନଙ୍କରେ ରହି ଯାଏ ଓ ପରିଷ୍କାର ଜଳ ତଳକୁ ଯାଇଥାଏ । ଅତଏବ କୂପ ଓ ଝରଣାର ଜଳ ଅନ୍ୟ ଜଳଠାରୁ ବେଶି ପରିଷ୍କାର । ନଦୀରେ ସ୍ରୋତ ଥିଲେ ଓ ବର୍ଷାଦିନ ନ ହୋଇଥିଲେ ଜଳ ପରିଷ୍କାର ଥାଏ । ସ୍ରୋତ ନ ଥିଲେ ଜଳ ମଇଲା ହୋଇ ଯାଏ । ପୁଷ୍କରିଣୀର ଜଳ ସବୁ ଠାରୁ ବେଶି ମଇଲା ।

 

ପାନୀୟ ଜଳ–ପାନୀୟ ଜଳ ବିଶେଷ ପରିଷ୍କାର ହେବା ଦରକାର । ଅପରିଷ୍କାର ଜଳ ପାନ କଲେ ନାନା ରକମର ରୋଗ ଜନ୍ମିଥାଏ । ଖାଦ୍ୟପଦାର୍ଥରେ ଯେଉଁ ଜଳ ଦିଆ ଯାଇ ସିଦ୍ଧ କରା ଯାଏ, ତହିଁରୁ ଜୀବାଣୁଆଦି ସିଦ୍ଧ କରିବା ସମୟରେ ମରି ଯାଆନ୍ତି । ମାତ୍ର ପାନୀୟ ଜଳ କେବଳ ପାନୀୟ ରୂପେ ବ୍ୟବହୃତ ହୋଇ ଥାଏ; ସୁତରାଂ ଏହା ପରିଷ୍କାର ହେବା ବିଶେଷ ବାଞ୍ଛନୀୟ ।

 

ଜଳରେ ଯେ ସବୁ କୀଟାଣୁ ଥାଆନ୍ତି, ସେ ସବୁ ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ । ବୁନ୍ଦାଏ ପାଣିକୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ତହିଁରେ ଯେ ସବୁ ମଇଲା ଥାଏ, ପରିଷ୍କାର ଦେଖା ଯାଏ ।

 

କିପରି ପରିଷ୍କାର କରାଯାଏ–ବହୁ ପ୍ରକାରରେ ଜଳକୁ ପରିଷ୍କାର କରାଯାଇଥାଏ । ତନ୍ମଧ୍ୟରୁ କେତେ ପ୍ରକାର ନିମ୍ନରେ ଦିଆଗଲା ।

 

(୧)

ଫିଟିକିରି ଦ୍ୱାରା–ଜଳକୁ ଗୋଟିଏ ପାତ୍ରରେ ରଖି ତହିଁରେ କିଛି ଫିଟିକିରି ଗୁଣ୍ଡ ପକାଇ ଘୋଡ଼ାଇ ରଖିଲେ ଜଳର ମଇଲା ସବୁ ତଳକୁ ବସିଯାଏ । କିଛି ସମୟ ପରେ ସେହି ଜଳକୁ ଧୀରଭାବରେ ଉପରୁ ଅନ୍ୟ ପାତ୍ରକୁ ଢାଳି ବ୍ୟବହାର କରାଯାଏ ।

(୨)

ନିର୍ମଳା ଫଳଦ୍ୱାରା–ଜଳକୁ ସେହିପରି ଗୋଟିଏ ପାତ୍ରରେ ରଖି ତହିଁରେ ନିର୍ମଳାଫଳ ପକାଇ ଘୋଡ଼ାଇ ରଖିଲେ ମଇଲା ସବୁ ତଳକୁ ବସିଯାଏ ।

(୩)

ବ୍ଳଟିଂ କାଗଜ ବା ସଫାକନାରେ ଛାଣିବା ଦ୍ୱାରା- ମଇଲା ଜଳକୁ ବ୍ଳଟିଂ କାଗଜ ବା ସଫା କନାରେ ଛାଣି ଦେଲେ ତହିଁରୁ କେତେକ ମଇଲା କମିଯାଏ ।

(୪)

ଫୁଟାଇବା ଦ୍ୱାରା–ଜଳକୁ ଗୋଟିଏ ହାଣ୍ଡିରେ ବା କୌଣସି ପାତ୍ରରେ ୧୦।୧୫ ମିନିଟ ଚୁଲିରେ ରଖି ନିଆଁ ଜାଳିଲେ ଜଳ ଫୁଟେ । ଜଳ ଫୁଟିଲେ ଉତ୍ତାପରେ କୀଟାଣୁମାନେ ମରିଯାଆନ୍ତି । ସେ ଜଳକୁ ଛାଣିଦେଇ ୧୦।୧୫ ଘଣ୍ଟା ଗୋଟିଏ ପାତ୍ରରେ ଘୋଡ଼ାଇ ରଖି ଶୀତଳ ହେବା ପରେ ବ୍ୟବହାର କଲେ ଖୁବ୍‌ ଭଲ ହୁଏ । ମାତ୍ର ଏ ଜଳରେ ସ୍ୱାଦ ନ ଥାଏ-। ସୁତରାଂ କେହି କେହି ଏ ଜଳକୁ ଘୃଣା ମଧ୍ୟ କରି ଥାଆନ୍ତି । ମାତ୍ର ଏହା ସ୍ୱାସ୍ଥ୍ୟକର ଓ ନିରାପଦ ।

(୫)

ଫିଲଟରଦ୍ୱାରା–ଫିଲଟାର ଗୋଟିଏ ଯନ୍ତ୍ର । ଏଥିରେ ୪ଟି କଳସି ବା ହାଣ୍ଡି (ଯାହାର ମୁହଁ ବେଶି ଓସାର ନ ଥିବ)ର ପ୍ରୟୋଜନ । ପ୍ରଥମେ ତିନିଖଣ୍ଡି ବାଉଁଶ ବା କାଠ ଗୋଟିଏ ତ୍ରିଭୁଜାକାରରେ ଠିଆ କରି ରଖି, ସେମାନଙ୍କ ଦେହରେ କଣା କରି ସେମାନଙ୍କ ମଧ୍ୟରେ ବାଉଁଶ ବା କାଠ ଦେଇ ଚାରୋଟି ଥାକ କରିବାକୁ ହେବ, ଯେପରି ପ୍ରତ୍ୟେକ ଥାକରେ ଗୋଟିଏ ଲେଖାରେ କଳସି ବା ହାଣ୍ଡି ରହିପାରେ । ହାଣ୍ଡି ବା କଳସିର ତଳେ ଗୋଟିଏ ଗୋଟିଏ ସାନ ଛିଦ୍ର କରିବାକୁ ହେବ । ତହିଁରେ ଯେପରି ଖଣ୍ଡିଏ କୁଟା ବା ଦୁଇ ତିନୋଟି କୁଶ ଗଳି ପାରିବ । ସେହି ହାଣ୍ଡି ବା କଳସୀ ଉପରେ ଗୋଟିଏ ଲେଖାଏ ସରା ବା ଢାଙ୍କୁଣି ଥିବା ଦରକାର । ତନ୍ମଧ୍ୟରୁ ୩ଟି ସରାରେ ସାନ ଛିଦ୍ର ଆବଶ୍ୟକ । ସେ କଳସୀ ବା ହାଣ୍ଡିଗୁଡ଼ିକୁ ସେହି ବାଉଁଶ ତିଆରି ତ୍ରିଭୁଜର ଗୋଟିଏ ଗୋଟିଏ ଥାକରେ ରଖିବାକୁ ହେବ-। ଶେଷ ଥାକରେ ଛିଦ୍ର ନ ହୋଇଥିବା କଳସୀ ବା ହାଣ୍ଡିଟି ରଖାଯିବ । ମଧ୍ୟ ଦୁଇଟି ମଧ୍ୟରୁ ପ୍ରଥମଟିରେ ପଥରକୋଇଲା ବା ଅଙ୍ଗାର ଧୋଇ ପୁରାଇବାକୁ ହେବ ଓ ତଳଟିରେ (ତୃତୀୟଟିରେ) ଭଲ ବାଲି ପୂର୍ଣ୍ଣ କରିବାକୁ ହେବ । କଳସୀର ଛିଦ୍ରରେ ଗୋଟିଏ ଲେଖାଏ କୁଟା ବା ଦୁଇତିନୋଟି ଲେଖାଏ କୁଶ ଦେବାକୁ ହେବ; ଯେପରି ତହିଁରୁ ଜଳ ଠିକ୍‍ ଘୋଡ଼ଣିରେ ପଡ଼େ । ପ୍ରଥମ ଭିନ୍ନ ଅନ୍ୟ ୩ଟିରେ ଛିଦ୍ର ହୋଇଥିବା ଘୋଡ଼ଣି ଘୋଡ଼ାଇବାକୁ ହେବ । ତାହାହେଲେ ଜଳ ସେହି ଘୋଡ଼ଣିର ଛିଦ୍ରବାଟେ କଳସୀ ବା ହାଣ୍ଡିରେ ପଶିବ । ପାଣି ଗରମ କରି ପ୍ରଥମ କଳସୀରେ ଢାଳି ଦେଇ ଅଛିଦ୍ର ସରା ବା ଢାଙ୍କୁଣିଟି ଘୋଡ଼ାଇ ଦେବାକୁ ହେବ । ପ୍ରଥମରୁ ଛିଦ୍ର ଦେଇ ଜଳ ଦ୍ୱିତୀୟକୁ ଯିବ ଓ ସେଥିରେ ଅଙ୍ଗାର ମଧ୍ୟ ଦେଇ ଯିବା ସମୟରେ ତହିଁରୁ କେତେକ ମଇଲା ଅଙ୍ଗାର କଣାରେ ଲାଗି ରହିଯିବ । ତାପରେ ଜଳ ସେହି କଳସୀର ଛିଦ୍ର ଦେଇ ବାଲିପୂର୍ଣ୍ଣ କଳସୀକୁ ଆସେ । ସେଠାରେ ବାଲିକଣା ଦେହରେ ଅବଶିଷ୍ଟ ମଇଲା ଲାଗିରହି ପରିଷ୍କାର ଜଳ ସେହି କଳସୀର ଛିଦ୍ର ଦେଇ ଶେଷ କଳସୀରେ ପ୍ରବେଶ କରେ । ସେହି ଶେଷ କଳସୀରୁ ଜଳ ନେଇ ପାନୀୟ ରୂପେ ବ୍ୟବହାର କରାଯାଏ । ପ୍ରତି ୭ଦିନ ପରେ ଥରେ ଲେଖାଏ କଳସୀଗୁଡ଼ିକୁ ସଫା କରି ଦେବାକୁ ହୁଏ । ସେମାନଙ୍କରୁ ଅଙ୍ଗାର ଓ ବାଲି କାଢ଼ି ଅନ୍ୟ ଅଙ୍ଗାର ଓ ବାଲି ନ ଦେଲେ ସେମାନଙ୍କରେ ମଇଲା ଜମି ସେ ଗୁଡ଼ିକ ନଷ୍ଟ ହୋଇ ଯାଆନ୍ତି ଓ ଜଳ ସେ ଗୁଡ଼ିକର ମଧ୍ୟ ଦେଇ ଗଲାବେଳେ ପରିଷ୍କାର ହେବା ପରିବର୍ତ୍ତରେ ଦୂଷିତ ହୁଏ ।

 

ଏହି ପ୍ରକାର ଫିଲଟାର୍‌ କରିବା ସମସ୍ତଙ୍କ ପକ୍ଷରେ ସୁବିଧା ଜନକ ଓ ସହଜ ନୁହେ । ମାତ୍ର ଜଳ ସିଦ୍ଧ କରି ଖାଇବା ସମସ୍ତଙ୍କ ପକ୍ଷରେ ସହଜ । ପ୍ରତ୍ୟହ ଖାଦ୍ୟ ଦ୍ରବ୍ୟାଦି ପ୍ରସ୍ତୁତ ହୋଇସାରିବା ପରେ ସେ ନିଆଁରେ ପାଣି ହାଣ୍ଡି ବସାଇ ଦେଲେ ଅକ୍ଳେଶରେ ଫୁଟି ଯାଏ ଓ ପରେ ଛାଣି ଗୋଟିଏ ମାଠିଆ ବା କଳସୀରେ ଘୋଡ଼ାଇ ରଖିଦେଲେ ତା ପରଦିନ ପିଆଯାଏ । ଏହିପରି ପ୍ରତ୍ୟହ କଲେ ପ୍ରତ୍ୟହ ଖାଇବାର ସୁବିଧା ହୁଏ । ଏଥିରେ ବେଶି ଖରଚ ନାହିଁ ବା ପରିଶ୍ରମ ମଧ୍ୟ ନାହିଁ ଅଥଚ ସ୍ୱାସ୍ଥ୍ୟ ପକ୍ଷରେ ଖୁବ୍‌ ଭଲ ହୁଏ ।

 

ଏ ସବୁ ଉପରୋକ୍ତ ପ୍ରକାରରେ ଜଳ ପରିଷ୍କୃତ ହୁଏ ଓ ଆଂଶିକ ବିଶୁଦ୍ଧ ହୁଏ । ଜଳ ପୂର୍ଣ୍ଣ ବିଶୁଦ୍ଧ କରିବା ବଡ଼ ସହଜ ନୁହେଁ । ପୂର୍ଣ୍ଣ ବିଶୁଦ୍ଧ ଜଳ ବର୍ଣ୍ଣ ଗନ୍ଧ ସ୍ୱାଦ ବିହୀନ । ସିଦ୍ଧ ଜଳ ସ୍ୱାଦ ବିହୀନ, କାରଣ ସେଥିରୁ ଯବଖାରଯାନ (Nitrogen) ଉଡ଼ି ଯାଇଥାଏ । ପରେ ସ୍ୱାଦଯୁକ୍ତ କରିବାକୁ ହେଲେ ପାଣିକୁ ଛାଣି ତା ଉପରେ ଖଣ୍ଡିଏ ଶୁଖିଲା ପତଳା ଧୋବ କନା ବାନ୍ଧି ଦେଇ କିଛି ସମୟ ପାତ୍ରଟି ମୁକ୍ତବାୟୁରେ ରଖିଲେ ଜଳ ମୁକ୍ତ ବାୟୁ ସଂସ୍ପର୍ଶରେ ଆସି ବାୟୁମଣ୍ଡଳରୁ ଯବଖାରଯାନ ଗ୍ରହଣ କରେ । ତେଣୁ ଏହା ସ୍ୱାଦଯୁକ୍ତ ହୋଇଯାଏ ।

 

ପ୍ରତ୍ୟେକ ଲୋକ ଜଳ ସିଦ୍ଧ କରି ଖାଇବାର ଅଭ୍ୟାସ କରିବା ଖୁବ୍‌ ଭଲ । ମାତ୍ର ସେଥି ପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ । ସେଥିପାଇଁ ପ୍ରତ୍ୟେକ ସ୍ଥାନରେ ଅନ୍ତତଃ ଗୋଟିଏ ଲେଖାଏ କୂପ ବା ପୁଷ୍କରିଣୀ ପାନୀୟ ନିମିତ୍ତ ପୃଥକ କରି ରଖିବା ଦରକାର । କୂପକୁ ପାନୋପଯୋଗୀ କରିବାକୁ ହେଲେ ନିମ୍ନଲିଖିତ ନିୟମ ସବୁ ପାଳନ କରିବା ଦରକାର :–

 

(୧)

କୂପ ଯେତେ ଗଭୀର ହେବ ଜଳ ପୃଥିବୀର ସେତେ ସ୍ତର ଭେଦ କରି ସେଠାରେ ଝରଣାକାରରେ ବାହାରିବ । ସୁତରାଂ ଜଳର ମଇଳା ଅଂଶ ସବୁ ପୃଥିବୀର ସ୍ତରମାନଙ୍କରେ ଲାଗି ରହିଯିବ ଓ ପରିଷ୍କାର ଜଳ ଶେଷରେ ଝରିବ ।

(୨)

କୂପର ଉପରେ ଗୋଟିଏ ପଥର ବା ମାଟିର ନନ୍ଦ ଥିବା ଆବଶ୍ୟକ । ଯେପରି ଚତୁର୍ଦ୍ଦିଗରୁ ବର୍ଷା ମଇଲା ପାଣି ଗଡ଼ି କୂପରେ ନ ପଡ଼େ ।

(୩)

କୂପର ଚାରିପାଖରେ ତାର ଗଭୀରତାର ଦୁଇଗୁଣ ଓସାର ଭିତରେ କୌଣସି ଖାଲ, ଚୂଆ, ମଇଲାଗଦା, ଗୋବର ଗଦା ବା ନାଳ ପ୍ରଭୃତି ନ ଥିବ । କାରଣ କୂପ ତା’ର ଗଭୀରତାର ଦୁଇଗୁଣ ଦୂରରୁ ଜଳ ଟାଣିପାରେ । ଯଦି ସେଠାରେ କୌଣସି ମଇଲା ପାଣି ବା ମଇଲା ଗଦା ଥାଏ ତାହାହେଲେ କୂପର ଜଳ ଦୂଷିତ ହୋଇ ଯାଏ ।

(୪)

କୂପ ମୂଳରେ କେହି ଗାଧୋଇବେ ନାହିଁ, ମଇଲା ଲୁଗାପଟା ଧୋଇବେ ନାହିଁ, କଂସା ବାସନ ମାଜିବେ ନାହିଁ । ଏ ସବୁ କରିବା ଦ୍ୱାରା କୂପର ଜଳ ଦୂଷିତ ହୁଏ ।

(୫)

କୂପରେ ମଇଲା ପାତ୍ରାଦି ଜଳ ନିମିତ୍ତ ବୁଡ଼ାଇବା ଠିକ୍‌ ନୁହେ ଓ କୂପର ଦଉଡ଼ି ସର୍ବଦା ପରିଷ୍କାର ରଖିବା ଦରକାର ।

(୬)

କୂପରେ ଅନ୍ତତଃ ପ୍ରତି ମାସରେ ଥରେ ଲେଖାଏଁ ପରମାଙ୍ଗନେଟ୍‌ ଅବ୍‌ ପଟାସ୍‌ ପକାଇବା ଦ୍ୱାରା ସଂକ୍ରାମକ ରୋଗର ଜୀବାଣୁ ସବୁ ମରିଯାନ୍ତି ଓ ଜଳ ପରିଷ୍କାର ରହେ । ପଟାସ୍‌ ପାଣିରେ ପକାଇବାର ଅନ୍ତତଃ ତିନିଦିନ ପର୍ଯ୍ୟନ୍ତ ସେ ଜଳ ବ୍ୟବହାର କରିବାର ନୁହେ, କାରଣ ପାଣିର ବର୍ଣ୍ଣ ଲାଲ ହୋଇ ଯାଏ ।

 

ପୁଷ୍କରିଣୀର ପାଣି ପାନୋପଯୋଗୀ ରଖିବାର ନିୟମ :–

 

(୧)

ପୁଷ୍କରିଣୀ ଗଭୀର ଓ ପ୍ରଶସ୍ତ ହେଲେ ସବୁ ଦିନେ ତହିଁରେ ଜଳ ରହେ; ନ ହେଲେ ଖରା ଦିନରେ ଶୁଖିଯାଏ ।

(୨)

କୂପରେ ବଡ଼ ଉଚ୍ଚ ପଥର ବା ମାଟିର ନନ୍ଦ ଦେଲା ପରି ପୁଷ୍କରିଣୀ ଚାରିପାଖରେ ଉଚ୍ଚ ବନ୍ଧ ଥିବା ଦରକାର । ବନ୍ଧ ଥିଲେ ବାହାରର ମଇଲା ଜଳ ପୁଷ୍କରିଣୀରେ ପ୍ରବେଶ କରିପାରେ ନାହିଁ ।

(୩)

ପୁଷ୍କରିଣୀର ବନ୍ଧ ଉପରେ ବା ନିକଟରେ ଝାଡ଼ା ଫେରିବା ବା ମୁର୍ଦାର ପୋଡ଼ିବା ଠିକ୍‌ ନୁହେ । ଏହାଦ୍ୱାରା ବର୍ଷାରେ ସେ ସବୁ ଧୋଇ ହୋଇ ଆସି ଜଳରେ ମିଶେ ଓ ଜଳ ଦୂଷିତ ହୋଇ ଯାଏ । ମାତ୍ର ପ୍ରାୟ ଅଧିକାଂଶ ସ୍ଥାନରେ ପୁଷ୍କରିଣୀର ହୁଡ଼ା ବା ବନ୍ଧକୁ ପାଇଖାନା କରି ଥିବାର ଓ ପାଖରେ ଶ୍ମଶାନ କରିଥିବାର ଦେଖାଯାଏ ।

(୪)

ଯେଉଁ ପୁଷ୍କରିଣୀ ପାନୀୟ ପାଇଁ ରହିବ ସେଥିରେ ଗାଧୋଇବା, ବାସନ ମାଜିବା, ମଇଲା ଲୁଗା ଧୋଇବା, ଗୋରୁ ଗାଈ ଗାଧୋଇବା, ଦାନ୍ତ ଘସିବା, ଶୌଚାଦି କରିବା ଉଚିତ ନୁହେ ।

(୫)

ପୁଷ୍କରିଣୀର ବନ୍ଧରେ ଗଛପତ୍ରାଦି ରଖିବାର ନୁହେ । ଗଛ ଥିଲେ ତହିଁରୁ ପତ୍ର ସବୁ ପାଣିରେ ପଡ଼େ ଓ ସଡ଼ିଯାଇ ପାଣି ନଷ୍ଟ କରିଦିଏ ।

(୬)

ପୁଷ୍କରିଣୀ ଯେପରି ଚତୁର୍ଦ୍ଦିଗରେ ଆବଦ୍ଧ ନ ହୁଏ ସେଥି ପାଇଁ ଦୃଷ୍ଟି ରଖିବା ଦରକାର । ପାଖରେ ଥିବା ନଦୀ, ନାଳ ପ୍ରଭୃତି ସଙ୍ଗେ ତାର ପୋଲ ଦ୍ୱାରା ସମ୍ବନ୍ଧ ରଖିବା ଦରକାର । ଏହାଦ୍ୱାରା ପାଣିର ଗତି ଥାଏ । ଆବଦ୍ଧ ପୁଷ୍କରିଣୀର ଜଳ ନେଳି ହୋଇ ପାରେ, ଦୁର୍ଗନ୍ଧ ହୋଇ ପାରେ । ମାତ୍ର ତାର ଅନ୍ୟ ବୃହତ୍‌ ଜଳାଶୟ ସଙ୍ଗେ ସମ୍ବନ୍ଧ ଥିଲେ, ଜଳ ଏକସ୍ଥାନରୁ ଅନ୍ୟସ୍ଥାନକୁ ପରିଚାଳିତ ହୁଏ ଏବଂ ନଦୀରେ ସ୍ରୋତ ଥିଲେ ଯେପରି ଜଳ ପରିଷ୍କୃତ ଥାଏ, ସେହିପରି ଏହାର ଗତି ଥିବାରୁ ଏହା ସବୁବେଳେ ପରିଷ୍କାର ରହେ ।

(୭)

ପୁଷ୍କରିଣୀର ଯେ କୌଣସି ପ୍ରକାର ଜଳ ହେଉ ନା କାହିଁକି ସଙ୍ଗେ ସଙ୍ଗେ ତାକୁ ସଫା କରିଦେବା ଦରକାର । ତା ନ ହେଲେ ଜଳ ସବୁ ପଚିଯାଏ । ପାଣି ଦୁର୍ଗନ୍ଧ ହୁଏ । ଦଳ ଥିଲେ ପାଣିରେ ସୂର୍ଯ୍ୟାଲୋକ ପଡ଼େ ନାହିଁ । ଦଳଦ୍ୱାରା ମଧ୍ୟ ପୁଷ୍କରିଣୀ ପୋତି ହୋଇ ଯାଏ ।

(୯)

ସମୟ ସମୟେ ପୁଷ୍କରିଣୀରେ ପରମାଙ୍ଗ୍‌ ନେଟ୍‌ ଅବ୍‌ ପଟାସ୍‌ ଦେଲେ ଜଳ ସଂକ୍ରାମକ ରୋଗଜୀବାଣୁ ମୁକ୍ତ ହୁଏ ।

 

ନଦୀଜଳ :– ନଦୀ ପର୍ବତରୁ ବା କୌଣସି ଉଚ୍ଚ ସ୍ଥାନରୁ ବହି ଆସି ଥାଏ । ଏହାର ପାଣି ନାନା ଧାତୁ ଓ ନାନା ପ୍ରକାର ମୃତ୍ତିକାର ସଂସ୍ପର୍ଶରେ ଆସିଥାଏ । ସୁତରାଂ ସ୍ୱାଦଯୁକ୍ତ ହୁଏ । ଅନେକ ଲୋକ ନଦୀଜଳ ବ୍ୟବହାର କରନ୍ତି । ବାସ୍ତବିକ ମଧ୍ୟ ନଦୀଜଳ ଅନ୍ୟ ଜଳଠାରୁ ସ୍ୱାସ୍ଥ୍ୟକର । ଏହାର କାରଣ ଏହା- ନାନା ଧାତୁ ସଂସ୍ପର୍ଶରେ ଆସି ଥିବାରୁ ସେହି ସେହି ଧାତୁମାନଙ୍କର ଅଂଶ ଏଥିରେ ମିଶିଥାଏ । କେତେକ ଧାତୁର ଜୀର୍ଣ୍ଣକାରୀ ଶକ୍ତି ଅଛି । ସେମାନଙ୍କର ସଂସ୍ପର୍ଶରେ ଆସିଲେ ଏହା ଜୀର୍ଣ୍ଣକାରକ ହୁଏ । ଆଉ ମଧ୍ୟ ନଦୀରେ ସ୍ରୋତ ଥାଏ ବୋଲି କୌଣସି ମଇଳା ଏଥିରେ ରହିପାରେ ନାହିଁ । ଯେପରି ମନୁଷ୍ୟର କାର୍ଯ୍ୟ କରିବା ପ୍ରକୃତି ସେହିପରି ଜଳର ବହିଯିବା ପ୍ରକୃତି । ମନୁଷ୍ୟ କାର୍ଯ୍ୟ ନ କଲେ ଯେପରି ଅବଶ ଓ ନିସ୍ତେଜ ହୁଏ, ଜଳ ସେହିପରି ନ ବହିଲେ ନିସ୍ତେଜ ହୋଇ ଯାଏ । ନଦୀର ଜଳ ସର୍ବଦା ବହୁଥାଏ ବୋଲି ଏହା ସ୍ୱାସ୍ଥ୍ୟକର ଓ ପ୍ରୀତିକର ।

 

ନଦୀର ଜଳ କିପରି ମଇଲା ହୁଏ :– ବର୍ଷା ଦିନରେ ନଦୀ ବଢ଼େ । ଏହାର ଉତ୍ପତ୍ତି ସ୍ଥାନରେ ବର୍ଷା ହେବାରୁ ଜଳସବୁ ନୀଚକୁ ଗଡ଼ିଆସେ । ବାଟରେ ଆସିବା ବେଳେ ସ୍ରୋତର ଗତି ଏତେ ପ୍ରବଳ ଥାଏ ଯେ, ବହୁତ ଘର, ଦ୍ୱାର, କାଷ୍ଠ, ମୃତ୍ତିକା ଯାହା ପାଏ ଭସାଇ ଆଣେ । ତେଣୁ ପାଣିର ବର୍ଣ୍ଣ ଗୋଳିଆ ହୋଇଯାଏ । ଏହି ଦିନରେ ନଦୀପାଣିକୁ ଆଣି ନିର୍ମଳା ପକାଇ ଏକ ଦିନ ରଖି ଉପରୁ ନିଗାଡ଼ି ବ୍ୟବହାର କରିଥାନ୍ତି । ବହୁ ସମୟରେ ଲୋକେ ନଦୀରେ ମୁର୍ଦ୍ଦାର ଭସାଇ ଦିଅନ୍ତି । ଏହାଦ୍ୱାରା ମୁର୍ଦାର ପାଣିରେ ସଢ଼ିଯାଇ ତା ଦେହରେ କୀଟାଣୁ ହୋଇ ସେମାନେ ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୁଅନ୍ତି । ଯଦି କୌଣସି ସଂକ୍ରାମକ ରୋଗରେ ମରିଯାଇଥାଏ, ତେବେ ସେହି ରୋଗର ଜୀବାଣୁ ନଦୀ ଜଳରେ ମିଶି ଆମ୍ଭମାନଙ୍କ ଶରୀରରେ ପ୍ରବେଶ କରନ୍ତି । ସ୍ଥାନେ ସ୍ଥାନେ ସହରର ନର୍ଦମା ସବୁ ଯାଇ ନଦୀରେ ପଡ଼ିଥାଏ । ଏହି ନର୍ଦମାମାନଙ୍କ ଦ୍ୱାରା ସହରର ମଇଲା ସବୁ ଯାଇ ନଦୀରେ ପଡ଼େ । ଅନେକ ସ୍ଥାନରେ ନଦୀରେ ଶ୍ମଶାନ ଥାଏ ଓ ନଦୀକୁ ମନୁଷ୍ୟମାନେ ପାଇଖାନା ରୂପେ ବ୍ୟବହାର ମଧ୍ୟ କରିଥାନ୍ତି । ଏହାଦ୍ୱାରା ନଦୀଜଳ ଦୂଷିତ ହୁଏ । ନଦୀ କୂଳରେ ଓ ମଧ୍ୟରେ ଅନେକ ଗଛ ଲତାଦି ଥିବାରୁ ସେମାନଙ୍କର ପତ୍ରାଦି ପଡ଼ି ଜଳ ମଧ୍ୟ ଦୂଷିତ ହୁଏ ।

 

ନଦୀଜଳ କିପରି ବ୍ୟବହାର୍ଯ୍ୟ :– ପାନୀୟ ରୂପେ ବ୍ୟବହାର କରିବାକୁ ହେଲେ ନଦୀଜଳକୁ ଫୁଟାଇ ଛାଣି ବ୍ୟବହାର କରିବା ଭଲ । କାରଣ ନଦୀଜଳ ଅନ୍ୟଜଳଠାରୁ ବିଶେଷ ସ୍ୱାସ୍ଥ୍ୟକର ହେଲେହେଁ ଏଥିରେ ସଂକ୍ରାମକ ରୋଗର ଜୀବାଣୁ ଥିବାର ବିଶେଷ ସମ୍ଭାବନା । କଲିକତାରେ ନଦୀଜଳ ଶୋଧିତ ହୋଇ ସହରଯାକ ଯୋଗାଯାଏ । ପୂର୍ବେ ଶୋଧିତ ଜଳ କଲିକତାରେ ଜନ ସାଧାରଣ ବ୍ୟବହାର କରୁ ନ ଥିଲେ । ବର୍ତ୍ତମାନ ଶୋଧିତ ଜଳ ବ୍ୟବହାର କରିବାରୁ ସଂକ୍ରାମକ ରୋଗିର ସଂଖ୍ୟା ଟିକିଏ କମ ଅଛି ।

 

ବର୍ଷାଜଳ :– ଯେଉଁ ଜଳ ବୃଷ୍ଟି ହୁଏ ତାହା କୌଣସି ପ୍ରକାର ମୃତ୍ତିକା ବା ଧାତୁର ସଂସ୍ପର୍ଶରେ ଆସି ନ ଥାଏ । ସେହି ଜଳକୁ ବଡ଼ ବଡ଼ ଡାକ୍ତରମାନେ ବିଶୁଦ୍ଧ ବୋଲି କହନ୍ତି । ଅନେକ ମଧ୍ୟ ସେହି ବର୍ଷା ଜଳ ଧରି ପାନୀୟ ରୂପେ ବ୍ୟବହାର କରନ୍ତି ।

 

କିପରି ବର୍ଷାଜଳ ଧରା ଯାଏ :– ବର୍ଷା ହେବା ସମୟରେ ପ୍ରଥମ ଅସରାକ ବା ଦୁଇ ଅସରା ବାଦ୍‌ ଜଳ ଧରା ଯାଏ । କାରଣ ପ୍ରଥମ ଓ ଦ୍ୱିତୀୟ ଅସରାରେ ବାୟୁମଣ୍ଡଳର ମଇଲା ସବୁ ଜଳରେ ଧୋଇ ହୋଇଯାଇ ବାୟୁମଣ୍ଡଳ ନିର୍ମଳ ହୋଇଯାଏ । ସେହି ସମୟରେ ଗୋଟିଏ ପଦା ସ୍ଥାନରେ ବା କୋଠା ଉପରେ ଚାରିଖଣ୍ଡ କାଠି ପୋତି ତହିଁରେ ଖଣ୍ଡିଏ ଭଲ ସଫା କନାର ଚାରିକୋଣ ବାନ୍ଧି ଦିଅନ୍ତି । ସେହି କନାର ତଳେ ଗୋଟିଏ ହାଣ୍ଡି ବା ପିତଳର ହଣ୍ଡା ଖଣ୍ଡିଏ ପଥର ଉପରେ ବା କୌଣସି ଉଚ୍ଚସ୍ଥାନରେ ରଖିବାକୁ ହୁଏ । ସେହି କନାର ଠିକ୍‍ ମଧ୍ୟ ଭାଗରେ ଖଣ୍ଡିଏ ପରିଷ୍କାର ପଥର ରଖିବାକୁ ହୁଏ । ତାହାହେଲେ ସେ କନାରେ ଯେଉଁ ବର୍ଷା ହୁଏ ତାହା ଗଡ଼ି ଆସି ତଳରେ ଥିବା ହାଣ୍ଡି ବା ହଣ୍ଡାରେ ପଡ଼େ । ସେହି ଜଳ ବିଶୁଦ୍ଧ ବୋଲି ବଡ଼ ବଡ଼ ବୈଜ୍ଞାନିକମାନଙ୍କର ମତ ।

Image

 

ମାଦକ ଦ୍ରବ୍ୟ

 

ଯେଉଁ ଦ୍ରବ୍ୟ ଖାଇଲେ ବା ଆଘ୍ରାଣ କଲେ ମାଦକତା ଆସେ ବା ଉତ୍ତେଜନା ଆସେ ତାକୁ ମାଦକ ଦ୍ରବ୍ୟ କହନ୍ତି । ଗଞ୍ଜେଇ, ଅଫିମ, ବ୍ରାଣ୍ଡି, ମଦ ପ୍ରଭୃତି ମାଦକ ଦ୍ରବ୍ୟ ଶ୍ରେଣୀୟ ।

 

ମାନବେତର ପ୍ରାଣିମାନେ ହିତାହିତ ଜ୍ଞାନଶୂନ୍ୟ ଓ ବିବେକବିହୀନ; ମାତ୍ର ମାନବର ହିତାହିତ ଜ୍ଞାନ ଅଛି । ସେ ଭଲ ମନ୍ଦ ବୁଝି ପାରେ, ଆଗ ପଛ ବିଚାରି କାର୍ଯ୍ୟ କରେ । ସଂସାର କ୍ଷେତ୍ରରେ ତା’କୁ ବହୁତ ଦୁଃଖ କଷ୍ଟ ସହିବାକୁ ପଡ଼େ । କୁଟୁମ୍ବ ପ୍ରତିପୋଷଣ ପାଇଁ ବା ନିଜ ପାଇଁ, ରୋଗ ଯନ୍ତ୍ରଣାରୁ ମୁକ୍ତ ଲଭିବା ପାଇଁ ତାକୁ ବହୁ ଚିନ୍ତା କରିବାକୁ ପଡ଼େ । ସାଂସାରିକ ଚିନ୍ତାରୁ କ୍ଷଣକାଳ ବିରାମ ଲାଭ କରିବାକୁ ତା’କୁ ସୁଖକର ବୋଧ ହୁଏ । ସୁତରାଂ ସଂସାରର ଦୁଃଖ, କଷ୍ଟ, ରୋଗ, ଯନ୍ତ୍ରଣା, ପାପତାପରୁ କ୍ଷଣିକ ବିରାମ ଲାଭ କରିବା ପାଇଁ ସେ ମାଦକ ଦ୍ରବ୍ୟ ସେବନ କରିଥାଏ । ଆଉ ମଧ୍ୟ କେହି କେହି ଏହାକୁ ପ୍ରଥମରୁ ଔଷଧାର୍ଥ ବ୍ୟବହାର କରିଥାନ୍ତି । କେହି ନିଜର ପାଶବିକ ବୃତ୍ତିର ଉତ୍ତେଜନା ପାଇଁ, କେହି ମାଦକଦ୍ରବ୍ୟକୁ ଗୋଟିଏ ବିଳାସ ମନେ କରି ବ୍ୟବହାର କରିଥାନ୍ତି । ଏହାର ବ୍ୟବହାରରେ ମାନବର ଚିତ୍ତ ବୃତ୍ତି ଦୁର୍ବଳ ହୋଇଯାଏ; ସେ ହିତାହିତ ଜ୍ଞାନଶୂନ୍ୟ ହୁଏ । ଭଲ ମନ୍ଦ ଭାବିପାରେ ନାହିଁ । ତା’ର ମନ ସେତେବେଳେ ସଂସାରର ଦୁଃଖ, କଷ୍ଟ, ପାପ, ତାପ, ଜ୍ୱାଳା ଯନ୍ତ୍ରଣାରୁ ଭୁଲି ଯାଇ ସୁଖର ରାଜ୍ୟରେ କ୍ଷଣକ ପାଇଁ ବିଚରଣ କରେ । ସେତେବେଳେ ତା’ର କିଛି ମାତ୍ର ନିଜତ୍ୱ ନ ଥାଏ । ମନରେ ଯେ ଭାବର ଉଦୟ ହୁଏ, ସେ କିଛି ଭ୍ରୂକ୍ଷେପ ନ କରି ଆଗପଛ ନ ବିଚାରି କରି ଯାଏ । ସେତେବେଳେ ନରହତ୍ୟା କରିବାକୁ ସେ ପାପ ମନେ କରେ ନାହିଁ । ଏହି କ୍ଷଣିକ ଉତ୍ତେଜନା ସୁଖରେ ମାନବ ଭୁଲି ଯାଏ । ମାଦକ ଦ୍ରବ୍ୟକୁ ସେ ଦୁଃଖହର ଔଷଧ ବୋଲି ମନେ କରି ଆଦର କରିଥାଏ । ଏହାଦ୍ୱାରା ତା’ର ପାଶବିକ ଲିପ୍‌ସା ଉତ୍ତେଜିତ ହୁଏ । ଏହାର ସେହି ଆପାତ ମଧୁର ସୁଖରେ ଭୁଲି ମାନବ କ୍ରମେ କ୍ରମେ ତା’ର ଦାସ ହୁଏ । ମରୀଚିକା ଯେପରି ଆଶା ଦେଇ ବହୁ ଦୂରକୁ ନେଇଯାଏ, ସେହିପରି ଏହାର ପଛରେ ଧାବମାନ ହୋଇ ମାନବ ବହୁ ଦୂରକୁ ଚାଲି ଯାଏ । ମରୀଚିକାକୁ ବିଶ୍ୱାସ କରି ତା’ର ପଛରେ ଯାଇ ଯାଇ ଶେଷରେ ଯେପରି ପଥଶ୍ରାନ୍ତ ଓ କ୍ଳାନ୍ତ ହୋଇ ମରିବାକୁ ହୁଏ । ଏହା ପଛରେ ଧାବମାନ ମାନବ ଶେଷରେ ସେହିପରି ବହୁ ଜ୍ୱାଳା ଯନ୍ତ୍ରଣା ଭୋଗ କରି ମରେ ।

 

ପୃଥିବୀରେ ଯେତେ ଅପକାର୍ଯ୍ୟ ହୋଇଥାଏ, ସମସ୍ତ ଏହାରି ଗୁଣ । ମାନବ ମାଦକ ଦ୍ରବ୍ୟର ଉତ୍ତେଜନାରେ ସବୁ ଅପକାର୍ଯ୍ୟ କରିଥାଏ । କୌଣସି ନୃଶଂସ କାର୍ଯ୍ୟ କରିବାକୁ ମାନବର ସହଜରେ ଇଚ୍ଛା ଯାଏ ନାହିଁ । ମାତ୍ର ଏହାରି ଉତ୍ତେଜନାରେ ମାନବ ତାକୁ ପାପ ମନେ ନ କରି ଅକୁଣ୍ଠିତ ଚିତ୍ତରେ କରିଯାଏ । ଏପରିକି ହିସାବ କରି ଦେଖିଲେ ପୃଥିବୀରେ ଯେତେ ଖୁନ୍‌, ଚୋରୀ, ଡକାୟତି ପ୍ରଭୃତି ପାପ କାର୍ଯ୍ୟ ହୁଏ, ସବୁ ଏହି ନିଶାଖୋରଙ୍କ ଦ୍ୱାରା ସାଧିତ ହୁଏ । ଆଉ ମଧ୍ୟ ଦେଖିବାକୁ ଗଲେ ମାନବ ଏହାର ଦାସ ହୋଇ ତା’ର ଅବସ୍ଥା ଶୋଚନୀୟ ହୋଇଯାଏ । କ୍ରମେ କ୍ରମେ ସେ ଏହାରି କବଳରେ ପଡ଼ି ଏହାର ମୋହିନୀ ଶକ୍ତିରେ ଭୁଲିଯାଇ ଘରଦ୍ୱାର, ଜମିବାଡ଼ି, ସ୍ତ୍ରୀ ପୁତ୍ର ସବୁ ଭୁଲି ଯାଇ ଓ ଘରଦ୍ୱାର, ଜମିବାଡ଼ି ସବୁ ବିକି ଦେଇ ପଥର କାଙ୍ଗାଳ ହୁଏ । ଏ ଦୃଷ୍ଟାନ୍ତ ବର୍ତ୍ତମାନ ଯୁଗରେ ବିରଳ ନୁହେ । ତୁମ୍ଭେମାନେ ଏ ଦୃଷ୍ଟାନ୍ତ ବହୁତ ଦେଖିଥିବ । ମାନବ କ୍ରମେ ଏହାର ଏତେ ଦାସ ହୋଇ ପଡ଼େ ଯେ, ସେ କ୍ରମେ ଚୋରି କରି ଏହାର ଉପାସନା କରେ । ଶେଷରେ ଡକାୟତି କରି ନାନା ଯନ୍ତ୍ରଣାରେ ମରେ । କେତେ ଜମିଦାର, କେତେ ଧନୀ, କେତେ ରାଜା ମଧ୍ୟ ଏହାରି କବଳରେ ପଡ଼ି ପଥର କାଙ୍ଗାଳ ହୋଇଛନ୍ତି । କେତେ ଉଚ୍ଚ ଶିକ୍ଷିତ ନବ୍ୟ ସଭ୍ୟ ବାବୁମାନେ ଏହାର ଉପାସନା କରି ହୃଦ୍‌ରୋଗ (heart-fail)ରେ ମରିଥିବାର ଶୁଣିଥିବ । ଏ ବିଷୟରେ ଅନ୍ୟ କିଛି ଉଦାହରଣ ନିଷ୍ପ୍ରୟୋଜନ; କାରଣ ବର୍ତ୍ତମାନ ଏ ନବ୍ୟ ସଭ୍ୟ ଯୁଗରେ ଏହାର ଦୃଷ୍ଟାନ୍ତ ସର୍ବତ୍ର ବିଦ୍ୟମାନ ।

 

ପାଶ୍ଚାତ୍ୟ ଦେଶରେ ମଦ୍ୟକୁ ଖାଦ୍ୟ ସଙ୍ଗରେ ବ୍ୟବହାର କରିଥାନ୍ତି । ତେଣୁ ବର୍ତ୍ତମାନ ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ମଧ୍ୟରୁ କେତେକ ଏହାକୁ ଶିକ୍ଷାର ଗୋଟିଏ ଅଂଶ ବିଚାରି ବ୍ୟବହାର କରିବାକୁ ଛାଡ଼ନ୍ତି ନାହିଁ ଓ ଶେଷରେ ହଇରାଣ ହୋଇ ମରନ୍ତି । ବର୍ତ୍ତମାନ ଆମେରିକାରେ ଏହାର ଆଉ ବ୍ୟବହାର ନାହିଁ । ସେମାନେ ଏହାର ଅପକାରିତା ବୁଝିଲେଣି । ବିଲାତରେ ମଧ୍ୟ ସେ ନିୟମ କ୍ରମେ ହେବ । ଦିନେ ସମସ୍ତ ପୃଥିବୀ ଏହାର ଅପକାରିତା ବୁଝିବେ ଓ ବାଧ୍ୟ ହୋଇ ଛାଡ଼ିବେ ।

 

ଏହାର ଦାସମାନେ କହିବାର ଶୁଣାଯାଏ ଯେ, ଏହାକୁ ଛାଡ଼ି ହେବ ନାହିଁ । ବାସ୍ତବିକ ଏହାର ମୋହିନୀ ଶକ୍ତିକୁ ଭୁଲିବା ବଡ଼ ସହଜ ନୁହେ । କିନ୍ତୁ ମନ ଦୃଢ଼ ହେଲେ ସବୁ ଭୁଲା ଯାଇପାରେ । ମନରେ ଦୃଢ଼ତା ଥିଲେ ମାନବ ଏହାର ଦାସ ହୁଅନ୍ତା ନାହିଁ । କେତେକ ମଧ୍ୟ ଏହାର ଅପକାରିତା ବୁଝନ୍ତି; ବେଳେ ବେଳେ ମଧ୍ୟ ଅନୁତାପ କରନ୍ତି; ମାତ୍ର ପୁନର୍ବାର ତା’ର ସେହି ଆପାତ ମଧୁର ସୁଖରେ ଭୁଲିଯାଇ ତା’ର ଅନୁରକ୍ତ ହୁଅନ୍ତି । ପଚାରିଲେ କହନ୍ତି, ‘‘ଆମ୍ଭେମାନେ ଏହାକୁ ଛାଡ଼ିବାକୁ ଯାଉଛୁ, ମାତ୍ର ସେ ଆମ୍ଭମାନଙ୍କୁ ଛାଡ଼ୁ ନାହିଁ ।’’ ସେମାନଙ୍କ କଥାରୁ ଯେପରି ଜଣାଯାଏ, ସେମାନଙ୍କର ମନବଳ ନାହିଁ । ସବୁ ବଳ, ଦମ୍ଭ, ଶକ୍ତି, ସାମର୍ଥ୍ୟ କ୍ରମେ ଲୋପ ହୋଇଯାଇଛି ।

 

ଚିନ୍‌ ସାମ୍ରାଜ୍ୟର ଲୋକେ ଖୁବ୍‌ ଅଫିମ ଖୋର ଥିଲେ; ମାତ୍ର ଏକା ଦିନରେ ସମସ୍ତେ ଛାଡ଼ି ଦେଲେ । ଆମେରିକାବାସୀମାନେ ମଦର ବ୍ୟବହାର ଏକାବେଳକେ ଛାଡ଼ି ଦେଇପାରିଲେ, ମାତ୍ର ଆମ ଦେଶରେ ମାଦକ ଦ୍ରବ୍ୟର ବ୍ୟବହାର ଦିନୁ ଦିନ ବଢ଼ୁଛି । ଏଥିରୁ ଆମ୍ଭମାନଙ୍କର ବଳ, ଶକ୍ତି ନ ଥିବାର ପରିଷ୍କାର ଜଣାଯାଏ । ଆମ୍ଭେମାନେ ଦେଖୁଥାଇ ଓ ଜାଣୁଥାଇ ଯେ, ଏହା ମାନବର ଚିର ଶତ୍ରୁ । ଅନ୍ୟ ଶତ୍ରୁ କବଳରୁ ରକ୍ଷା ମିଳିପାରେ; ମାତ୍ର ଏ ଶତ୍ରୁ ସମୂଳେ ବିନାଶ ନ କରି ଛାଡ଼େ ନାହିଁ । ତଥାପି ଆମ୍ଭେମାନେ ଜାଣି ଶୁଣି ଏହାର ଆଶ୍ରୟ ଗ୍ରହଣ କରିଥାଉଁ । ଏହା ଆମ୍ଭମାନଙ୍କର ଦୁର୍ବଳତାର ପରିଚାଳକ ନୁହେ କି ? ଦେଶର ଭିବଷ୍ୟତ ବାଳକ ଓ ଯୁବକମାନଙ୍କ ଉପରେ ନିର୍ଭର କରେ । ଦେଶର ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ସେମାନଙ୍କର ଆଗରୁ ସାବଧାନ ହେବା ନିତାନ୍ତ ଦରକାର । ସେମାନଙ୍କର ସର୍ବଶ୍ରେଷ୍ଠ ଓ ପ୍ରଥମ କର୍ତ୍ତବ୍ୟ ଦେଶରୁ ମାଦକନିବାରଣ । ସେମାନେ ନିଜେ ନିଜେ ଏହାଠାରୁ ଦୂରରେ ରହି, ଅନ୍ୟମାନଙ୍କୁ ଏହାର ଅପକାରିତା ଦେଖାଇ, ନ ଖାଇବାକୁ ଅନୁରୋଧ କରିବା ଉଚିତ ।

 

ଆୟ ବ୍ୟୟର ବାର୍ଷିକ ହିସାବରୁ ଯେପରି ଜଣାଯାଏ, ଦେଶରେ ମାଦକ ଦ୍ରବ୍ୟର ବିକ୍ରି ଦିନ ଦିନ ବଢ଼ୁଛି । ଯଦି ମାଦକସେବିମାନଙ୍କର ସଂଖ୍ୟା ନ ବଢ଼ନ୍ତା ତେବେ ବିକ୍ରି ସହଜେ ବଢ଼ନ୍ତା ନାହିଁ । ଏଥିରୁ ଜଣା ଯାଉଛି ଯେ, ଦିନୁଦିନ ବେଶି ଲୋକେ ମାଦକ ଦ୍ରବ୍ୟ ସେବନ କରୁଛନ୍ତି । ତାର ଏ ବିଭୀଷିକାମୟ ଭବିଷ୍ୟତ ସମ୍ମୁଖରେ ଦେଖି ମଧ୍ୟ କିପରି ଯେ ତା’ର ପ୍ରଲୋଭନ ଛାଡ଼ିପାରୁ ନାହାନ୍ତି, ଏହା ବଡ଼ ଆଶ୍ଚର୍ଯ୍ୟର ବିଷୟ । ତୁମ୍ଭମାନଙ୍କର ପିତା, ଭାଇ, ବନ୍ଧୁମାନେ ଯେ ଏ ପଥର ପଥିକ ନ ଥିବେ କିଏ କହିବ ? ବର୍ତ୍ତମାନ ସମାଜର ଦୁରବସ୍ଥା ସମୟରେ ଆମ୍ଭମାନଙ୍କର ଏ ପଥ ତ୍ୟାଗ କରିବା ଉଚିତ । ଆମ୍ଭେମାନେ ଯେ କେବଳ ତ୍ୟାଗ କରିବା ତାହା ନୁହେ, ଅନ୍ୟମାନଙ୍କୁ ତ୍ୟାଗ କରିବାକୁ ଅନୁରୋଧ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ନୁହେ କି ? କେତେକ ପରିବାରରେ ପିତା ପୁତ୍ରକୁ ମାଦକ ଦ୍ରବ୍ୟ ସେବନ କରିବାକୁ ପ୍ରଶ୍ରୟ ଦେଇଥିବାର ଦେଖା ଯାଏ । ବାସ୍ତବିକ ଦେଖିଲେ ବଡ଼ ଦୁଃଖ ଲାଗେ ଓ ହତାଶ ହେବାକୁ ହୁଏ ଯେ ଆମ୍ଭମାନଙ୍କ ଦେଶରେ କେତେକ ଅଭିଭାବକ ନିଜ ସନ୍ତାନ ସନ୍ତତିମାନଙ୍କୁ ଭଲ ଦିଗରେ ପରିଚାଳିତ କରିବା ଦୂରେ ଥାଉ ଅସତ୍‌ ମାର୍ଗରେ ପରିଚାଳିତ ହେବାକୁ ପରାମର୍ଶ ଦିଅନ୍ତି । ସେପରି ଅଭିଭାବକ ପ୍ରକୃତରେ ଅଭିଭାବକ ନୁହନ୍ତି ବୋଲି କୁହା ଯାଇପାରେ । ଅନ୍ୟ ଦିଗରେ ଦେଖିଲେ ସେମାନେ ନିର୍ଦୋଷ; କାରଣ ସନ୍ତାନ ସନ୍ତତିମାନଙ୍କର ଏହା ଦୁରବସ୍ଥାର କାରଣ ହେବ ବୋଲି ସେମାନେ କଳ୍ପନା କରି ନ ଥାନ୍ତି; ବରଂ ଏହାକୁ ସୁଖ ଭାବି ସେମାନଙ୍କୁ ଏଥିରେ ସମ୍ପୂର୍ଣ୍ଣ ପ୍ରଶ୍ରୟ ଦେଇଥାନ୍ତି । ଏ ସବୁ ଉପଯୁକ୍ତ ଶିକ୍ଷାର ଅଭାବ । ସେ ଯାହା ହେଉ ଅଭିଭାବକମାନଙ୍କ ଉପରେ ଯେତେବେଳେ ସନ୍ତାନ ସନ୍ତତି ମାନଙ୍କର ଜୀବନ ଗଠନର ଭାର ନ୍ୟସ୍ତ, ସେତେବେଳେ ସେମାନଙ୍କର ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ସେମାନଙ୍କୁ ପରିଚାଳନ କରିବା ଉଚିତ । ସେମାନେ ଦିଅନ୍ତୁ ବା ନ ଦିଅନ୍ତୁ ଆମ୍ଭମାନଙ୍କର ସାବଧାନ ହେବା ଦରକାର; ନଚେତ୍‌ ଦେଶର ଭବିଷ୍ୟତ, ସମାଜର ଭବିଷ୍ୟତ ତଥା ଆମ୍ଭମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହେବ ।

 

ସ୍ଥାନେ ସ୍ଥାନେ ମାଦକ ଦ୍ରବ୍ୟାଦି କାଳୀ ବା ମହାଦେବଙ୍କୁ ପୂଜା ହୁଏ ଓ ସମସ୍ତେ ପ୍ରସାଦ ସେବନ କରିବାର ମଧ୍ୟ ଦେଖାଯାଏ । ଏହା କୌଣସି ଧର୍ମ୍ମଶାସ୍ତ୍ର ଅନୁସାରେ ହେଉଥିବ ବୋଲି ବିଶ୍ୱାସ କରାଯାଇ ନ ପାରେ । ଆମ୍ଭମାନେ ଆମ୍ଭମାନଙ୍କର ସୁବିଧାପାଇଁ ଏ ସବୁର ସୃଷ୍ଟି କରିଥାଇଁ-। ସେ ପ୍ରସାଦ ନ ଖାଇଲେ କିଛି କ୍ଷତି ନାହିଁ । ପ୍ରସାଦ ବୋଲି ମାଦକ ସେବନ କରି ଇହକାଳ ପରକାଳ ନଷ୍ଟ କରିବା ଉଚିତ କି ? ପୂର୍ବ କାଳରେ ଏ ସବୁ ଶାସ୍ତ୍ରାଦି ଥିଲା କିନ୍ତୁ ଲୋକେ ମାଦକସେବୀ ନ ଥିଲେ । ବର୍ତ୍ତମାନ ଯୁଗରେ ଦେବତାଙ୍କଠାରେ ବିଶ୍ୱାସ ଥାଉ ବା ନ ଥାଉ ଏ ମାଦକ ଦ୍ରବ୍ୟକୁ ପ୍ରସାଦ ରୂପେ ଗ୍ରହଣ କରିବାକୁ ସମସ୍ତଙ୍କର ଭକ୍ତି ହୁଏ । ସେପରି କରିବା ନିଜର ଓ ସନ୍ତାନ ସନ୍ତତିଙ୍କର ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକର ।

 

ଯେ ଲୋକେ ନିଜେ ମାଦକସେବୀ ହେବ ତା’ର ସନ୍ତାନ ସନ୍ତତିମାନେ ତା’ର ଅନୁକରଣ କରିବେ । ସେମାନଙ୍କର ମନ ସ୍ୱତଃ ସେହି ଦିଗକୁ ଧାବିତ ହେବ । ଏହା ଅନେକ ସ୍ଥାନରେ ଦେଖା ଯାଉଛି ଓ ବଡ଼ ବଡ଼ ବୈଜ୍ଞାନିକମାନଙ୍କର ମତ ଯେ, ଯେଉଁ ଲୋକ ଯେତେ ନିଶାଖୋର ତା’ର ସନ୍ତାନଗଣ ତା’ଠାରୁ ବେଶି ହେବେ । ଗୋଟିଏ ରୋଗ ଭଳି । ସବୁ ରୋଗର ଔଷଧ ଅଛି, ମାତ୍ର ଏ ରୋଗ ମୂଳେ ନଷ୍ଟ ନ କରି ଛାଡ଼େ ନାହିଁ । ପ୍ରଥମରୁ କ୍ଷଣିକ ସୁଖ ଦେଖାଇ, ଜୀବନର ସମସ୍ତ ସୁଖ ଶାନ୍ତି ଲୋପ କରି, ବହୁ ରୋଗ ଓ ଜ୍ୱାଳା ଯନ୍ତ୍ରଣାରେ ଅଭିଭୂତ କରି ବିନାଶ କରେ ।

 

ଚତୁର୍ଦ୍ଦିଗରେ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖି ମଧ୍ୟ ଏହାର ପାଖକୁ ଯିବା ଠିକ୍‍ ନୁହେ । ତୁମ୍ଭେମାନେ ବର୍ତ୍ତମାନ ବାଳକ । ତୁମ୍ଭମାନଙ୍କର ମାନସିକ ଶକ୍ତି ଅତି ଅଳ୍ପ । ତୁମ୍ଭମାନଙ୍କର ବର୍ତ୍ତମାନଠାରୁ ସାବଧାନ ହୋଇ ଏହାଠାରୁ ଦୂରରେ ରହିବା ଦରକାର । ଏ ପଥର ପଥିକ ହେଲେ ଭବିଷ୍ୟତରେ ସୁଖ ପରିବର୍ତ୍ତରେ ସତତ ଦୁଃଖ ଯନ୍ତ୍ରଣାରେ ହଇରାଣ ହେବ । ବର୍ତ୍ତମାନ ଗୋଟିଏ ଦୃଷ୍ଟାନ୍ତ ନିମ୍ନରେ ଦିଆ ଗଲା । ତହିଁରୁ ଦେଖିବ, ନିଶା ମନୁଷ୍ୟଙ୍କୁ କି କରିପାରେ ।

 

ଗୋଟିଏ ଦେଶରେ ଗୋଟିଏ ରଜା ଥିଲେ । ସେ ଦେଶରେ ଗୋଟିଏ ଭଲ ଚିତ୍ରକର ଥାଏ । ସେ ଚିତ୍ରକର ଦଶ ବର୍ଷ କାଳ ବୁଲି ବୁଲି ଗୋଟିଏ ସୁନ୍ଦର ଯୁବା ପୁରୁଷର ଚିତ୍ର ଅଙ୍କନ କରି ରାଜାଙ୍କୁ ଦେଲା । ରାଜା ତାହା ଦେଖି ବଡ଼ ଖୁସି ହୋଇ, ସେ ଚିତ୍ରକରକୁ ବହୁତ ପୁରଷ୍କାର ଦେଲେ ଓ ପୁନର୍ବାର ଦେଶରେ ବୁଲି ବୁଲି ଗୋଟିଏ ଅତି କୁତ୍ସିତ ଚେହେରାବିଶିଷ୍ଟ ଲୋକର ଚିତ୍ର ଆଙ୍କି ଆଣି ଦେଖାଇବାକୁ କହିଲେ । ସେ ଚିତ୍ରକର ବିଚରା ପୁଣି ଦଶ ବର୍ଷ ବୁଲି ବୁଲି ଦଶ ବର୍ଷ ପୁରିଲା ବେଳକୁ ଜେଲରେ ଗୋଟିଏ ଅତି କୁତ୍ସିତ ରୂପର ଲୋକ ଦେଖି ଚିତ୍ରକରି ଆଣି ରାଜାଙ୍କୁ ଦେଲା । ରଜା ସେ ଛବିଟି ରଖି ତା’କୁ ବହୁତ ପୁରଷ୍କାର ଦେଲେ ଏବଂ ସେହି ସୁନ୍ଦର ଯୁବା ପୁରୁଷ ଓ କୁତ୍ସିତ ଯୁବା ପୁରୁଷର ଅନୁସନ୍ଧାନରେ ଲୋକପଠାଇଲେ । କୁତ୍ସିତ ଲୋକଟି ଜେଲରୁ ଧରା ହୋଇ ଆସିଲା । ସୁନ୍ଦର ଯୁବାର ଅନୁସନ୍ଧାନରୁ ବୁଝାଗଲା ଯେ, ସେହି କୁତ୍ସିତ ଲୋକ ଦିନେ ସର୍ବଶ୍ରେଷ୍ଠ ସୁନ୍ଦର ଥିଲା । ସେ ଲୋକଟିକୁ ଏ ଘଟନାର ସତ୍ୟା ସତ୍ୟ କହିବାକୁ କୁହାଗଲା । ସେ କହିଲା, ‘‘ମୁଁ ଦିନେ ସେହି ସୁନ୍ଦର ଯୁବା ଥିଲି । ମୋର ପ୍ରଚୁର ଧନ ସମ୍ପତ୍ତି ଥିଲା । କୁକ୍ଷଣରେ ମୁଁ ମାଦକ ଦ୍ରବ୍ୟର ଆଶ୍ରୟ ଗ୍ରହଣ କଲି । କ୍ରମେ କ୍ରମେ ମୋର ସବୁ ଧନ ସମ୍ପତ୍ତି ତା’ର କରାଳ ଦୃଷ୍ଟିରେ ଭାସିଗଲା । ଦାଣ୍ଡର କାଙ୍ଗାଳ ହୋଇ ଖାଇବାକୁ ନ ପାଇ ବହୁ କଷ୍ଟ ସହିଲି; ମାତ୍ର ତା’ର ସେ ମୋହିନୀ ଶକ୍ତି ଭୁଲି ପାରିଲି ନାହିଁ । କ୍ରମେ କ୍ରମେ ନିଶା ସେବନରେ ମୋର ସୌନ୍ଦର୍ଯ୍ୟ ଗଲା । ଚୋରି କରି ନିଶା ଖାଇବାକୁ ଲାଗିଲି । ଶେଷରେ ବହୁତ ଥର ଜେଲଯନ୍ତ୍ରଣା ଭୋଗିଲି । ମାତ୍ର ତାକୁ ଛାଡ଼ି ପାରିଲି ନାହିଁ । ବର୍ତ୍ତମାନ ସେହି ନିଶା ମୋର ସବର୍ସ୍ୱ ନେଇ ମୋତେ ଖାଇବାକୁ ବସିଛି ଓ ଦିନେ ମୋତେ ଆହୁରି କୁତ୍ସିତ କରି ଶେଷ କରିବ । ଏ ରୋଗର ଔଷଧ ମୃତ୍ୟୁ ଭିନ୍ନ ଆଉ କିଛି ମୁଁ ଦେଖି ପାରୁନାହିଁ-।’’ ରଜା ଏ ଘଟଣା ଶୁଣି ନିତାନ୍ତ ଦୁଃଖିତ ହେଲେ । ବାସ୍ତବିକ ଏହାର ଶକ୍ତି କମ୍‌ ନୁହେ । ସେଥିପାଇଁ ଦୂରରୁ ସାବଧାନ ନ ହେଲେ ଗତି ନାହିଁ ।

 

ମଦ୍ୟ–ମାଦକ ଦ୍ରବ୍ୟମାନଙ୍କ ମଧ୍ୟରେ ମଦ୍ୟ ସର୍ବ ପ୍ରଧାନ । ଏ ସବୁ ପ୍ରାଣୀଙ୍କ ପକ୍ଷରେ ବିଷବତ୍‌ ଅନିଷ୍ଟ କରେ । ଏହାର ପ୍ରମାଣ ସ୍ୱରୂପ ଡାକ୍ତର ରିଚାର୍ଡ଼ସନ୍‌ଙ୍କ ଉକ୍ତି ଉଲ୍ଲେଖଯୋଗ୍ୟ । ସେ କହିଛନ୍ତି, ‘‘ଏପରି ଜନ୍ତୁ ନାହିଁ ଯେ, ମଦ୍ୟପାନରେ ଅଭିଭୂତ ନ ହେବ । ଅନେକ ଜନ୍ତୁ ମନୁଷ୍ୟର ଅନିଷ୍ଟକର ପଦାର୍ଥ ଭକ୍ଷଣ କରନ୍ତି । ଗୋଟିଏ ପାରାବତ ବହୁତ ଅଫିମ ଅନାୟାସରେ ଖାଇ ହଜମ କରିପାରେ; ଗୋଟିଏ ଛେଳି ଅନେକ ମନୁଷ୍ୟର ପ୍ରାଣ ହାନିକର ଦୋକ୍ତା ଖାଇ ହଜମ କରିପାରେ; କିନ୍ତୁ ମଦ୍ୟପାନରେ ସମସ୍ତେ ମନୁଷ୍ୟ ପରି ଅଭିଭୂତ ହୁଅନ୍ତି ।’’

 

ମଦ୍ୟ ମନୁଷ୍ୟ ସମାଜରେ ବହୁ ଦିନରୁ ପ୍ରଚଳିତ । ତା ନ ହେଲେ ପୁରାତନ ଗ୍ରନ୍ଥାଦିରେ ମଦ୍ୟର ଉଲ୍ଲେଖ ନ ଥାନ୍ତା । ପାଶ୍ଚାତ୍ୟ ଜାତି ମଧ୍ୟରେ ଏହା ଗୋଟିଏ ଖାଦ୍ୟ ବୋଲି ପରିଗଣିତ । ଅସଭ୍ୟ ବନ୍ୟଜାତିମାନେ ନାନା ପ୍ରକାର ମଦ୍ୟ ପ୍ରସ୍ତୁତ କରି ବ୍ୟବହାର କରନ୍ତି ।

 

ଆମ୍ଭମାନଙ୍କର ଧର୍ମ୍ମଶାସ୍ତ୍ରରେ ଅଛି, ‘ମଦ୍ୟମପେୟ ମଦେୟମଗ୍ରାହ୍ୟଂ’ ଅର୍ଥାତ୍‌ ମଦ୍ୟପାନ କରିବ ନାହିଁ; କାହାରିକୁ ଦେବ ନାହିଁ କିମ୍ବା ସ୍ପର୍ଶ କରିବ ନାହିଁ । ବର୍ତ୍ତମାନ ପାଶ୍ଚାତ୍ୟ ଦେଶର ଲୋକମାନେ ଏହି କଥା କ୍ରମେ ବୁଝୁଛନ୍ତି । ଡାକ୍ତର ଜେ. ଏଚ. କେଲର୍‌ ଏମ୍‌. ଡି. କହିଛନ୍ତି ଯେ, ‘ମଦ୍ୟପାନ ହେତୁ ବାତ, ଗଣ୍ଠିବାତ, ଅଜୀର୍ଣ୍ଣ, ହୃଦରୋଗ, ଉଦରି, ସ୍ଥୌଲ୍ୟ, ଯକୃତ୍‌ ରୋଗ, ସଂନ୍ୟାସ, ପେଶୀସମୂହର ଅପକର୍ଷତା, ଉନ୍ମାଦ, ଅପସ୍ମାର, ଯକ୍ଷ୍ମା, ପକ୍ଷାଘାତ, ବହୁମୂତ୍ର ପ୍ରଭୃତି ନାନା ପ୍ରକାର ରୋଗ ଜାତ ହୁଏ ।’ ଅନେକ ଡାକ୍ତରଙ୍କ ମତରେ ମଦ୍ୟପାନ ପରମାୟୁ ହ୍ରାସ କରେ ।

 

ମଦ୍ୟପାୟୀର ଚରିତ୍ର ଅତ୍ୟନ୍ତ ଦୂଷିତ ହୋଇଥାଏ । ଜଗତରେ ଏପରି କିଛି ପାପ ନାହିଁ, ଯାହା ମଦ୍ୟପାୟୀ କରି ନ ପାରେ । ଆଜିପର୍ଯ୍ୟନ୍ତ ମଦ୍ୟ ଔଷଧ ରୂପେ ବ୍ୟବହୃତ ହେଉଛି ; ମାତ୍ର ଅଧ୍ୟାପକ ମିଲେର୍‌ (Prof. Miller M. D. of Scotland) ଓ ଡାକ୍ତର ହିଗିନ୍‌ ବଟମ୍‌ (Dr. Higgin bottom) ପ୍ରଭୃତି ବଡ଼ ବଡ଼ ଚିକିତ୍ସାଶାସ୍ତ୍ରବିଦ୍‌ମାନେ କହନ୍ତି ଯେ, ମଦ୍ୟଦ୍ୱାରା କୌଣସି ରୋଗ କେବେ ଭଲ ହୋଇ ନାହିଁ ଓ ହୋଇ ନ ପାରେ ।

 

ମଦ୍ୟପିମାନେ ମଦ୍ୟର ବହୁ ପ୍ରଶଂସା କରନ୍ତି । ସେମାନେ କହନ୍ତି ଯେ, ମଦ୍ୟ ଶରୀରର ଉତ୍ତାପ ରକ୍ଷା କରେ, ଜୀର୍ଣ୍ଣ କ୍ରିୟାର ସାହାଯ୍ୟ କରେ, ରୋଗ ଆକ୍ରମଣରୁ ରକ୍ଷାକରେ । ମାତ୍ର ଏଥିରୁ କୌଣସି ଗୋଟିକ ଠିକ୍‍ ନୁହେ । ବହୁ ପରୀକ୍ଷା ପରେ ଏହା ସିଦ୍ଧାନ୍ତ ହୋଇଛି ଯେ, ମଦ୍ୟ କୌଣସି ଲୋକର କୌଣସି ଉପକାର କରି ନ ପାରେ । ଏହା ସମସ୍ତଙ୍କ ପକ୍ଷରେ ଅନିଷ୍ଟକର । ମଦ୍ୟ ଚିତ୍ତବୃତ୍ତି ଦୁର୍ବଳ କରିଦିଏ । ମାନବକୁ ଉତ୍ତେଜିତ କରିଦିଏ, ହିତାହିତ ଜ୍ଞାନ ଲୋପ କରିଦିଏ । କ୍ରମେ କ୍ରମେ ଶରୀରର ବିବିଧ ଯନ୍ତ୍ରାଦି ବିକୃତ କରି ପାକସ୍ଥଳୀକୁ ଆକ୍ରମଣ କରେ ଓ ମୃତ୍ୟୁଆଡ଼କୁ ବେଗରେ ଟାଣି ନିଏ ।

 

ଅଫିମ–ଅଫିମ ପୋସ୍ତାଗଛର ରସ । ଏହା ଗୋଟିଏ ବିଷାକ୍ତ ପଦାର୍ଥ । ଏହାଦ୍ୱାରା ବହୁ ସମୟରେ ଲୋକେ ଆତ୍ମହତ୍ୟା କରିଥାନ୍ତି । ଏହାକୁ ସଂସ୍କୃତରେ ଅହିଫେନ ବୋଲି କହନ୍ତି । ଅହିର ଅର୍ଥ ସାପ ଓ ଫେନର ଅର୍ଥ ଫଣା । ଏ ସାପଫଣା ପରି ଭୟଙ୍କର । ଏହି ଫେନସେବୀର ସଂଖ୍ୟା ଆମ ଦେଶରେ ଅଧିକ । ଚୀନର ପ୍ରତ୍ୟେକ ଲୋକ ଏହି ଫେନସେବୀଥିଲେ; ମାତ୍ର ସେମାନେ ବର୍ତ୍ତମାନ ସେ ବ୍ୟବହାର ଛାଡ଼ି ଦେଲେଣି । ଲୋକେ ରୋଗର କ୍ଷଣିକ ଶାନ୍ତି ପାଇଁ ଏହା ସେବନ କରି ଅଫିମଖୋର ହୋଇଯାନ୍ତି । ଏହାର ଶକ୍ତି ଏତେ ଅଧିକ ଯେ ଏହା ମାନବକୁ ତଥା ଅନ୍ୟ ଜୀବମାନଙ୍କୁ କ୍ରୀତ ଦାସଠାରୁ ଅଧିକ କରି ପକାଏ । ଏହାକୁ ଯେ ଖାଏ ଓ ଯେତେବେଳେ ଖାଏ ଠିକ୍‍ ତେତେବେଳେ ନ ଖାଇ ରହି ନ ପାରେ । ସମୟ ଟିକିଏ ବିଳମ୍ବ ହୋଇଗଲେ ତା’ର ଘନ ଘନ ହାଇ ଆସେ । ଚକ୍ଷୁରୁ ଜଳ ପଡ଼େ । ସମସ୍ତ ଶରୀର ଅବସନ୍ନ ହୁଏ । ମନ ନିତାନ୍ତ ବ୍ୟାକୁଳ ହୋଇ ଉଠେ । ପୃଥିବୀ ଶୂନ୍ୟ ବୋଧ ହୁଏ । ଅଫିମସେବିମାନଙ୍କୁ ଯେ କୌଣସି କଳା ପଦାର୍ଥ ସେ ସମୟର ଦେଲେ ସେମାନେ ଖାଇ ଦିଅନ୍ତି । ସେମାନେ ଏତେ ଆଶକ୍ତ ହୋଇ ପଡ଼ିଥାନ୍ତି ଯେ, ନିଜର ପ୍ରାଣ ବିନିମୟରେ ଅଫିମ ମିଳିଲେ ମଧ୍ୟ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରନ୍ତି ନାହିଁ । ଅଫିମ ମନୁଷ୍ୟର ଇନ୍ଦ୍ରିୟ ସମୂହ ଓ ଦେହ ମନ ଅବସନ୍ନ କରି ପକାଏ । କାର୍ଯ୍ୟରେ ଉତ୍ସାହ ରହେନାହିଁ । କେବଳ ବସିବା ଶୋଇବାକୁ ଇଚ୍ଛା ହୁଏ । ନାନା ପ୍ରକାର ସ୍ୱପ୍ନ ଓ କଳ୍ପନାରେ ଦିବାରାତି ଅତିବାହିତ ହୁଏ । କୋଷ୍ଠଶୁଦ୍ଧି ଆଦୌ ହୁଏ ନାହିଁ । ଉଦରରେ ବାୟୁ ସଞ୍ଚିତ ହୁଏ । କ୍ଷୁଧା ନଷ୍ଟ ହୋଇଯାଏ । ମନୁଷ୍ୟ କ୍ରମଶଃ ଜଡ଼ତ୍ୱ ପ୍ରାପ୍ତ ହୁଏ । ଶରୀର କ୍ରମେ କ୍ରମେ ଶୁଷ୍କ ବିବର୍ଣ୍ଣ ହୋଇଯାଏ-। ଲୋକ ଅଫିମ ଖାଇବାର ବେଳ ହେଲେ ପାଗଳ ପ୍ରାୟ ହୋଇପଡ଼େ ।

 

ଏହାକୁ ଲୋକେ ଉପକାରୀ ବୋଲି ମନେ କରି ପ୍ରଥମେ ବ୍ୟବହାର କରିଥାନ୍ତି । ମାତ୍ର ବାସ୍ତବରେ ଏହାଦ୍ୱାରା କିଛି ଉପକାର ହୁଏ ନାହିଁ । ଏହାର ବ୍ୟବହାର ଛାଡ଼ିବା ମଧ୍ୟ ସହଜ ନୁହେ । ନେଉଳକୁ କେହି କେହି ଅଫିମ ଦେଇ ପୋଷିବାର ଦେଖି ଥିବ । ଆମ୍ଭମାନେ ଯେପରି ନେଉଳକୁ ଅଫିମ ଦେଇ ପୋଷୁ, ଅଫିମ ଖାଇବା ଦ୍ୱାରା ସେହିପରି ଆମ୍ଭମାନେ ପୋଷି ହେଉ । ପ୍ରତ୍ୟହ ନେଉଳ ଯେପରି ଅଫିମ ଖାଇବାର ବେଳ ହେଲେ ଆସି ପହୁଞ୍ଚି ଯାଏ, ଆମ୍ଭମାନେ ମଧ୍ୟ ସେହିପରି ଅଫିମ ଖାଇବାର ବେଳ ହେଲେ ବ୍ୟାକୁଳ ହୋଇପଡ଼ୁ ।

 

ବାସ୍ତବିକ ବଡ଼ ଦୁଃଖର କଥା ଯେ, ଆମ୍ଭମାନେ ନିତ୍ୟ ଅଫିମ ଖାଇ ଅସ୍ଥିକଙ୍କାଳବିଶିଷ୍ଟ, ଅବସନ୍ନ ଶରୀର, ସର୍ବଦା ନିଦ୍ରାଳସ ନୟନ, ଉତ୍ସାହଶୂନ୍ୟ ପ୍ରଭୃତି ହେବାର ଦେଖି ମଧ୍ୟ ସେହି ଅଫିମ ଖାଇବାକୁ ମନ ବଳାଉ । ଅଫିମ ସୁମିଷ୍ଟ ବା ଉପକାରୀ ନୁହେ । ଏହା ନାନା ରୋଗର ମୂଳ-। ତଥାପି ଆମ୍ଭମାନଙ୍କର ଦେଶରେ ଏହାର ବହୁଳ ପ୍ରଚାର ଦେଖି ବଡ଼ ଦୁଃଖ ଲାଗେ । ସେଥିରୁ ଅଫିମଖୋରମାନେ ଯେ କି ସୁଖ ପାଆନ୍ତି ତାହା ସେହିମାନଙ୍କୁ ଜଣା । ସେଥିର ସୁଖ ଦୁଃଖ ନ ଭାବି ତା’କୁ ସର୍ବଦା ଦୂରରୁ ବିଷବତ୍‌ ପରିତ୍ୟାଗ କରିବା ଉଚିତ ।

 

ଦୋକ୍ତା–ଏହା ପ୍ରାୟ ସର୍ବତ୍ର ଅଧିକାଂଶ ଲୋକଙ୍କ ଦ୍ୱାରା ବ୍ୟବହୃତ ହୋଇ ଥାଏ । କେହି କେହି ବିଡ଼ି, ସିଗ୍‌ରେଟ, ଗୁଡ଼ାଖୁ ରୂପେ ଏହାର ଧୂମ୍ରପାନ କରନ୍ତି; କେହି କେହି ଚୂନ ସହିତ ମର୍ଦ୍ଦନ କରି ଗ୍ରହଣ କରନ୍ତି; କେହି କେହି ପାନ ସଙ୍ଗରେ, କେହି କେହି ନସ୍ୟ ରୂପେ ଗ୍ରହଣ କରିଥାନ୍ତି ।

 

ଏ ଦେଶରେ ପୂର୍ବେ ଦୋକ୍ତାର ବ୍ୟବହାର ନ ଥିଲା; ଥିଲେ ଅବଶ୍ୟ ପୂର୍ବକାଳର ଗ୍ରନ୍ଥାଦିରେ ତାର ନାମୋଲ୍ଲେଖ ଥାଆନ୍ତା । ଇଉରୋପରେ ମଧ୍ୟ ପୂର୍ବେ ଏହାର ବ୍ୟବହାର ନ ଥିଲା-। କଲମ୍ବସ୍‌ ଆମେରିକା ଆବିଷ୍କାର କଲାବେଳେ, ସେଠାର ଲୋକଙ୍କୁ ଦୋକ୍ତାର ଧୂମ୍ରପାନ କରୁ ଥିବାର ଦେଖି ଥିଲେ । ତାଙ୍କର ଜଣେ ବନ୍ଧୁ ସାର୍‌ ଓ୍ୱାଲଟର୍‍ ରାଲେଙ୍କ ଦ୍ୱାରା ଇଉରୋପରେ ଦୋକ୍ତା ଧୂଆଁର ପ୍ରଚାର ହୁଏ । କ୍ରମଶଃ ଏହା ପୃଥିବୀର ଚତୁର୍ଦ୍ଦିଗରେ ବ୍ୟାପିଯାଏ ।

 

ଦୋକ୍ତା ଯେ ବିଷାକ୍ତ ପଦାର୍ଥ ଏଥିରେ ସନ୍ଦେହ ନାହିଁ । ଦୋକ୍ତା ନ ଖାଉଥିବା ଲୋକକୁ ଦୋକ୍ତା ଖାଇବାକୁ ଦେଲେ ଏହାର ପ୍ରମାଣ ମିଳେ । ଦୋକ୍ତା ଖାଇଲେ ବାନ୍ତି ହୁଏ, ମୁଣ୍ଡଘୁରେ, ଶରୀର ନିସ୍ତେଜ ଓ ଦୁର୍ବଳ ହୁଏ । ମନୁଷ୍ୟ ଦୋକ୍ତା ଖାଇ ସିଦ୍ଧା ହୋଇ ଠିଆ ହୋଇ ପାରେ ନାହିଁ । ଯେ ଦୋକ୍ତା, ମୁହୂର୍ତ୍ତକ ମଧ୍ୟରେ ଏତେ ବିକାର ଉତ୍ପାଦନ କରିବାକୁ ସକ୍ଷମ ହୁଏ, ତା’କୁ ଅଭ୍ୟାସ କରି ଖାଇଲେ ଯେ ଅନିଷ୍ଟ, ହେବ ଏଥିରେ ସନ୍ଦେହ ନାହିଁ ।

 

ଦୋକ୍ତାରେ ନିକୋଟିନ୍‌ ନାମକ ଏକ ମାରାତ୍ମକ ବିଷ ଅଛି । ଏହା ଛଡ଼ା ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ମଧ୍ୟ ଅଛି । ନିକୋଟିନ୍‌ ଶରୀରର ଅତ୍ୟନ୍ତ ଅନିଷ୍ଟକାରୀ । ଏହା ଧମନୀକୁ ଦୁର୍ବଳ କରେ ଏବଂ କମ୍ପନ ଉପସ୍ଥିତ କରାଏ । ଏହା ପକ୍ଷଘାତ ରୋଗ ଉତ୍ପନ୍ନ କରାଏ । ଏହା ଦ୍ୱାରା ହୃଦୟ ଯନ୍ତ୍ରର କ୍ରିୟାର ବିକାର ଓ ହୃଦ୍‌ସ୍ପନ୍ଦନ ହୁଏ । ଏହାଦ୍ୱାରା ପାକସ୍ଥଳୀର କ୍ରିୟାରେ ବ୍ୟାଘାତ ଘଟେ ଏବଂ ଅଜୀର୍ଣ୍ଣ ଉପସ୍ଥିତ ହୁଏ । ଚକ୍ଷୁର ତାରା ବିସ୍ତୃତ ହୁଏ ଏବଂ ଦୃଷ୍ଟିଶକ୍ତି କମିଯାଏ । ଅଧ ସେରେ ଦୋକ୍ତା ଯଦି ଠିକ୍‌ ରୂପେ ପ୍ରୟୋଗ କରାଯାଏ, ଏହାର ସମସ୍ତ ବିଷ କାର୍ଯ୍ୟକାରୀ ହୁଏ; ତେବେ ୩୦୦ ଲୋକଙ୍କର ପ୍ରାଣ ନଷ୍ଟ କରାଯାଇ ପାରେ ।

 

ସିଗାରେଟ ପ୍ରସ୍ତୁତ କରିବା ପାଇଁ ଯେଉଁ ଦୋକ୍ତାର ବ୍ୟବହାର ହୁଏ, ତାହା ବିଶେଷ ରୋଗଯୁକ୍ତ ଏବଂ ତାହାକୁ ସୁସ୍ୱାଦୁ କରିବା ପାଇଁ ତହିଁରେ ବିଷାକ୍ତ ପଦାର୍ଥ ମିଶି ଥାଏ । ସାଧାରଣତଃ ଅଫିମ ଏଥି ପାଇଁ ବ୍ୟବହାର କରାଯାଇ ଥାଏ । ଏହି ଅଫିମ ଧୂଆଁ ନିକୋଟିନ୍‌ ସହିତ ଫୁସ୍‌ଫୁସ୍‌କୁ ଯାଇ ଅଧିକ ଅପକାର କରେ ।

 

ବିଡ଼ି ଓ ତମାଖୁର ଚାଲ ବିଶେଷ ଦେଖିବାକୁ ମିଳେ । ଏହା ଦ୍ୱାରା କେତେ ବାଳକଙ୍କର ଇହ ପରକାଳ ନଷ୍ଟ ହେଉଛି କିଏ କହିବ ! ବାଳକମାନେ ଅନୁକରଣପ୍ରିୟ । ସେମାନେ ସର୍ବଦା ବିଡ଼ି ଓ ଧୂମ୍ରପାନ କରିବାର ଦେଖି ଖାଇଥାନ୍ତି । ସେମାନେ ଏତେ ଅନିଷ୍ଟ କଥା ଜାଣି ଥିଲେ ଅବା ସତର୍କ ହେଉ ଥାନ୍ତେ । ମାତ୍ର ଧୂଆଁକୁ ଖାଇ ତାକୁ ନାକବାଟେ ଛାଡ଼ିବା ବା ଢୋକି ଦେବାକୁ ସେମାନେ ସୁଖ ମଣନ୍ତି । ସେମାନେ କୌତୁକରେ ଖାଉ ଖାଉ ଅବଶେଷରେ ତାର ଦାସ ହୋଇ ପଡ଼ନ୍ତି । ଦୀର୍ଘକାଳ ଏହି ଧୂଆଁ ପାନ କଲେ ଅଗ୍ନିମାନ୍ଦ୍ୟ ହୁଏ । ଉଦରରେ ବାୟୁ ଜମା ହୋଇ ନାନା ପ୍ରକାର ବାୟୁ ରୋଗ ହୁଏ । ନାନାରୂପ ଧାମନିକ ବିକୃତି ଜାତ ହୁଏ । ଶିର ରୋଗ ଓ ନେତ୍ର ରୋଗ ଉତ୍ପନ୍ନ ହୁଏ । ମୁଖ କଳା ହୋଇ ଆସେ । ଫୁସ୍‌ଫୁସ୍‌ରେ ଧୂଆଁ ଜମି ଫୁସ୍‌ଫୁସ୍‌ର କାର୍ଯ୍ୟ ବନ୍ଦ ହୁଏ । ଗଳାରେ କଫ ଜମେ ଓ ସେମାନଙ୍କୁ ଅନେକ ସମୟରେ ଖଁ ଖଁ ହେବାକୁ ହୁଏ । ରକ୍ତ ବିଷାକ୍ତ ହୋଇ ଯାଏ । ଅଳ୍ପ ସମୟରେ ଧୂମ୍ରପାନ କଲେ ସମୟ ସମୟରେ କ୍ଷୟ ରୋଗ ମଧ୍ୟ ହୋଇ ଯାଏ-। ବୁଦ୍ଧି ବୃତ୍ତି କ୍ଷୟ ହୁଏ । ମନ ନିସ୍ତେଜ ଓ ଦୁର୍ବଳ ହୋଇ ପଡ଼େ । ହିତାହିତ ଜ୍ଞାନ କମିଯାଇ ଚରିତ୍ର ନଷ୍ଟ ହୋଇ ଯାଏ ।

 

ଚୂନ ଓ ଦୋକ୍ତା ଏକତ୍ର ମିଶାଇ ବ୍ୟବହାର କରିବା ପ୍ରଥା ମଧ୍ୟ ଖୁବ୍‌ ଚାଲ ଦେଖାଯାଏ । କେତେ ଲୋକ ଚୂନମିଶା ଦୋକ୍ତାରସ ଉଦରସ୍ଥ ନ କରି ଫିଙ୍ଗି ଦିଅନ୍ତି । ଆଉ କେତେକ ଉଦରସ୍ଥ କରି ଥାଆନ୍ତି । ସିଂହଭୂମ ପ୍ରଭୃତି ଅଞ୍ଚଳରେ ଚୂନମିଶା ଦୋକ୍ତାର ବହୁଳ ପ୍ରଚାର ଦେଖିଲେ ବିସ୍ମିତ ହେବାକୁ ହୁଏ । ଏଠାର ଲୋକେ ତାର ରସ ସବୁ ଉଦରସ୍ଥ କରି ପକାନ୍ତି । ସେମାନଙ୍କର ବିଶ୍ୱାସ ଯେ, ଏହାଦ୍ୱାରା ଜୀର୍ଣ୍ଣ ଶକ୍ତିର ବୃଦ୍ଧି ହୁଏ ଓ ଶରୀର ଭଲ ରହେ । ଏଠାର କବିରାଜମାନଙ୍କର ମଧ୍ୟ ସେହି ମତ । ଦୋକ୍ତାରେ ନିକୋଟିନ୍‌ ପ୍ରଭୃତି ନାନା ପ୍ରକାର ବିଷାକ୍ତ ଦ୍ରବ୍ୟର ବିଷ ଥାଉ ଥାଉ ସେମାନଙ୍କର ଏ ବିଶ୍ୱାସ ଶୁଣିଲେ ବଡ଼ ବିସ୍ମିତ ହେବାକୁ ହୁଏ । ଏଠାରେ ମଧ୍ୟ କେହି କେହି କବିରାଜ ଲୋକଙ୍କର ଅମ୍ଳ ଓ ଅମ୍ଳଶୂଳ ପ୍ରଭୃତି ରୋଗରେ ଦୋକ୍ତା ବ୍ୟବହାର ପାଇଁ ବ୍ୟବସ୍ଥା କରନ୍ତି । ଯେଉଁ ଦୋକ୍ତାର ଏକ ବିନ୍ଦୁ ତେଲରେ ଇଟେଣ୍ଟଟ୍‌ ଜାତିମାନେ ବିଷାକ୍ତ ସର୍ପ ମାରିଥାନ୍ତି, ତାହା ମାନବ ଦେହରେ କି ଦୁର୍ଗୁଣ କରି ନ ପାରେ ? ଏହାଦ୍ୱାରା ମନୁଷ୍ୟର ପରମାୟୁ କମିଯାଇ ଥାଏ । ଏହାର ଧୂମ୍ର ଯେପରି ଅପକାରୀ, ଏହାର ରସ ମଧ୍ୟ ସେହିପରି ଅପକାରୀ । କବିରାଜମାନଙ୍କର ଏପରି ବ୍ୟବସ୍ଥା ଦେବା ପୂର୍ବରୁ ଭାବି ଚିନ୍ତି ଫଳାଫଳ ବିଚାରି ବ୍ୟବସ୍ଥା ଦେବା ଦରକାର ଓ ରୋଗିମାନଙ୍କର ଏ ବ୍ୟବସ୍ଥା ଗ୍ରହଣ ପୂର୍ବରୁ ଫଳାଫଳ ବିଚାରିବା ଉଚିତ ।

 

ତମାଖୁର ବ୍ୟବହାର ବନ୍ଦ କରିବା ପାଇଁ ଅନେକ ଦେଶରେ ଅନେକ ଆଇନ ଜାରି ହୋଇଛି । ରୁଷିଆରେ ତମାଖୁ ବ୍ୟବହାରର ଅପରାଧରେ ବେତ୍ରାଘାତ, ଦ୍ୱିତୀୟ ଅପରାଧରେ ନାସିକା ଛେଦନ ଓ ତୃତୀୟ ଅପରାଧରେ ପ୍ରାଣଦଣ୍ଡର ବ୍ୟବସ୍ଥା ମଧ୍ୟ ହୋଇଥିଲା । ପାରସ୍ୟରେ ତମାଖୁ ବ୍ୟବହାର ବିରୁଦ୍ଧରେ ଏପରି କଠିନ ଦଣ୍ଡ ଥିଲା ଯେ, ଦଣ୍ଡ ଭୟରେ ବ୍ୟବହାରକାରିମାନେ ପାର୍ବତୀୟ ପ୍ରଦେଶକୁ ପଳାଇବାକୁ ବାଧ୍ୟ ହେଉ ଥିଲେ । ସୁଇଜର୍‌ଲାଣ୍ଡରେ ତମାଖୁ ବ୍ୟବହାରକାରିମାନେ ଚୋର ଡକାଏତ ପରି ବ୍ୟବହୃତ ହେଉଥିଲେ ।

 

ଗଞ୍ଜେଇ ବା ଭାଙ୍ଗ–ଗଞ୍ଜେଇକୁ ସାଧାରଣତଃ ତିନି ପ୍ରକାରରେ ବ୍ୟବହାର କରିଥାନ୍ତି । ଯଥା- ଏହାକୁ ବାଟିକରି ଭାଙ୍ଗରୂପେ, ଧୂଆଁରୂପେ ଓ ଚରସ ରୂପେ । ଯେପରି ବ୍ୟବହୃତ ହେଉ ପଛକେ ଏହା ମଦ୍ୟ ପରି ଗୋଟିଏ ଅନିଷ୍ଟକାରୀ ଜିନିସ । ମଦ୍ୟ ପରି ଏହା ମନୁଷ୍ୟକୁ ଉନ୍ମତ୍ତ କରେ; ହିତାହିତ ଜ୍ଞାନଶୂନ୍ୟ କରେ; ସମୟେ ସମୟେ ମଧ୍ୟ ପାଗଲ କରି ପକାଏ । କେହି କେହି ମଧ୍ୟ ଅଧିକ ଗଞ୍ଜେଇ ଖାଇ ମରିଯିବାର ଦେଖା ଯାଇଛି । ଏହାର କ୍ରିୟା ମସ୍ତିଷ୍କରେ ଓ ହୃଦୟରେ । ଭାଙ୍ଗ, ଧୂଆଁ ବା ଚରସ ଖାଇଲେ ଛାତି ଜ୍ୱଳେ; ମସ୍ତକ ଉପରକୁ ଉଡ଼ିଗଲା ପରି ଲାଗେ, ଖୁବ୍‌ ଭ୍ରମ ହୁଏ; ଏପରି କି ମରିଗଲା ପରି ଲାଗେ । କେହି କେହି ଏହାର ଉତ୍ତେଜନା ସହି ନ ପାରି ମରିଯାଆନ୍ତି । ଏହା ମଦ୍ୟଠାରୁ ମାଦକତାରେ କୌଣସି ଅଂଶରେ ଊଣା ନୁହେ ।

 

ଆମ୍ଭମାନଙ୍କ ଦେଶରେ ଗଞ୍ଜେଇ ଧୂଆଁ ଓ ଭାଙ୍ଗର ପ୍ରଚାର ଅଛି । କେତେ କେତେ ଭଦ୍ର ଶିକ୍ଷିତମାନେ ମଧ୍ୟ ଭାଙ୍ଗକୁ ସରବତ କରି ଖାଆନ୍ତି । ପୁରୀଜିଲାରେ ଭାଙ୍ଗର ବିଶେଷ ପ୍ରଚାର ଦେଖିଲେ ବଡ଼ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଗଞ୍ଜେଇ ଧୂଆଁ ସାଧୁ ସନ୍ନ୍ୟାସିମାନେ ଓ ଅନ୍ୟାନ୍ୟ ଅନେକ ମଧ୍ୟ ବ୍ୟବହାର କରିଥାନ୍ତି । ଗଞ୍ଜେଇ ଧୂଆଁ କାହିଁକି ଯେ ସନ୍ନ୍ୟାସିମାନଙ୍କ ମଧ୍ୟରେ ଏତେ ଆଦର ଓ ବିସ୍ତୃତି ଲାଭ କରିଛି ତାହା ଜଣାଯାଏ ନାହିଁ । ସେମାନଙ୍କର ବିଶ୍ୱାସ ଯେ, ଭଗବତ୍‌ ଉପାସନା ଗଞ୍ଜେଇ ଧୂଆଁର ଅଭାବରେ ହୋଇ ନ ପାରେ । ଯେପରି କାଳୀ ଉପାସକମାନେ ଅନେକ ସମୟରେ ମଦ୍ୟ ମାଂସର ବ୍ୟବହାର କରିଥାନ୍ତି, ସେହିପରି ଏମାନେ ଗଞ୍ଜେଇ ଧୂଆଁର ବ୍ୟବହାର କରିଥାନ୍ତି । ମାତ୍ର ସେ ଯୁକ୍ତିର କିଛି ଅର୍ଥ ନାହିଁ । ଲୋକ ଗୋଟିଏ କିଛି କାମ କଲେ ତା’ ପକ୍ଷରେ ବହୁତ ଯୁକ୍ତି ଦେଖାଇ ଥାଏ । ସେ ଯୁକ୍ତି ଅମୂଳକ । ଭଗବାନଙ୍କର ଉପାସନା ଯେ କୌଣସି ବିଷାକ୍ତ ଦ୍ରବ୍ୟ ଭକ୍ଷଣ ବିନା ହୋଇ ନ ପାରେ- ଏହା କହିବା ଯେପରି ଗୋଟିଏ ପାପ, କରିବା ତା’ଠାରୁ ଶତ ଗୁଣରେ ପାପ । ଭଗବାନଙ୍କର ଉପାସନା ଆତ୍ମଘାତି ହେବାରେ ହୁଏ କି ? ଯେ ଆତ୍ମହତ୍ୟା କରେ ତା’ ପାଇଁ ଜ୍ୱଳନ୍ତ ନର୍କର ବ୍ୟବସ୍ଥା ଧର୍ମ୍ମଶାସ୍ତ୍ରରେ ଅଛି । ମାଦକସେବନ ଆତ୍ମହତ୍ୟା ସଙ୍ଗେ ସମାନ । ଆତ୍ମହତ୍ୟାରେ ମନୁଷ୍ୟ ସଙ୍ଗେ ସଙ୍ଗେ ମରିଯାଏ; ମାତ୍ର ମାଦକସେବନରେ କ୍ରମେ କ୍ରମେ ମୃତ୍ୟୁମୁଖକୁ ଧାବିତ ହୁଏ । ଦୁହେଁ ଏକ କଥା । ଶରୀର ଓ ମନକୁ ପ୍ରତ୍ୟହ ଜ୍ୱାଳା ଯନ୍ତ୍ରଣା ଦେଇ ମୃତ୍ୟୁର ପଥ ପରିଷ୍କାର କରିବା ଆଉରି ଅଧିକ ପାପ ବୋଲି ମନେ ହୁଏ ।

 

ଏହାର ବ୍ୟବହାରରେ ଲୋକ କ୍ରମଶଃ ଅକର୍ମ୍ମଣ୍ୟ ହୋଇ ଯାଏ । ଏଥିରୁ ଚିତ୍ତ ଦୌର୍ବଲ୍ୟ, ଧାମନିକ ଉତ୍ତେଜନା, ଧାମନିକ ଅବସାଦ, ମସ୍ତିଷ୍କ ଦୌର୍ବଲ୍ୟ, ଅଜୀର୍ଣ୍ଣ, ମୁଣ୍ଡବ୍ୟଥା, ମୁଣ୍ଡଘୁରା, ମାନସିକ ବିଷଣ୍ଣତା, ନିଦ୍ରାହୀନତା ଓ କୋଷ୍ଟବଦ୍ଧ ପ୍ରଭୃତି ଉପସର୍ଗମାନ ପ୍ରକାଶ ପାଏ ।

 

ଚା’–ଆଜିକାଲି ସଭ୍ୟ ଯୁଗରେ ଚା’ଭକ୍ତଙ୍କର ସଂଖ୍ୟା ବିଶେଷ ଦେଖା ଯାଏ । ଆମ୍ଭମାନଙ୍କ ପରି ହତଭାଗୀ ଓ ବୁଦ୍ଧିହୀନ ବୋଧ ହୁଏ ଆଉ ସାରା ସୃଷ୍ଟିରେ ଅଛନ୍ତି କି ନା ସନ୍ଦେହ-। ପାଶ୍ଚାତ୍ୟ ମାନଙ୍କର ସଂସର୍ଗରେ ଆସି ଆମ୍ଭେମାନେ ସେମାନଙ୍କର ଭଲଗୁଣ ଅନୁକରଣ କରିବା ଦୂରେ ଥାଉ, ଯାବତୀୟ ମନ୍ଦ ଗୁଣ ଅନୁକରଣ କରୁଥାଇଁ । ସେମାନଙ୍କ ଠାରୁ ଚା ଖାଇବା, ମଦ୍ୟ ଖାଇବା, ଧୂମ୍ରପାନ ପ୍ରଭୃତି ଦୁର୍ଗୁଣମାନ ଅନୁକରଣ କରିବାରେ ଆମ୍ଭେମାନେ ପଟୁ । ଚା ସେମାନଙ୍କର ଶୀତପ୍ରଧାନ ଦେଶ ଅପେକ୍ଷା ଆମ୍ଭମାନଙ୍କର ଏ ଗ୍ରୀଷ୍ମ ପ୍ରଧାନ ଦେଶରେ ଖୁବ୍‌ ଅପକାରୀ । ଖାଦ୍ୟ ଭେଦରେ ମଧ୍ୟ ଏହାର ଅପକାରକ ଶକ୍ତି କମ୍‌ ବେଶୀ ହୋଇ ଥାଏ । ଆମ୍ଭମାନଙ୍କ ଦେଶର ଲୋକେ ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଆନ୍ତି ନାହିଁ । ସୁତରାଂ ଚା ଆମ୍ଭମାନଙ୍କ ପକ୍ଷରେ ବିଶେଷ ଅପକାରୀ । ମଦ୍ୟପିମାନେ ମଦ୍ୟର ପ୍ରଶଂସା କରିଥାନ୍ତି । ସେହିପରି ଚା ପାନ କରୁଥିବା ଲୋକାମାନେ ଚା’ ପ୍ରଶଂସା କରିଥାନ୍ତି । ସେମାନେ କହନ୍ତି ଯେ, ଚା ଶାରୀରିକ ବଳ ବୃଦ୍ଧି କରେ, ଧମନୀ ପ୍ରସନ୍ନ କରେ, ପରିପାକରେ ସହାୟତା କରେ, ମୁଣ୍ଡବ୍ୟଥା ଉପସମ କରେ, ମାନଶିକ ଶକ୍ତି ବର୍ଦ୍ଧିତ କରେ, ଶରୀର ଓ ମନ ପ୍ରଫୁଲ୍ଲ ରଖେ । ବାସ୍ତବିକ ଚା’ର ଏ ସବୁ କିଛି ଶକ୍ତି ନାହିଁ । ଚା’ ଖୁବ୍‌ ଅପକାରୀ । ବେଶୀ ଦିନ ବ୍ୟବହାର କଲେ ଲାଳର ଅଳ୍ପତା, ଖାଦ୍ୟଦ୍ରବ୍ୟାଦିର ଆସ୍ୱାଦ ଗ୍ରହଣରେ ଅକ୍ଷମତା, ପୈତ୍ତ୍ୟାଧିକ୍ୟ, ବମନୋବ୍ଦେଗ, କୋଷ୍ଠବଦ୍ଧତା, ଅତ୍ୟନ୍ତ ଧାମନିକ ବିକୃତି, ରାତ୍ରିରେ ଭୟାନକ ସ୍ୱପ୍ନ ଦର୍ଶନ, କ୍ଷୁଧାହୀନତା ପ୍ରଭୃତି ଉପସର୍ଗମାନ ଦେଖାଯାଏ ।

Image

 

କେତେକ ଆକସ୍ମିକ ଦୁର୍ଘଟନା ଓ ସାଧାରଣ ରୋଗର ଚିକିତ୍ସା

 

ମାକଡ଼ସା ମୂତିଲେ–ମାକଡ଼ସା ମୂତରେ ବିଷ ଥାଏ । ତା’ର ମୂତ ଶରୀରର ଯେ କୌଣସି ସ୍ଥାନରେ ପଡ଼ିଲେ ସଙ୍ଗେ ସଙ୍ଗେ ଘା’ ହୋଇ ଯାଏ । ସେହି ଘା’ରେ ମହୁ ବା ଦହି ଲଗାଇ ଦେଲେ ଭଲ ହୋଇ ଯାଏ । ଯଦି କଚଡ଼ା (ମହୁଲ ଗଛର ଫଳ)ର ପିଡ଼ିଆ ମିଳେ, ତେବେ ତାକୁ ପୋଡ଼ି ଗୋଟିଏ ଜଳପୂର୍ଣ୍ଣ ପାତ୍ରରେ ପକାଇ, ପାତ୍ରର ଠିକ୍‌ ଉପରେ ଘା’ ହୋଇଥିବା ସ୍ଥାନ ଦେଖାଇ ଦେଲେ, ଘା’ରେ ତାର ଧୂଆଁ ବାଜିଲେ ଘା’ରୁ ବିଷ ଚାଲିଯାଏ ।

 

କଙ୍କଡ଼ାବିଛା କାମୁଡ଼ିଲେ–କଙ୍କଡ଼ାବିଛା କାମୁଡ଼ିଲେ ନିମ୍ନଲିଖିତ ଔଷଧମାନ ବ୍ୟବହାର କଲେ ବିଷ ହରଣ ହୋଇ ଜ୍ୱାଳା କମିଯାଏ ।

 

(୧)

କ୍ଷତସ୍ଥାନରେ କାନଗୁହ ଲଗାଇ ଦେଲେ ଭଲ ହୋଇଯାଏ ।

(୨)

ଶିମ୍ବ ମଞ୍ଜି ଫାଳେ କ୍ଷତସ୍ଥାନରେ ଲଗାଇ ଦେଲେ, ଏହା ସେ ସ୍ଥାନରେ ଜାଲମହୁରା ପରି ଲାଗିରହି ବିଷ ହରଣ କରେ ।

(୩)

ପ୍ରଥମେ କ୍ଷତସ୍ଥାନରେ ଲୁଣ ଦେଇ, ତା’ ଉପରେ ଖଣ୍ଡେ କନା ବାନ୍ଧି, ସେହି କନାକୁ ଓଦା ରଖିଲେ ଜ୍ୱାଳାଦି ହରଣ ହୁଏ ।

(୪)

ହାତୀଶୁଣ୍ଢା ଗଛର ମୂଳ ବାଟି କ୍ଷତସ୍ଥାନରେ ଲେପ ଦେଲେ ଜ୍ୱାଳା ଓ ବିଷର ଉପଶମ ହୁଏ-

Image